jayashree

ଡେଲାଙ୍ଗର ବିଭିନ୍ନ ପଂଚାୟତରେ ଗଡ଼ିଲା ଜୟ ଜଗନ୍ନାଥ ଅର୍ପଣ ରଥ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ସୁରକ୍ଷା ଓ ପ୍ରଚାର ପ୍ରସାର, ଓଡିଶା ସରକାରଙ୍କ ” ଆମ ଓଡିଶା ନବୀନ ଓଡିଶା ” ଯୋଜନାର ଅନ୍ୟତମ ଅଂଶବିଶେଷ । ଏହି କ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତା. ୧୭/୦୧/୨୪ରିଖ ଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ନିର୍ମିତ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଏହି ଐତିହାସିକ ମୂହୁର୍ତ୍ତରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସମଗ୍ର ରାଜ୍ୟରୁ ଶ୍ରଦ୍ଧାଳୁମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନିମନ୍ତେ ନିମନ୍ତ୍ରଣ କରିଛନ୍ତି । ଏହି ମୂହୁର୍ତ୍ତକୁ ଅଧିକ ଭାବପୂର୍ଣ୍ଣ କରିବା ପାଇଁ ବିବିଧ ସାଂସ୍କୃତିକ ଓ ପ୍ରଚାରଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମ ପଞ୍ଚାୟତ ଏବଂ ବ୍ଲକରୁ ସମସ୍ତ ଶ୍ରଦ୍ଧାଳୁଙ୍କ ଅଂଶ ଗ୍ରହଣ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ସୂଚନା ଅନୁସାରେ, ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସୁଜନପୁର ଗ୍ରାମପଞ୍ଚାୟତର ଜଗଦଳପୁର ତଳ ବିଶ୍ୱନାଥ ମନ୍ଦିରଠାରେ ଶନିବାର ଏହି ଜୟ ଜଗନ୍ନାଥ ଅର୍ପଣ ରଥକୁ ଆନୁଆଷ୍ଠାନିକ ଭାବେ ଶୁଭ ଉଦ୍‌ଘାଟନ କରିବା ସହ ପଂଚାୟତ ପରିକ୍ରମା କରାଯାଇଥିଲା । ପରେ ସୋମବାର ଚାଇଁପୁର, ସିଂହବ୍ରହ୍ମପୁର ପଂଚାୟତର ବିଭିନ୍ନ ୱାର୍ଡ଼, ଗ୍ରାମରେ ଶ୍ରୀଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରି ପ୍ରତି ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯାଇଥିଲା । ହରିବୋଲ, ହୁଳହୁଳି, ନଦିଆ ସଂକୀର୍ତ୍ତନ, ଶଙ୍ଖ ଧ୍ୱନିର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସ୍ଥାନୀୟ ଯୁବ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତି ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ, ଜିଲ୍ଲା ପରିଷଦ ସଭ୍ୟା ପ୍ରଜ୍ଞା ଛୋଟରାୟ,ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ, ଛାତ୍ର ନେତା ସୁଦୀପ୍ତ କୁମାର ନାୟକ, ବ୍ଲକ ଷ୍ଟାଫ, ଜିଆରସେ, ପଂଚାୟତ ନିର୍ବାହୀ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ୱାର୍ଡ଼ ମେମ୍ବର, ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ମହିଳା ସଦସ୍ୟା ଏବଂ ପଞ୍ଚାୟତବାସୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଜୟ ଜଗନ୍ନାଥ ରଥ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ବ୍ଲକରେ ଥିବା ପ୍ରତ୍ୟେକ ପଞ୍ଚାୟତର ସମସ୍ତ ଗ୍ରାମକୁ ଜଗନ୍ନାଥ ସଂସ୍କୃତି ସହିତ ଜଡିତ ବିବିଧ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ । ଏହି ରଥ ଘରକୁ ଘର ବୁଲି ପ୍ରତ୍ୟେକ ପରିବାରଙ୍କଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମୁଠାଏ ଅରୁଆ ଚାଉଳ ଏବଂ ଗୁଆ ସଂଗ୍ରହ କରି ପରିଶେଷରେ ସଂଗ୍ରହ କରାଯାଇଥିବା ଅରୁଆ ଚାଉଳ ଏବଂ ଗୁଆକୁ ପୂଜାପାଠ କରି ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଖକୁ ନିଆଯିବା ନେଇ ଡେଲାଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷିତିଶ ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.