ହୁମ୍ବର ଗାଁ ଯଜ୍ଞ-ପ୍ରତିଷ୍ଠାତ୍ସୋବରେ ମୁଖରିତ : କଳସ ଯାତ୍ରା ସମ୍ପନ୍ନ ହୋଇ ରବିବାର ପ୍ରାତଃରୁ ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ ଆରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ହୁମ୍ବର ଗ୍ରାମରେ ଶ୍ରୀ ଶ୍ରୀ ଷଢ଼ଭୂଜ ଗୌରାଙ୍ଗ ଓ ନିତାଇ ଗୌର ବିଗ୍ରହ ଏବଂ ନବନିର୍ମିତ ମନ୍ଦିର ପ୍ରତିଷ୍ଠାତ୍ସୋବ ନିମନ୍ତେ ଶୁକ୍ରବାର ଦୀକ୍ଷାଗ୍ରହଣ ଓ ଅଙ୍କୁରାରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇ ଶନିବାର ଜଳଯାତ୍ରା ସମ୍ପନ୍ନ ହୋଇଯାଇଛି । ଗ୍ରାମରେ ଭକ୍ତି-ଭାବପୂର୍ଣ୍ଣରେ ଗହଳ ଚହଳ ଦେଖାଦେଇଛି । ଗ୍ରାମରେ କଳସ ଯାତ୍ରା ସମ୍ପନ୍ନ ହେବାପରେ ରବିବାର ପ୍ରାତଃରୁ ମନ୍ଦିର ପ୍ରତିଷ୍ଠାତ୍ସୋବ ନିମନ୍ତେ ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ ଆରମ୍ଭ ହୋଇ ଗାଁ ସାରା ଉତ୍ସବ ମୁଖର ହୋଇଉଠିଛି । ଶହ ଶହ ଲୋକ ତଥା ଅଗଣିତ ଭକ୍ତ ଆନନ୍ଦ ବଜାରରେ ଅନ୍ନ-ପ୍ରସାଦ ଖାଇ ଭକ୍ତି ମନରେ ଆନନ୍ଦ ଲାଭ କରିଛନ୍ତି । ରବିବାର ପ୍ରଭାତରୁ ଯଜ୍ଞାନୁଷ୍ଠାନ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ଯାହାକି ଶାଲାପୂଜା, ଗୋ-ପୂଜା, ନାମଯଜ୍ଞ ଯଥା ରୀତିରେ ସୂର୍ଯ୍ୟ-ଉଦୟରୁ ଆରମ୍ଭ ହୋଇଛି ବୋଲି କଳିଙ୍ଗ ଯୋଗ ସମ୍ରାଟ ଜ୍ୟୋତିଷରତ୍ନ ପଣ୍ଡିତ ତୁମ୍ବନାଥ ତ୍ରୀପାଠୀ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ’ ଶନିବାର ପୂର୍ବାହ୍ନରେ ଋଷିକୂଲ୍ୟା ନଦୀରୁ ବର୍ଣ୍ଣାଢ଼୍ୟ ପଟୁଆରରେ ନିଆରା ପରମ୍ପରା କ୍ରମେ କଳସରେ ଜଳ ଅଣାଯାଇଛି । ଜଳଯାତ୍ରାରେ ୫୦୧ ଜଣ ପତିବ୍ରତା ନାରୀ ଏହି ଜଳଯାତ୍ରାରେ ଅଂଶଗ୍ରହଣ କରିଥିଲେ । ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ମସ୍ତକରେ ଧରି ମହିଳାମାନେ କଳସରେ ଜଳ ଆଣି ଯଜ୍ଞାନୁଷ୍ଠାନରେ ଜଳଲାଗି କରିଛନ୍ତି । ଏହି ଜଳଯାତ୍ରା ବେଳେ ଶହସ୍ରାଧିକ ଭକ୍ତ-ଗ୍ରାମାଭିମୁଖୀ ହୋଇଛନ୍ତି । ବିଭିନ୍ନ ବାଦ୍ୟଧ୍ଵନିରେ ହରିବୋଲ, ଶଙ୍ଖ, ହୁଳାହୁଳି ଧ୍ୱନିରେ ପ୍ରକମ୍ପିତ ହୋଇ ଗ୍ରାମ ଉତ୍ସବ ମୁଖର ହୋଇଉଠିଥିଲା । ଆଜି ସକାଳୁ ସକାଳୁ ଆନନ୍ଦର କୋଳାହଳ ଆଧ୍ୟାତ୍ମିକ ବାତାବରଣକୁ ଦ୍ଵିଗୁଣିତ କରି ଅତୀବ ଉତ୍ସବରେ ମୁଖରିତ କରିଛି ।

Leave A Reply

Your email address will not be published.