ଯାତ୍ରା ଦେଖିବାକୁ ଯାଇ ଆଉ ଫେରିଲେନି ଯୁବକ

ବେଲପଡ଼ା, (କେପିଏନ୍‌ଏସ୍‌) : ନିଜ ସାଙ୍ଗରେ ଯାତ୍ରା ଦେଖିବାର ଲୋଭ ଦେଖାଇ ମିଠା ମିଠା କଥା କହି ନିଜ ପ୍ରେମିକକୁ ଡାକି ଥିଲା ପ୍ରେମିକା । ନିଜ ପ୍ରେମିକାକୁ ବାଇକ୍‌ ପଛରେ ବସାଇ ବଡ ଉତ୍ସାହର ସହ ଯାତ୍ରା ଦେଖାଇବାକୁ ବାହାରି ପଡିଥିଲା ପ୍ରେମିକ । ହେଲେ ସେ କ’ଣ ଜାଣିଥିଲା, ତାର ପ୍ରେମିକା ତା’ ପାଇଁ ଏଭଳି କାଳ ସାଜିବ ବୋଲି । ମନ ଖୁସିରେ ତରବର ହୋଇ ବାହାରି ପଡିଥିଲା ଯାତ୍ରା ବୁଲାଇବା ପାଇଁ ହେଲେ ଆଉ ଘରକୁ ଫେରିନଥିଲା ପ୍ରେମିକ । ରାତି ପାହିବା ବେଳକୁ ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଥିଲା ପୁଅ । ପ୍ରେମିକର ଏଭଳି ଅବସ୍ଥା ପରେ ମଧ୍ୟ ଆଖପାଖରେ ନଥିଲା ପ୍ରେମିକା । ଏସବୁ ଦେଖି ଘଟଣାସ୍ଥଳରୁ ଛୁ’ ମାରିଥିଲା ଧୋକେବାଜ୍‌ ପ୍ରେମକା । ଏକଥା ଆମେ କହୁନୁ ଏପରି ଏକ ସଙ୍ଗୀନ ଅଭିଯୋଗ ନେଇ ବେଲପଡ଼ା ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବକଙ୍କ ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ କନ୍ଧେନଝୁଲା ଗାଁରେ । କନ୍ଧେନଝୁଲା ଗ୍ରାମର ଲକ୍ଷପତି ଗଇତାଙ୍କୁ ତାଙ୍କ ପ୍ରେମିକା ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ଯୁବକଙ୍କ ପରିବାର ଲୋକେ । ସୂଚନା ଅନୁସାରେ ଗତ ସେମବାର ଦିନ ସନ୍ଧ୍ୟାରେ ଲକ୍ଷପତି ଦୁଲିମୁଣ୍ଡା ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ । ଦୁଲିମୁଣ୍ଡା ଗ୍ରାମର ଜଣେ ଯୁବତୀଙ୍କୁ ଲକ୍ଷପତି ଭଲ ପାଉଥିଲେ । ସେ ଝିଅ ସହ ବାଇକ୍‌ରେ ବସି ଲକ୍ଷପତି ବେଲପଡା ପଟକୁ ଯାଉଥିଲେ । କିନ୍ତୁ ବେହେରାମୁଣ୍ଡା ଛକ ନିକଟରେ ବାଇକ୍‌ ଦୁର୍ଘଟଣା ଘଟି ରାସ୍ତାକଡରେ ଛିଟିକି ପଡିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଲକ୍ଷପତିଙ୍କୁ ଉଦ୍ଧାର କରି ପ୍ରଥମେ ଖପ୍ରାଖୋଲ ଓ ପରେ ପାଟଣାଗଡ଼ ଡାକ୍ତରଖାନାକୁ ନେଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷପତିଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରେମିକା ଦେହରେ ଦାଗଟିଏ ମଧ୍ୟ ଲାଗିନାହିଁ । ତେବେ ଲୋକେ ପ୍ରଶ୍ନ କରୁଛନ୍ତି, ଯଦି ବାଇକ୍‌ରେ ବସି ଦୁଇଜଣ ଯାଉଥିଲେ ତେବେ ଜଣେ ଏମିତି ଗୁରୁତର ହେଲା ଅଥଚ ଅନ୍ୟଜଣକ ଦେହରେ କିପରି ଦାଗଟିଏ ମଧ୍ୟ ହୋଇନାହିଁ । ଫଳରେ ଏହାକୁ ନେଇ ସମସ୍ତଙ୍କ ସନ୍ଦେହର ନଜର ପ୍ରେମିକା ଉପରେ ରହିଛି । ଯଦି ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥାନ୍ତା ତା’ ହେଲେ ଦୁଇଜଣ ଯାକ ଆହତ ହୋଇଥାନ୍ତେ । ମାତ୍ର ଜଣେ ଗୁରୁତର ଆହତ ହୋଇଥିବା ବେଳେ ଆଉ ଜଣକର କିଛି ବି ହୋଇନାହିଁ । ଅନ୍ୟପଟେ ଯୁବତୀଙ୍କୁ ପ୍ରେମ କରିବାରୁ ଲକ୍ଷପତିଙ୍କୁ ଏଭଳି ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ସମସ୍ତଙ୍କ ସାମ୍ନାକୁ ଆସି ପାରିବ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.