oom

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା : ନଗର ପରିକ୍ରମାର ପ୍ରଥମ ଦିନରେ ବ୍ୟାପକ ପଟୁଆର ସହ ସୁନାପାଙ୍ଗା ପରିଭ୍ରମଣ

jsmm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା’ପାଟଖଣ୍ଡା ଠାକୁରାଣୀଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ଚଳିତ ମାସ ୨୩ ତାରିଖ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଯାଇଛି । ଏହି ଯାତ୍ରା ୨୧ ଦିନ ଧରି ଆୟୋଜନ ହୋଇ ଆସନ୍ତା ମେ’ ୧୩ ତାରିଖ ଦିନ ଉଦ୍‌ଯାପିତ ହୋଇ ମା’ ନିଜ ମନ୍ଦିରକୁ ପ୍ରତ୍ୟାର୍ବତନ କରିବେ । ଏହି ଯାତ୍ରାକୁ ମା’ ପାଟଖଣ୍ଡା ଦୁର୍ଗା ପୂଜା ସମିତି ଆନୁକୂଲ୍ୟରେ ଅସ୍ଥାୟୀ ପୀଠ ସ୍ଥାନୀୟ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣରେ ଆୟୋଜନ କରାଯାଇଛି । ସମସ୍ତ ନୀତିକାନ୍ତି ସହ ଅଙ୍କୁର ରୋପଣ କରିବା ପରେ ଅସ୍ଥାୟୀ ପୀଠକୁ ପ୍ରତିଷ୍ଠା କରି ପଞ୍ଚଦେବୀଙ୍କ ସହ ସମସ୍ତ ଦେବାଦେବୀଙ୍କୁ ବରଣ କରାଯାଇ ଆବାହାନ କରାଯାଇଥିଲା । ଏଥିରେ ଦେଶୀ ବେହେରା ଭାବେ ଏ.ଶ୍ରୀନିବାସ ଦୋରାଙ୍କ ଘରେ ପୂଜାର୍ଚ୍ଚନା କରିବା ପରେ ଏକ ବିରାଟ ପଟୁଆରରେ ଦେଶୀ ବେହେରାଙ୍କ ପରିବାର ସମେତ ପୂଜକମାନେ ଅସ୍ଥାୟୀ ପୀଠକୁ ଗମନ କରିଥିଲେ । ସେଠାରେ ପୁଣି ପୂଜାର୍ଚ୍ଚନା କରାଯାଇଥିଲା । ଅସ୍ଥାୟୀ ପୀଠରୁ ମା’ ପାଟଖଣ୍ଡା ଠାକୁରାଣୀଙ୍କୁ ଠାକୁରାଣୀ ଯାତ୍ରା ନିମନ୍ତେ ବରଣ କରିବା ପାଇଁ ମହାପଟୁଆର ଓ ଆଡମ୍ବର ସହକାରେ ମା’ ପାଟଖଣ୍ଡା ମନ୍ଦିରକୁ ସନ୍ଧ୍ୟା ପରେ ଯାଇଥିଲେ । ପ୍ରତିଦିନ ଶୋଭାଯାତ୍ରାରେ ବହୁଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଏହି ୨୧ ଦିନ ଭିତରେ ମା’ ବାଲିଗୁଡାର ବିଭିନ୍ନ ସାହି ପରିକ୍ରମା କରିବେ । ଏହି ଯାତ୍ରା ନିମନ୍ତେ ଆୟୋଜକ ସମିତି ଦ୍ୱାରା ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି ପଟୁଆରରେ ପୁରୀର ପ୍ରସିଦ୍ଧ ସାଇଜାତ, ବାଘଘୋଡା ନାଚ, ଆତସବାଜି ସହ ଅନେକ ପଟୁଆର ସାମିଲ ଥିଲେ । ମା’ ପାଟଖଣ୍ଡା ମନ୍ଦିରରେ ପହଁଚିବା ପରେ ମା’ପାଟଖଣ୍ଡାଙ୍କ ପାଖରେ ପୂଜାର୍ଚ୍ଚନା କରି ଆଜ୍ଞାମାଳ ଆସିବା ପରେ ପୁଣି ପଟୁଆରରେ ମା’ଙ୍କୁ ଅସ୍ଥାୟୀ ମଣ୍ଡପ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ତୃତୀୟ ଦିନରେ ମା’ଙ୍କ ପ୍ରଥମ ନଗର ପରିକ୍ରମା ଅସ୍ଥାୟୀ ପୀଠ ବରାଳ ଦେବୀ ମନ୍ଦିରରୁ ଏକ ବିରାଟ ପଟୁଆରରେ ବାହାରି ଷ୍ଟେଟ ବ୍ୟାଙ୍କ ଛକ, ହାଇସ୍କୁଲ ଛକ, ବନ୍ଧସାହି ଛକ ଓ ସାଇ ମନ୍ଦିର ଛକ ଦେଇ ସୁନାପାଙ୍ଗାରେ ପ୍ରବେଶ କରିଥିଲେ । ସେଠାରେ ଅଞ୍ଚଳର ମହାବୀର ସାଧକ ସୁରେଶ କୁମାର ପତିଙ୍କ ତତ୍ୱାବଧାନରେ ସମଗ୍ର ସାହି ପରିକ୍ରମା କରିବା ପରେ ସୁନାପାଙ୍ଗା ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ପ୍ରସ୍ତୁତ କରାଯାଇଥିବା ଅସ୍ଥାୟୀ ପୂଜନ ସ୍ଥଳରେ ପହଞ୍ଚି ସେଠାରେ ଯଥାରିତି ସହକାରେ ପୂଜାର୍ଚ୍ଚନା କରାଯାଇଥିଲା ଏଥିରେ ସାହିର ସମସ୍ତ ଭକ୍ତ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିଥିଲେ । ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ୨୬ ତାରିଖ ଚତୁର୍ଥ ଦିନ ଅର୍ଥାତ ନଗର ପରିକ୍ରମାର ଦ୍ୱିତୀୟ ଦିନ ଇଲେକ୍ଟ୍ରି ସାହିକୁ ଯିବାର ଥିବା ବେଳେ ୨୭ ତାରିଖ ମା’ଙ୍କର ବିଶ୍ରାମର ଦିନ ରହିଛି । ୨୧ ଦିନ ଧରି ଆୟୋଜିତ ହେଉଥିବା ଏହି ପୂଜାକାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ପୂଜକ ଶ୍ରୀକାନ୍ତ ପଣ୍ଡା, ସଂଜୟ କୁମାର ଦାସ, ନିଳକଣ୍ଠ ମିଶ୍ର, ଟୁଲୁ ପାଢି, ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ସମେତ ଅନ୍ୟ ପୂଜକମାନେ ପୂଜା କାର୍ଯ୍ୟରେ ସାମିଲ ଅଛନ୍ତି । ଆୟୋଜକ ସମିତିର ସଭାପତି ଲୋକନାଥ ପାଢୀ, ସମ୍ପାଦକ ଭଗବତୀ ପ୍ରସାଦ ସାବତ, ସହ ସମ୍ପାଦକ ସୁଜିତ କୁମାର ପାଳ, କୋଷାଧକ୍ଷ ଡି.ନାଗେଶ୍ୱର ରାଓ, ଏ.ଶ୍ରୀନିବାସ ଦୋରା, ମଦନ ମୋହନ ପାଢୀ, ଡଃ ଶୁଶାନ୍ତ କୁମାର ଦାସ, ପବିତ୍ର ମହନ ପାଢିଙ୍କ ସମେତ ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି ।

jittmm
Leave A Reply

Your email address will not be published.