ବଲାଙ୍ଗିର ପହଞ୍ଚିଲା ଭାରତ ଯୋଡୋ ଯାତ୍ରା

  • ଉଦ୍ଦେଶ୍ୟ ଓ ଲକ୍ଷ୍ୟ ପୂରଣ ଦିଗରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା- ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ଯୋଡୋ ଯାତ୍ରାର ଓଡିଶା ସଂସ୍କରଣ ଆଜି ବଲାଙ୍ଗିରକୁ ପହଞ୍ଚିଥିଲା । ସ୍ଥାନୀୟ ଗାନ୍ଧୀନଗରପଡା ସ୍ଥିତ ଗାନ୍ଧୀମୂର୍ତ୍ତି ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ଯାତ୍ରା ଶିବ ମନ୍ଦିର ଛକ, ପାଟଣା ହୋଟେଲ ଛକ, କଚେରି ଛକ, ଭାଗିରଥି ଛକ ଦେଇ ଦେଓଗାଁ ଅଭିମୁଖେ ବାହରି ଥିଲା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାରେ ଚାଲିଥିବା ଏହି ଭାରତ ଯୋଡ ଯାତ୍ରାରେ ଆଜି ବଲାଙ୍ଗିର ଠାରେ ଶହସ୍ରାଧିକ ବିଜେଡି ଦଳର ଲୋକ ଓ ସମର୍ଥକ କଂଗ୍ରେସ ଦଳରେ ଯୋଡି ହୋଇଛନ୍ତି ବୋଲି ଆଜି ଏହି ଯାତ୍ରାକୁ ସ୍ୱାଗତ ସମ୍ବର୍ଦ୍ଧନା ତଥା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଜଣାଇବା ପରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ସାରା ଦେଶରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରେ ଅଦ୍ଭୁତପୂର୍ବ ସଫଳତା ମିଳିବାରେ ଲାଗିଛି । ବିଭିନ୍ନତା ଭିତରେ ଏକତା ଆଣି କଂଗ୍ରେସର ଆଦର୍ଶ, ସମ୍ବିଧାନର ସୁରକ୍ଷା ଓ ଦେଶରେ ଏକ ଭାଇଚାରା ପରିବେଶ ସୃଷ୍ଟି ପାଇଁ ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରାରେ ଜାତି, ଧର୍ମ, ବର୍ଣ୍ଣ, ରାଜନୈତିକ ଚିନ୍ତାଧାରା ଏ ସବୁକୁ ଭୁଲିଯାଇ ଦେଶରେ ଅନେକ ରାଜନୈତିକଜ୍ଞ ବୁଦ୍ଧିଜୀବୀ, କଳାକାର, ରାହୁଲ ଗାନ୍ଧୀଙ୍କ ସହିତ କଂଗ୍ରେସ ଆଦର୍ଶରେ ଯୋଡି ହୋଇଯାଇଛନ୍ତି । ସ୍ୱାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମୟରୁ କଂଗ୍ରେସ ଦଳ ହିଁ ଲୋକଙ୍କୁ ଲୋକଙ୍କ ଭିତରେ ଯୋଡି ଦେଶକୁ ଏକଜୁଟ କରିଥିଲା । ୨୦୧୪ ପରବର୍ତ୍ତୀ ସମୟରେ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ସରକାର ଆସିବା ପରେ ଲୋକଙ୍କ ଭିତରେ ଆଉ ଏକତା ନାହିଁ । କେନ୍ଦ୍ର ସରକାର ଜାଣିଶୁଣି ସମ୍ବିଧାନ ଓ ସାମ୍ବିଧାନିକ ସଂସ୍ଥା ଭିତରେ ଅସ୍ଥିରତା ସୃଷ୍ଟି କରି ଚାଲିଛନ୍ତି । ଏପରି କି ସେମାନେ ନ୍ୟାୟ ପାଳିକାକୁ ମଧ୍ୟ ନିଜ ହାତ ବାରିଶି କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ତେଣୁ ଏହି ଭାରତ ଯୋଡ ଯାତ୍ରାର ମହତ୍ୱ ଲୋକ ବୁଝିବା ଦରକାର । ଏହି ଯାତ୍ରାକୁ ଓଡିଶାରେ ଏବଂ ବଲାଙ୍ଗିରରେ ଅଦ୍ଭୁତପୂର୍ବ ସଫଳତା ମିଳୁଛି । କେବଳ ବିଜେଡି ନୁହେଁ ବିଜେପି ଦଳରୁ ମଧ୍ୟ ଅନେକ ରାଜନୈତିକ ଲୋକ କଂଗ୍ରେସ ଦଳରେ ସାମିଲ ହୋଇଥିବାର ଶୁଣାଯାଉଛି ବୋଲି ଶ୍ରୀ ମିଶ୍ର ନିଜ ପ୍ରତିକ୍ରୟାରେ କହିଛନ୍ତି ।

Leave A Reply

Your email address will not be published.