
ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ବିଧାୟକଙ୍କ ଜରିଆରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ୧୦ଦଫା ଦାବୀପତ୍ର ପ୍ରଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ବର୍ଷ ବର୍ଷ ଧରି ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ଲାଗି ରହିଛି । ଏହାର ସ୍ଥାୟୀ ସମାଧାନ ପାଇଁ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଜରିଆରେ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗଙ୍କ ଉଦ୍ଦେଶ୍ୟରେ ଏକ ୧୦ଦଫା ଦାବୀପତ୍ର ପ୍ରଦାନ କରାଯାଇଛିଫ ଦାବିପତ୍ର ମୁତାବକ ମୁରିବାହାଲ ବ୍ଲକର ୨୨ଟି ପଞ୍ଚାୟତର ୧ ଲକ୍ଷ ୫୦ହଜାରରୁ ଅଧିକ ଜନସାଧାରଣ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ତିନିଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛନ୍ତି । କିନ୍ତୁ ଏହି ସ୍ଵାସ୍ଥ୍ୟକେନ୍ଦ୍ରଗୁଡିକରେ ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟା ଲାଗି ରହୁଥିବାରୁ ସାଧାରଣ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଦୂର ଦୁରାନ୍ତର ମେଡିକାଲକୁ ଯାଉଥିବା ଗୁରୁତର ଅଭିଯୋଗ ହେଉଛି । ମୁରିବାହାଲ ବ୍ଲକ ଅଞ୍ଚଳର ସ୍ଵାସ୍ଥ୍ୟ ସମସ୍ୟା ଗୁଡ଼ିକ ମଧ୍ୟରେ ବର୍ଷ ବର୍ଷ ଧରି ନିର୍ମାଣ ଚାଲିଥିବା ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କୋଠାକାମ ଶୀଘ୍ର ସମ୍ପୁର୍ଣ୍ଣ କରି ଏହାକୁ କାର୍ଯ୍ୟକ୍ଷମ କରାଯିବା, ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ରୋଗ, ଶିଶୁ ରୋଗ, ଦନ୍ତରୋଗ ଓ ମେଡିସିନ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦିଆଯିବା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ରକ୍ତ ଭଣ୍ଡାର(ବ୍ଲଡ଼ ବ୍ୟାଙ୍କ) କେନ୍ଦ୍ର ସ୍ଥାପନ କରାଯିବା, ଏଠାରେ ଏକ ଶବ ବ୍ୟବଚ୍ଛେଦ ଗୃହର ବ୍ୟବସ୍ଥା କରାଯିବା, ସିଏଚସି ଭଳି ବ୍ଲକ ଅଞ୍ଚଳର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ମଧ୍ୟ ୨୪ଘଣ୍ଟିଆ ଖୋଲାଯାଇ ଲୋକଙ୍କୁ ସ୍ଵାସ୍ଥ୍ୟସେବା ପ୍ରଦାନ, ବ୍ଲକ ଅଞ୍ଚଳର ସମସ୍ତ ଆୟୁଷ୍ମାନ ସ୍ଵାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରଗୁଡିକ ଠିକ୍ ସମୟରେ ଖୋଲାଯାଇ ସେଠାରେ ମହିଳା କର୍ମଚାରୀମାନେ ରହିବାର ବ୍ୟବସ୍ଥା କରାଯିବା, ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏମବିବିଏସ ଡ଼ାକ୍ତର ନିଯୁକ୍ତି ଦିଆଯିବା, ସିଏଚସିରେ ଦିଆଯାଉଥିବା ଜନ୍ମମୃତ୍ୟୁ ପ୍ରମାଣପତ୍ର ସଠିକ୍ ସମୟରେ ଲୋକଙ୍କୁ ଦିଆଯିବା, କେବଳ କାଗଜପତ୍ରରେ ଚାଲିଥିବା ବ୍ଲକ ଅଞ୍ଚଳର ସମସ୍ତ ଗାଁ କଲ୍ୟାଣ ସମିତିକୁ କାର୍ଯ୍ୟକ୍ଷମ କରାଯାଇ ଆସୁଥିବା ଅର୍ଥର ସୁବିନିଯୋଗ କରାଯିବା ଓ ସିଏଚସି ସମେତ ସମସ୍ତ ପିଏଚସିଗୁଡ଼ିକରେ ରୋଗୀମାନଙ୍କୁ ୨୪ଘଣ୍ଟିଆ ଆବଶ୍ୟକ ଚିକିତ୍ସା ଓ ଶୌଚାଳୟ ସୁବିଧା ନିଶ୍ଚିତ ପ୍ରଦାନ କରାଯିବା ଆଦି ଦାବୀ ରହିଛି । ଏହି ଦାବୀଗୁଡ଼ିକୁ ଅତି ଜରୁରୀମନେ କରି ସମାଧାନ କରିବାକୁ ଆସୋସିଏସନ୍ ପକ୍ଷରୁ ଦାବୀ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି ଓ ସିଡିପିଓ ପୂର୍ଣ୍ଣିମା ବୈଠାରୁ ଉପସ୍ଥିତ ଥିଲେ । ଏହାର ଏକକିତା ମୁରିବାହାଲ ସିଏଚସି ସୁପରିଟେଣ୍ଡନ ଡ. ଥବୀର ମେହେରଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା ।ମୁ ରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ସଭାପତି ଦୁର୍ଗାନନ୍ଦ ମହାକୁରଙ୍କ ନେତୃତ୍ୱରେ ଉପଦେଷ୍ଟା ଭଗବାନ ମହାନ୍ତି, କାର୍ଯ୍ୟକାରୀ ସଭାପତି ଖଗେଶ୍ୱର ସାହୁ, ଉପସଭାପତି ପ୍ରେମାନନ୍ଦ ତାଣ୍ଡି, ଗିରିଧାରୀ ସାହୁ, ସାଧାରଣ ସମ୍ପାଦକ ଜୟନ୍ତ କୁମାର ସାହୁ କୋଷାଧ୍ୟକ୍ଷ ନବୀନ କୁମାର ତାଣ୍ଡି, ହୃଦାନନ୍ଦ ବାଗଙ୍କ ସହ ଆସୋସିଏସନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।