jayashree

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା : ଦୋଷୀକୁ ୨୦ ବର୍ଷ ଜେଲ, ୨୦ ହଜାର ଟଙ୍କା ଜରିମାନା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଘଟଣାର ୧୫ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ଅଶୋକ ଓରଫ ଆଶିଷ କୁମାର ନାୟକକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ସ୍ଵତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୧୨/୧/୨୦୨୦ ତାରିଖ ଦିନ ୭ ଘଣ୍ଟା ସମୟରେ ନାବାଳିକା ଜଣକ ବଜାର କାମରେ ଯାଇଥିବା ବେଳେ ସେଠାରେ ନାବାଳିକା ଜଣଙ୍କୁ ଏକୁଟିଆ ସୁଯୋଗ ନେଇ ଅଭିଯୁକ୍ତ ଆଶିଷ କୁମାର ନାୟକ ବଳପୂର୍ବକ କେଉଁ ଆଡ଼େ ନେଇଯାଇଥିଲା ଏବଂ ସମସ୍ତଙ୍କୁ ପୀଡିତାକୁ ବିବାହ କରିଥିବା କଥା ପ୍ରଚାର କରିଥିଲା । କୌଣସି ସୂତ୍ରରୁ ପୀଡିତା ପରିବାର ଖବର ପାଇ କ.ନୂଆଗାଁ ଥାନାରେ ଏତଲା ଦେଇଥିଲେ । ଆହୁରି ମଧ୍ୟ ପରିବାର ଲୋକେ ଅଭିଯୁକ୍ତ ପୀଡ଼ିତାଙ୍କୁ ଡରାଇ ଧମକାଇ ତୁ ମୋତେ ବିବାହ ନକଲେ ତୋତେ ଜୀବନରୁ ମାରିଦେବି ଏବଂ ତୋର ପରିବାରକୁ ଛାରଖାର କରିଦେବି ବୋଲି ମଧ୍ୟ ଧମକ ଦେଇଥିବା ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ, ଥାନା କେସ୍ ନମ୍ବର ୦୩/୨୦ରେ ଏକ ମାମଲା ପୋକ୍ସୋ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା । ସେହି ମାମଲାର ବିଚାର କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି । ଏଥିସହିତ ଏହି ମାମଲାରେ ପୀଡ଼ିତାଙ୍କ ପରିବାରକୁ ଆଇନସେବା ପ୍ରାଧିକରଣ ତରଫରୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.