ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ୧୦୩ତମ ଜନ୍ମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଟାଉନ ବାଳିକା ବିଦ୍ୟାଳୟଠାରେ ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ୧୦୩ତମ ଜନ୍ମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ସ୍ମୃତିକମିଟିର ସଭାପତି ବିଶିଷ୍ଟ ଆଇନଜୀବୀ ଜୟରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ରାଜେନ୍ଦ୍ର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଭିମନ୍ୟୁ ମିଶ୍ର ଯୋଗଦେଇ ସାମ୍ପ୍ରତିକ ସମାଜରେ ଧୀରେ ଧୀରେ ଆତ୍ମ କେନ୍ଦ୍ରିକ ହୋଇଯାଉଥିବା ମଣିଷ ନିଜ ଜୀବନକୁ ପରହିତ ପାଇଁ ଉସର୍ଗ କଲେ ଆତ୍ମଶାନ୍ତି ପାଇବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବରେ ଶିକ୍ଷୟତ୍ରୀ ସୁଶ୍ରୀ ମମତା ସ୍ୱାଇଁ ପ୍ରଭାକର ରଥଙ୍କ ସେବାଯାତ୍ରା ଓ ଆଦର୍ଶରେ ଆମେ ଅନୁପ୍ରାଣିତ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଆରମ୍ଭରେ କବି ରତ୍ନମୟ ତ୍ରିପାଠୀ ଅତିଥି ମାନଙ୍କୁ ମଞ୍ଚକୁ ଆହ୍ୱାନ ଓ ପରିଚୟ ପ୍ରଦାନ ପରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ଓ ସୁଶ୍ରୀ ପ୍ରିୟା ମିଶ୍ରଙ୍କ ସ୍ୱାଗତ ସଂଗୀତ ପରେ ମଞ୍ଚ ପରିଚାଳନା କରିଥିଲେ ସମ୍ପାଦକ ମଧୁ ସାହୁ । ଏହି ଅବସରରେ ଚୁଡାପାଲିର ବିଶିଷ୍ଟ ସମାଜସେବୀ ଲୋକନାଥ କୁମୁରାଙ୍କୁ ବାଧିତ ଜନବନ୍ଧୁ ପ୍ରଭାକର ରଥ ସେବା ସମ୍ମାନ ୨୦୨୩ ପ୍ରଦାନ କରାଯାଇଥିଲା । ମାନପତ୍ର ପଢିଥିଲେ ଜ୍ୟୋତିରାଣୀ ମିଶ୍ର । ଆବାହକ ତଥା ସ୍ୱର୍ଗତ ରଥଙ୍କ ସୁପୁତ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ଚୂଡେଦ୍ର ବେହେରା, ସୁନାଧର ବନଛୋର, ହୃଷିକେଶ ପୁରୋହିତ, ଧୀରେନ୍ଦ୍ର ନାରାୟଣ ସିଂଦେଓ, ଅରୁଣ ଖୁଆସ ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ କସ୍ତୁରୀ ରଥ । ଏହି କାର୍ଯ୍ୟକ୍ରମରେ ସହରର ଅନେକ ବୁଦ୍ଧିଜୀବୀ, ସମାଜସେବୀ, ଶିକ୍ଷକ ଓ ସାମ୍ବାଦିକ ଯୋଗଦେଇଥିଲେ ।

Leave A Reply

Your email address will not be published.