ମୁରିବାହାଲ ବ୍ଲକସ୍ତରୀୟ ମନରେଗାର ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ

  • ଅନୁପସ୍ଥିତ ଅଧିକାରୀଙ୍କୁ ବିଧାୟକଙ୍କ କୈଫିୟତ ତଲବ ନିର୍ଦ୍ଦେଶ
  • ବ୍ରାହ୍ମଣୀ ଅଙ୍ଗନୱାଡ଼ି କେନ୍ଦ୍ର ଅସମ୍ପୁର୍ଣ୍ଣ ନେଇ ପିଇଓ,ଜେଇ ଓ ଠିକାଦାରଙ୍କୁ ତାଗିଦ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ମନରେଗାର ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଜନଶୁଣାଣି ଶିବିରର ଆବାହକ ତଥା ବ୍ଲକ ବିଡ଼ିଓ ପୂର୍ଣାନନ୍ଦ ପଟେଲଙ୍କ ସଭାପତିତ୍ୱରେ ଓ ଏପିଓ ବସନ୍ତ ବଳିଆର ସିଂଙ୍କ ସଂଯୋଜନାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବୈଠକରେ ଅନୁପସ୍ଥିତ ଥିବା ଅଧିକାରୀଙ୍କୁ କୈଫିୟତ ତଲବ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ବିଧାୟକ ଶ୍ରୀ ବାଗ ଲଖନା ପଞ୍ଚାୟତ ବ୍ରାହ୍ମଣୀ ଅଙ୍ଗନୱାଡ଼ି କେନ୍ଦ୍ର ଦୀର୍ଘ ବର୍ଷ ହେବ ଅସମ୍ପୂର୍ଣ୍ଣ ଥିବାକୁ ନେଇ ଦାୟିତ୍ୱରେ ଥିବା ପିଇଓ,ଜେଇ ଓ ଠିକାଦାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଏଥିରେ ଡେପୁଟି କଲେକ୍ଟର ହରେକୃଷ୍ଣ ମେହେର, ଡିଏସଏ ଅମିତାଭ ମେଣ୍ଡଲି, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଜିପିଡିଓ ଗଙ୍ଗାଧର ଛତର ଯୋଗ ଦେଇଥିଲେ । ଏଡିଇଓ ନିଗମାନନ୍ଦ ଦାସ ଅତିଥି ପରିଚୟ ଓ ସ୍ୱରଚିତ କବିତା ପାଠ କରିଥିବା ବେଳେ ଏଡିଇଓ ରୋହିତ ସାହୁ ସମସ୍ତ ପଞ୍ଚାୟତର ମନରେଗା ତଥ୍ୟ ଉପସ୍ଥାପନ କରିଥିଲେ । ଏହା ପରେ ଲାଇନ ବିଭାଗରୁ ଜଙ୍ଗଲ ବିଭାଗ ଫରେଷ୍ଟର ନୁତମଣି ମହାନନ୍ଦ ଓ ଉଦ୍ୟାନ ବିଭାଗ ପକ୍ଷରୁ ଏଏଚଓ ମନବୋଧ ମାଝୀ ନିଜ ବିଭାଗର ତଥ୍ୟ ଉପସ୍ଥାପନ କରିଥିଲେ । ବ୍ଲକ ସାମାଜିକ ସମୀକ୍ଷକ ଟଙ୍କଧର ବଛା ବୁଲିଥିବା ବିଭିନ୍ନ ପଞ୍ଚାୟତର ମନରେଗା ତଥ୍ୟ ଉପସ୍ଥାପନ କରିଥିଲେ । ବ୍ଲକ ବିକାଶ ମଞ୍ଚ ସଭାପତି ଫାଲଗୁନି ହାତୀ ମନରେଗା ଶ୍ରମିକଙ୍କୁ ଠିକ୍ ସମୟରେ ପାଉଣା ମିଳୁନଥିବାରୁ ବାଧ୍ୟ ହୋଇ ସେମାନେ ଦାଦନ ଖଟିବାକୁ ଯାଉଛନ୍ତି ବୋଲି ଗୁରୁତର ଅଭିଯୋଗ କରିଥିଲେ । ମନରେଗାରେ ୩ ଶହ ଦିନ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ଶ୍ରମିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀମାନେ ବୈଠକରେ ଅନୁପସ୍ଥିତ ଥିଲେ । ଏହି ଜନଶୁଣାଣିରେ ବ୍ଲକର ସମସ୍ତ ପିଇଓ, ଜିଆରଏସ, ଗାଁସାଥୀ, ଭିଆରପି, ଗଣମାଧ୍ୟମ ପ୍ରତିନିଧି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଓଏଲଏମ ବିପିଏମ ଡଃ. ଗୋପାଳକୃଷ୍ଣ ଦୀପ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!