ସେମିଳିଗୁଡାରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ୧୭ ଗୋଟି ଗ୍ରାମ ପଞ୍ଚାୟତର ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ସମୁଦାୟ ୮୫ଟି ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ମିଶନ ଶକ୍ତି (ଏସ୍‌ଏଚ୍‌ଜି) ଗ୍ରୁପକୁ ୧ କୋଟି ୨୨ ଲକ୍ଷ ଚେକ୍‌ ଦେବା ସହ ଭିନ୍ନକ୍ଷମ ଦିବ୍ୟାଙ୍ଗଙ୍କୁ ହୁଇଲ ଚେୟାର ଏବଂ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ । ପରିଶେଷରେ ୧୭ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ, ସଭ୍ୟା, ସହକାରୀ ନିର୍ବାହୀ ଯନ୍ତ୍ରୀ ସୃଷ୍ଟି ସ୍ୱାଶିନୀ ମଲ୍ଲିକ କାର୍ଯ୍ୟର ଅବହେଳା କରୁଥିବା ନେଇ ତାଙ୍କ ବିରୋଧରେ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକାର, କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉପସ୍ଥିତ ଥିବା ବେଳେ ବ୍ୟକ୍ତିଗତ ଓ ସାମୁହିକ ଅଭିଯୋଗର ବିଚାର କରାଯାଇଥିଲା । ଅଭିଯୋଗ ଗୁଡ଼ିକ ମଧ୍ୟରେ ପଞ୍ଚାୟତ ବ୍ଲକ ବିଭାଗର ରାସ୍ତା ଗୁଡିକର ଦୂରବସ୍ଥା ଓ ନୂତନ ରାସ୍ତା ନିର୍ମାଣ, ଅସମ୍ପୂର୍ଣ୍ଣ ଅଙ୍ଗନବାଡ଼ି କେନ୍ଦ୍ର ଗୃହ ଗୁଡ଼ିକର ନିର୍ମାଣ, ମନରେଗା ଯୋଜନାରେ ଥିବା ଅସୁବିଧା, ପାନୀୟ ଜଳର ସମସ୍ୟା, ବିଗତ ଶିକ୍ଷାବର୍ଷରେ ସମସ୍ତ ଅଭିଯୋଗର ବିଚାର କରି ଉପସ୍ଥିତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀଙ୍କୁ ତର୍ଜମା କରିବା ସହ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ ନିର୍ଦ୍ଦେଶ ଦେଇଥିଲେ । ଜନ ଶୁଣାଣି ଶିବିରରେ ସେମିଳିଗୁଡା ବିଡିଓ ଜସ୍ମିନ କୁମାର ପ୍ରଧାନ ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟାବିରିଆ, ସେମିଳିଗୁଡା ଆଇଆଇସି ସଚିନ୍ଦ୍ରା ପ୍ରଧାନ, ଜିଲ୍ଲାର ପ୍ରତ୍ୟେକ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.