oum

କନ୍ଧମାଳର ବିଭିନ୍ନ ସ୍ଥାନରେ ମାଓବାଦୀ ପୋଷ୍ଟର : ଜନସାଧାରଣ ଭୟଭୀତ

jsm

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମେରବନ୍ଧ ଏବଂ ଗୋଛାପଡା ଥାନା ଅଧୀନ କ୍ରାଣ୍ଡିବାଲି, ପକାରୀ ସହ ବିଭିନ୍ନ ସ୍ଥାନରେ ମାଓବାଦୀ ପୋଷ୍ଟର ପଡ଼ିଥିବା ଦେଖିବାକୁ ମିଳିଛି । କିଛି ଦିନର ନୀରବତା ପରେ ମାଓବାଦୀ ସଂଗଠନ ଏହି ଅଞ୍ଚଳରେ ପୁଣି ଥରେ ପୋଷ୍ଟର ମାରି ନିଜର ସ୍ଥିତି ଜାହିର କରିଛନ୍ତି । ଏହି ପୋଷ୍ଟର ପଡିବା ପରେ ଅଞ୍ଚଳରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ଗତ ଫେବୃଆରୀ ୫ ତାରିଖ ଦିନ ଗୋଛାପଡା ଥାନା କଙ୍ଗେରିକିଆ ଗାଁରେ ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିବା ଦୁର୍ଦ୍ଦାନ୍ତ ମାଓବାଦୀ ଦଶରୁକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଗତ ଫେବୃଆରୀ ୩ ତାରିଖ ଦିନ ମାଓବାଦୀ ଦଶରୁ ଏକ ଟିମ୍‌ ସହ କଙ୍ଗେରିକିଆ ଗାଁକୁ ଆସିଥିବା ବେଳେ ଆଗରୁ ପ୍ରସ୍ତୁତ ଥିବା ପୁଲିସ ତା’କୁ ଜୀବନ୍ତ ଧରିଥିଲା ଓ ଫେବୃୟାରୀ ୫ ତାରିଖରେ ପୁଲିସ ତା’କୁ ହତ୍ୟା କରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ଦଶରୁର ମାଓବାଦୀ ସଂଗଠନ ପ୍ରତି ଅବଦାନ ବ୍ୟର୍ଥ ଯିବନାହିଁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ପୋଷ୍ଟର ପଡିବା ପରେ ଏହି ଅଞ୍ଚଳ ଗୁଡ଼ିକରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅଞ୍ଚଳବାସୀଙ୍କୁ ଭୟଭୀତ ନହେବା ପାଇଁ ଫିରିଙ୍ଗିଆ ଓ ଗୋଛାପଡା ପୁଲିସ ପକ୍ଷରୁ ନିବେଦନ କରାଯାଇଛି ।

Leave A Reply

Your email address will not be published.