
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପବିତ୍ର ଜନରାଜ୍ୟ ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣାରେ ପ୍ରତିଷ୍ଠିତ ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ପଲିଥିନକୁ ‘ନା’ କର୍ମଶାଳା ଡେଲାଙ୍ଗ ବଜାର ସ୍ଥିତ ଓମ ମେଡ଼ିସିନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ କବି ଡାକ୍ତର କ୍ଷେତ୍ରବାସୀ ପ୍ରଧାନ ଓ ପରିବେଶ ପ୍ରେମୀ, କବି, ଲେଖକ ତଥା ଶିଶୁସାହିତ୍ୟିକ ଆଇନଜୀବୀ ହୃଷୀକେଶ ପାଢ଼ୀ ଏହି ପରିବେଶ ସୁରକ୍ଷା ବ୍ୟାନରକୁ ସର୍ବସମ୍ମୁଖରେ ଲୋକାର୍ପଣ କରି କହିଥିଲେ ଯେ – ” ପଲିଥିନ ଯେଉଁ ଉପାଦାନରେ ତିଆରି ହେଉଛି ତାହା ବ୍ୟବହାର ପରେ ମାଟିରେ ମିଶୁନାହିଁ” । ଏହାର ଜୈବବିଘଟନ ଘଟୁନଥିବାରୁ ମାଟିର ଜୈବବିବିଧତା ନଷ୍ଟ ହେଉଛି ଯାହାକି ପରିବେଶ ପ୍ରତି ଘୋର ବିପଦ ସୃଷ୍ଟି କରୁଛି । ସରକାର ପଲିଥିନ ବ୍ୟବହାରକୁ ସର୍ବଦା ବାରଣ କରି ଆସୁଥିଲେ ମଧ୍ୟ ଜନସଚେତନତା ଅଭାବରୁ ଏହା ଆଶାନୁରୂପ ଫଳପ୍ରଦ ହୋଇପାରୁନାହିଁ । ଯଦି ଏହି ପଲିଥିନ ବ୍ୟବହାର ବନ୍ଦ ନ ହୁଏ ଆଗାମୀ କିଛି ବର୍ଷ ମଧ୍ୟରେ ପୃଥିବୀ ପୃଷ୍ଠରେ କେବଳ କୁଢ଼ କୁଢ଼ ପଲିଥିନ ହିଁ ଦେଖିବାକୁ ମିଳିବ । ଏହି ଅବସରରେ ସୁସ୍ଥ ପରିବେଶ ପାଇଁ ପଲିଥିନକୁ ସଂପୂଣ୍ଣ ନିଷେଧ କରିବା ସହ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ସଂକଳ୍ପ କରାଇଥିଲେ । ପରେ ପରେ ଏହି ସଚେତନତା ବ୍ୟାନରଟିକୁ ଧରି ଡେଲାଙ୍ଗ ବଜାର ପରିକ୍ରମା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୋମନାଥ ସେନାପତି, ରାଜକିଶୋର ମନୋହାରୀ, ମାଧବ ମଲ୍ଲିକ, ଲମ୍ବିତା ଜେନା, ଜକେଶ ସେନାପତି ପ୍ରମୁଖ ସହଯୋଗ କରିଥିଲେ ।