ବଲାଙ୍ଗିର, (କେପିଏନ୍ଏସ୍) : ସେପ୍ଟେମ୍ବର ମାସ ପାଇଁ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି ସୂଚୀ ଅନୁସାରେ ଆଜି ଖପ୍ରାଖୋଲ ବ୍ଲକ ଅଫିସର ସଭା ଗୃହରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଛି । ବ୍ଲକ ଅଫିସରେ ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରି, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ପାଟଣାଗଡ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଜନଶୁଣାଣି କରିଥିଲେ । ବ୍ଲକ ଚେୟାରମ୍ୟାନ ନିରୂପମା ପଟେଲ ମଧ୍ୟ ଉପସ୍ଥିତ ଥିଲେ । ସମସ୍ୟାମୂଳକ ମୋଟ ୯୨ଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ତନ୍ମଧ୍ୟରୁ ୮୧ ଗୋଟି ବ୍ୟକ୍ତିଗତ ଅଭିଯୋଗମୂଳକ ଦରଖାସ୍ତ ହୋଇଥିବା ବେଳେ ଅବଶିଷ୍ଠ ୧୧ ଗୋଟି ସାମୁହିକ ଦରଖାସ୍ତ ଦାଖଲ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଜନସାଧାରଣଙ୍କ ଏହି ସମସ୍ତ ଅଭିଯୋଗ ଓ ସମସ୍ୟାଗୁଡିକର ଶୁଣାଣି କରିଥିଲେ । ଖପ୍ରାଖୋଲ ବ୍ଲକ ଅଫିସରେ ୧୭ଟି ଅଭିଯୋଗର ଶୁଣାଣିର ସମାଧାନ ତୁରନ୍ତ କରାଯାଇଥିଲା । ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।