
ରାଉରକେଲା, (ସସ୍ମିତା ପ୍ରଧାନ) : ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ରାଉରକେଲାରେ ଅନୁଷ୍ଠିତ ହୋଇଯାଇଛି । ଆଜି ରାଉରକେଲାର ଉଦିତନଗର ପଡିଆ ସମେତ ୧୦ ଟି ସ୍ଥାନରେ ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା । ଏହି ଅବସରରେ ଉଦିତନଗର ପଡିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି ଉପସ୍ଥିତ ରହି ୨୫ ଜଣ ହିତାଧିକାରୀ ମାନଙ୍କୁ ସ୍ୱାସ୍ଥ୍ୟସେବା କାର୍ଡ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ଡା ଶକ୍ତି ପ୍ରକାଶ ପାଢୀ, ଡା ଶିବାଜୀ ସେନାପତି ସମେତ ବିଭାଗୀୟ ଅଧିକାରୀ, ବହୁ ସଂଖ୍ୟାରେ ଜନସାଧାରଣ ଏବଂ ହିତାଧିକାରୀ ଉପସ୍ଥିତ ଥିଲେ । ସେହିପରି ଲାଠିକଟା ବ୍ଲକ ଅଞ୍ଚକରେ ଥିବା ବାଲିଯୋଡି ସ୍ଥିତ ମିନି ଷ୍ଟାଡିୟମରେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗ ଦେଇ ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟନ କରିଥିଲେ । ଏହା ବ୍ୟତୀତ ନୂଆ ଗାଁ, ବିଶ୍ରା, ଲାଠିକଟା, କୁଆରମୁଣ୍ଡା ବ୍ଲକର ପିଏଚସି ମାନଙ୍କରେ ମଧ୍ୟ ଏହି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା । ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ହିତାଧିକାରୀ ପରିବାର ପିଛା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯିବା ବେଳେ ପରିବାରର ମହିଳା ହିତାଧିକାରୀଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ପ୍ରଦାନ କରାଯିବ ।