om academy

ବଲାଙ୍ଗିର ପ୍ରତି ରେଳମନ୍ତ୍ରାଳୟ ବୈମାତୃକ ମନୋଭାବ : ଜନ ଆକ୍ରୋଶ ସମାବେଶରେ ଗର୍ଜିଲେ କଂଗ୍ରେସ ନେତା

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ସରକାର କରିବାର ୭ ବର୍ଷ ବିତିଲା । ସେମାନେ ଦେଇଥିବା ଗୋଟିଏ ବି ପ୍ରତିଶୃତି ପୂରଣ ହୋଇନାହିଁ । ତୈଳଦର ବୃଦ୍ଧି, କଳାକୃଷି ଆଇନ, ଦରଦାମ ବୃଦ୍ଧି, ଲାଭଜନକ ସରକାରୀ ଉଦ୍ୟୋଗର ଘରୋଇକରଣ, ରୋଜଗାର ସୃଷ୍ଟି କରିବାରେ ସରକାର ବିଫଳତା ଇତ୍ୟାଦି ସମସ୍ୟାରେ ସାରା ଦେଶର ଲୋକେ ଅତିଷ୍ଟ ହୋଇଗଲେଣି, କିନ୍ତୁ ନିଜର ଦୋଷ ଦୁର୍ବଳତାକୁ ଲୁଚେଇବା ପାଇଁ ଭାରତୀୟ ଜନତା ପାର୍ଟି ସରକାରରେ ଥିବା ବିଭିନ୍ନ ମନ୍ତ୍ରୀମାନଙ୍କୁ ବିଭିନ୍ନ ଅଂଚଳକୁ ନେଇ ଜନ ଆଶିର୍ବାଦ ଯାତ୍ରା କରୁଛି, କିନ୍ତୁ ଦେଶର ଲୋକେ ଠିକ୍ ବୁଝି ଗଲେଣି । କେନ୍ଦ୍ର ସରକାରରେ ଥିବା ବିଭିନ୍ନ ମନ୍ତ୍ରୀ ଯେତେ ଆଶିର୍ବାଦ ଯାତ୍ରା କଲେ ମଧ୍ୟ ତାହା ନିଶ୍ଚିତ ଭାବେ ଜନ ଆକ୍ରୋଶରେ ହିଁ ପରିଣତ ହେବ ବୋଲି ଆଜି କେନ୍ଦ୍ରୀୟ ରେଳମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ପୂର୍ବରୁ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଅନୁଷ୍ଠିତ ହୋଇଥିବା ଜନ ଆକ୍ରୋଶ ସମାବେଶରେ ଦଳର ଜିଲ୍ଲା ସଭାପତି ଦିଲିପ ବେହେରା ରେଳ ମନ୍ତ୍ରୀଙ୍କୁ ଟାର୍ଗେଟ କରି ନିଜର ବକ୍ତବ୍ୟ ରଖିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ମହାମାରୀର ପ୍ରଥମ ଓ ଦ୍ୱିତୀୟ ଲହର ଯୋଗୁଁ ତଥା ସରକାରଙ୍କ କରୋନା ବିରୁଦ୍ଧ ଲଢେଇର ଭୁଲ ପରିଚାଳନା ଯୋଗୁଁ ଦେଶର ଅନେକ ଲୋକ ନିଜର ଆତ୍ମୀୟ ସ୍ୱଜନଙ୍କୁ ହରାଇବା ସହ ସମଗ୍ର ଦେଶବାସୀ ଆର୍ଥିକ ସ୍ତରରେ ଅନେକ କ୍ଷତି ସହିଛନ୍ତି । ଏପରିକି ଖଟିଖିଆ ଦିନମଜୁରିଆ, କମ୍ ଆୟ କରୁଥିବା ଲୋକେ ଦୁଇ ବେଳା ଖାଇବା ପାଇଁ ପାଉ ନାହାନ୍ତି । ଏପରି ସ୍ଥଳେ ଭାରତୀୟ ଜନତା ପାର୍ଟିର ନେତାମାନେ ସରକାରୀ ପଇସାରେ ଜନ ଆଶିର୍ବାଦ ଯାତ୍ରା ଦେଶର କୋଟି କୋଟି ଗରିବ, ଖଟିଖିଆ, ସାଧାରଣ ଜନତାଙ୍କର ଅସହାୟତା ଉପରେ ଉପହାସ ବୋଲି ସେ ଆକ୍ଷେପ କରିଛନ୍ତି । ତେଣୁ ଏପରି ଆଶିର୍ବାଦ ଯାତ୍ରା ଏବଂ ଏହି ଯାତ୍ରାର ପୁରୋଧା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଶ୍ଚିତ ଭାବେ ବଲାଙ୍ଗିର ଜିଲ୍ଲାବାସୀଙ୍କର ଆକ୍ରୋଶର ଶିକାର ହେବେ ବୋଲି ସଭାପତି ଶ୍ରୀ ବେହେରା କହିଛନ୍ତି ।

ଆଜିର ଏହି ସମାବେଶ ଜିଲ୍ଲା କଂଗ୍ରେସ କମିଟିର ମୁଖପାତ୍ର ସାନନ୍ଦ ମିଶ୍ର ସଂଯୋଜନା କରିଥିବା ବେଳେ ଆକ୍ରୋଶ ସମାବେଶରେ ଉପସ୍ଥିତ ଥିବା ପିସିସି ସଂପାଦକ ଉମାଶଙ୍କର ପଣ୍ଡା, ସଂପାଦକ ଅଜୟ ବାଲି, ଜିଲ୍ଲା-ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଉମାକାନ୍ତ ସାହୁ, ରାମଜୀ ଚୈାଧୁରୀ, ମନମୋହନ ପଟେଲ, ସୋମନାଥ ପଟେଲ, ସେବାଦଳ ମୁଖ୍ୟ ଅସୀତ ମିଶ୍ର, ନଗର ସଭାପତି ବୁଲୁ ଦାନୀ, ଯୁବ ସଭାପତି ପ୍ରେମ ପ୍ରକାଶ ମିଶ୍ର, ଛାତ୍ର ସଭାପତି ଅଙ୍କିତ ସାହୁ, ବ୍ୟାସଦେବ ନନ୍ଦ, ରାମ ପ୍ରସାଦ ମିଶ୍ର, ଅରବିନ୍ଦ ସାହୁ ପ୍ରମୁଖ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୁଦ୍ଧରେ ବକ୍ତବ୍ୟ ରଖିଥିଲେ । ଏହା ସହ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ଏକ ୫ଦଫା ଦାବୀ ଯଥା ବଲାଙ୍ଗିର-ଖୋର୍ଦ୍ଧା ରେଳପଥ ୨୦୨୩ ଭିତରେ ସମ୍ପୁର୍ଣ୍ଣ କରିବା, କଣ୍ଟାବାଞ୍ଜିରେ ଥିବା ରେଳ ବିଭାଗର ୭୦୦ଏକର ଜମିରେ ରେଳ ୱାଗନ ଫେକ୍ଟ୍ରି ନିର୍ମାଣ କରିବା, ବଲାଙ୍ଗିର ଭାୟା ପାଟଣାଗଡ ଦେଇ ନୂଆପଡା ଦେଇ ନୂତନ ରେଳ ଲାଇନ ବିଛାଇବା, ଟିଟିଲାଗଡରେ ଏକ ଅଟୋମେଟିକ୍ ରେଲୱେ ୱାସିଂ ପ୍ଲାଣ୍ଟର ସ୍ଥାପନ କରିବା ଏବଂ ବଲାଙ୍ଗିରରୁ ଦେଶର ରାଜଧାନୀ ଦିଲ୍ଲୀକୁ ଏକ ଏକ୍ସପ୍ରେସ ଟ୍ରେନ ଆରମ୍ଭ କରିବାକୁ ନେଇ ଏକ ଦାବୀପତ୍ର ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରାଯାଇଛି । ତା’ ସହ ଏହା ପୂରଣ ନ ହେଲେ ଆଗାମୀ ଦିନରେ ବଲାଙ୍ଗିରବାସୀ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନଙ୍କୁ ଜିଲ୍ଲା ଭିତରେ ତୀବ୍ର ବିରୋଧ କରିବେ ବୋଲି କଂଗ୍ରେସ ଦଳ ତରଫରୁ ଚେତାବନୀ ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ମୀରା ମଣ୍ଡଳ, ବବିତା ସାହୁ, ଅନିତା ସେଠ, ବ୍ଲକ ଉପାଧ୍ୟକ୍ଷ ଯଶୋବନ୍ତୀ ବଘାର, ସବିତା ଶତପଥି, ପୂର୍ବ ବ୍ଲକ ଅଧ୍ୟକ୍ଷ ହୃଦାନନ୍ଦ ଭୋଇ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ଚନ୍ଦ୍ରମଣି ତ୍ରିପାଠି, କାନ୍ତେଶ୍ୱର ପ୍ରଧାନ, ଝୁପଲୁ ମହାନ୍ତି, ଟୁଲୁ ସେନ, ହରି ନନ୍ଦ, ଅଜିତ ମହାନନ୍ଦ, ଅଶ୍ୱିନୀ ସାହୁ, ଅଭିନାଶ ସାଏ, ଲୋପନ ମିଶ୍ର, ନାସିର ଖାନ, ସାଧୁ ମେହେର, ଅଖଣ୍ଡ ସେଠ, ଆର୍ତ୍ତ ଘିଭେଲା, ଦଳିତ ନେତା ଜ୍ୟୋତିଷ ମୁଗ୍ରୀ, ମନବୋଧ ହରପାଲଙ୍କ ସମେତ ସହସ୍ରାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.