ଜିଲ୍ଲାରେ ଦଣ୍ଡନୃତ୍ୟକୁ ଅନୁମତି ଦେବାକୁ ଜନ ଅଧିକାର ସୁରକ୍ଷା ମଞ୍ଚର ଦାବୀପତ୍ର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ଦଣ୍ଡନୃତ୍ୟର ଉତ୍ପତ୍ତିସ୍ଥଳ ଓ ଏ ଅଂଚଳର ଆଧ୍ୟାତ୍ମିକ ଭାବଧାରା ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ । କରୋନା ଯୋଗୁଁ ଗାଆଁକୁ ଗାଆଁ ଯାଇ ଦଣ୍ଡ ନୃତ୍ୟ କରିବା ଉପରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଗତ ୧୮ ତାରିଖରେ ଲଗାଇଥିବା ପ୍ରତିବନ୍ଧକ ଉପରେ ଅସନ୍ତୋଷ ପ୍ରକାଶ କରିଛି ବୌଦ୍ଧ ଜିଲ୍ଲା ଜନ ଅଧିକାର ସୁରକ୍ଷା ମଞ୍ଚ । ଜିଲ୍ଲାପାଳ ତାଙ୍କ ଆଦେଶର ପୁନଃବିଚାର କରି ଦଣ୍ଡ ଯାତ୍ରାକୁ ଅନୁମତି ଦେବାକୁ ଅନୁରୋଧ କରିଛି ମଞ୍ଚ କ୍ଷ ଜନ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଅବଦୁଲ୍ ହଲିମ୍ ଖାନ୍ ଓ ଆବାହକ ସତ୍ୟଜିତ କୁମାର ପଣ୍ଡାଙ୍କ ନେତୃ‌ତ୍ୱରେ ଦଣ୍ଡ ଯାତ୍ରା ଆୟୋଜକ ମାନଙ୍କ ସହ ଜିଲ୍ଲାପାଳଙ୍କ ଆବାସିକ କାର୍ୟ୍ୟାଳୟକୁ ଯାଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ବ୍ୟକ୍ତିଗତ ସହାୟକଙ୍କୁ ଏକ ୫ ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି ।

ଜନ ଅଧିକାର ସୁରକ୍ଷା ମଞ୍ଚ କହିଛି ଦଣ୍ଡ ଯାତ୍ରା ବନ୍ଦ ହେଲେ ଶୈବ ପୀଠର ସେବାୟତ, କଳାକାର ଓ ଭକ୍ତଙ୍କ ଜୀବନ ଜୀବିକା ଏବଂ ଆଧ୍ୟାମିିକ ଭାବନାରେ ସଂକଟ ଆସିବ । ସେହିପରି ଭକ୍ତ ମାନଂକ ଅଭୀଷ୍ଟ ପୁରଣ ପରେ କିମ୍ବା ମାନସିକ ରଖି ଦଣ୍ଡକୁ ବରଣ କରି ଦେବ ଋଣ ପରିଶୋଧ କରିବାର ବିଶ୍ୱାସ ରଖିଥାନ୍ତି । ଦଣ୍ଡ ନ ରଖିଲେ ନିଜ ପୁଅ ଝିଅଙ୍କ ବିବାହ କାର୍ୟ୍ୟ କରନ୍ତି ନାହିଁ । ସେଥିପାଇଁ ସେମାନଙ୍କ ମାଙ୍ଗଳିକ କାର୍ୟ୍ୟରେ ବିଳମ୍ବ ଘଟୁଛି । ଏହା ସହିତ ମଞ୍ଚ କହିଛି ଜିଲ୍ଲାରେ ବହୁ ଲୋକ ସମାଗମରେ ବିବାହ, ବ୍ରତ, ମାଙ୍ଗଳିକ କାର୍ୟ୍ୟ, ମୃତାହ କାର୍ୟ୍ୟ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ସଭା / ସମାବେଶ ହୋଇ ପାରୁଥିବା ବେଳେ ଦଣ୍ଡ ଯାତ୍ରାକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି । ଗଞ୍ଜାମ ଭଳି କରୋନାର ହଟସ୍ପଟ୍ ଜିଲ୍ଲାରେ ଜିଲ୍ଲାପାଳ ଦଣ୍ଡଯାତ୍ରାକୁ ଅନୁମତି ଦେଇଥିବା ବେଳେ ବୌଦ୍ଧ ଜିଲାରେ ବନ୍ଦ କରାଯିବା ଦଣ୍ଡ ଯାତ୍ରା ସହ ସମ୍ପୃକ୍ତ ଥିବା ଲୋକଙ୍କୁ ନିରାଶ କରିଛି ବୋଲି ମଞ୍ଚ ଦାବୀ କରିଛି । ୨୦୦ ଲୋକଙ୍କ ସମାଗମରେ ଓ କୋଭିଡ୍ ପ୍ରୋଟୋକଲ୍ ମଧ୍ୟରେ ଦଣ୍ଡ ଯାତ୍ରାକୁ ଅନୁମତି ପ୍ରଦାନ କରାଯାଉ ଓ ଦଣ୍ଡ ସୁଆଙ୍ଗ ମଝିରେ ମଝିରେ କରୋନା ସଚେତନତା ବାର୍ତ୍ତା ଗାଆଁ ଗାଆଁରେ ପ୍ରଚାର ସୁଯୋଗ ସୃଷ୍ଟି କରାଯାଉ ବୋଲି ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଆଇନ୍ ପରାମର୍ଶ ଦାତା ପରଦେଶୀ ବେହେରା, ଦଣ୍ଡଯାତ୍ରା ଆୟୋଜକ ତ୍ରିନାଥ ଖମାରୀ (ମାନେଶ୍ୱର), ହୃଦାନନ୍ଦ ଦେହୁରୀ (ଚଣ୍ଡିଗଡ), ତରଣି ସେନ୍ ବଡମାଳୀ (ବଲାକିରା), ସୁବାଷ ଖମାରୀ (ଚାରିଶମ୍ଭୁ) ସ୍ୱପ୍ନେଶ୍ୱର ବଡମାଳୀ (ଭୈରବୀ), ତରଣି ସେନ୍ ବଡମାଳୀ (ସିଦ୍ଧପୁର), କୁମର ପ୍ରଧାନ, ଚୈତନ୍ୟ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.