ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଚଳନ୍ତା ଆର୍ଟିକା କାର୍ । କାର୍ରେ ବସିଥିଲେ ଦୁଇ ମହିଳା ଓ ଜଣେ ଶିଶୁଙ୍କ ସମେତ ୬ ଜଣ । ହେଲେ ହଠାତ କାରରେ ନିଆଁ ଲାଗି ହୁ ହୁ ହୋଇ ଜଳିଗଲା । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସାକୁଶବାଲି ନିକଟ ୫୯ ନଂ. ଜାତୀୟ ରାଜପଥ ଉପରେ ଶୁକ୍ରବାର ରାତିରେ ଏକ ଚଳନ୍ତା ଆର୍ଟିକା କାରରେ ହଠାତ ନିଆଁ ଲାଗି ହୁ ହୁ ହୋଇ ଜାଲିଗଲା । ଗାଡି ମଧ୍ୟରେ ବସିଥିବା ଦୁଇ ମହିଳା ଓ ଜଣେ ଶିଶୁଙ୍କ ସମେତ ୬ ଜଣ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ରାତି ୮.୩୦ ସମୟରେ ମହାସିଙ୍ଗ ଗ୍ରାମର ଏକ ପରିବାର କୋଟଗଡ ବ୍ଲକର ସୁବର୍ଣ୍ଣଗିରି ନିକଟସ୍ଥ ଲୁଦୁ ଜଳପ୍ରପାତ ବୁଲିବା ପାଇଁ ଯାଇଥିଲେ । ବୁଲାବୁଲି ସାରି ଘରକୁ ଫେରୁଥିବା ବେଳେ ହଠାତ ଗାଡିର ଇଞ୍ଜିନରେ କିଛି ଧୂଆଁ ବାହାରିବା ସହ ନିଆଁ ଦେଖିବାକୁ ମିଳିଥିଲା । ଏହା ପରେ ଡ୍ରାଇଭରର ଉପସ୍ଥିତି ବୁଦ୍ଧି ଯୋଗୁଁ ଗାଡିଟି ରଖିବା ସହ ସମସ୍ତ ଯାତ୍ରୀଙ୍କୁ ସଙ୍ଗେ ସଙ୍ଗେ ଗାଡିରୁ ଓଲ୍ଲାହିବା ସହ ଦମକଳ କେନ୍ଦ୍ରକୁ ଫୋନ କରିଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ଗାଡିଟି ହୁ ହୁ ହୋଇ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଘଟଣା ସ୍ଥଳରେ ପୁଲିସର ପେଟ୍ରୋଲିଂ ଗାଡି ପହଞ୍ଚି ଏସ୍ଆଇ ସଞ୍ଜୟ ସ୍ଵାଇଁ ଯାତ୍ରୀ ମାନଙ୍କୁ ସୁରକ୍ଷିତ ରଖିବା ସହ ଘଟଣାର କାରଣ ପଚାରିଥିଲେ । ଆଉ ଦୁଇ କିଲୋମିଟର ପରେ ସେହି ପରିବାର ତାଙ୍କ ଘରେ ପହଞ୍ଚି ଥାନ୍ତେ । କିନ୍ତୁ ବିଧିର ବିଧାନ କିଭଳି ଚଳନ୍ତା କାରରେ ନିଆଁ ଲାଗି ଯାଇଥିଲା ଅଳ୍ପକେ ସମସ୍ତେ ମୃତୁ ମୁଖରୁ ବଞ୍ଚିଯାଇଥିଲେ । ଏ ସମ୍ପର୍କରେ ଥାନା ଅଧିକାରୀ ସମ୍ବିତ କୁମାର ସ୍ଵାଇଁ ତଦନ୍ତ କରିବା ପରେ ନିଆଁ ଲାଗିବାର କାରଣ ଜଣାପଡିବ ବୋଲି କହିଛନ୍ତି ।
Next Post