୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭିତ୍ତପ୍ରସ୍ତର ସ୍ଥାପନ : ଖର୍ଚ୍ଚ ହେବ ୪,୬୦୦ କୋଟି ଟଙ୍କା
- ୫-ଟି ଉପକ୍ରମରେ କାର୍ଯ୍ୟକ୍ରମ ପ୍ରସ୍ତୁତ
- ୨୦୨୦ରେ ଅନ୍ତଃ ନଦୀ ଜଳାଶୟ ପାଇଁ ୧୧ ହଜାର ୭୦୦ କୋଟି ଟଙ୍କାରେ ଯୋଜନା ଆରମ୍ଭ ହୋଇଥିଲା
- ୭୨ଟି ଅନ୍ତଃ ନଦୀ ଜଳାଶୟ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ
- ଉପକାର ପାଇବେ ଜନସାଧାରଣ ଓ ଚାଷୀ, ଭୂତଳ ଜଳର ସ୍ତର ବୃଦ୍ଧି, ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁ ପାଳନ, ପରିବେଶର ସୁରକ୍ଷା ପାଇଁ ଉପଯୋଗୀ
- ବନ୍ୟା ନିୟନ୍ତ୍ରଣରେ ମଧ୍ୟ ସହାୟକ ହେବ
- ନିରନ୍ତର ବିକାଶ ପାଇଁ ଏପରି ପ୍ରକଳ୍ପ ଖୁବ୍ ଗୁରୁତ୍ୱପୂର୍ଣ୍ଣ : ମୁଖ୍ୟମନ୍ତ୍ରୀ
- ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ମିଳିଥିଲା ପ୍ରସ୍ତାବ, ଲୋକମତ, ଲୋକଙ୍କ ପ୍ରସ୍ତାବକୁ ସମ୍ମାନ ଦେଇ ହେଉଛି କାର୍ଯ୍ୟକ୍ରମ
- କେନ୍ଦ୍ରାପଡାରେ ୧୫ ହଜାରରୁ ଅଧିକ ଚାଷୀ ଉପସ୍ଥିତ, ୧୦ ହଜାର ମହିଳା, ସବୁ ସ୍ଥାନରେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ
- କେନ୍ଦ୍ରାପଡାରେ ଆର୍ସେଲର୍ ମିତ୍ତଲ୍ ନିପନ୍ ଷ୍ଟିଲ ପ୍ଲାଣ୍ଟ, ସବୁ କାର୍ଯ୍ୟକ୍ରମରେ କେନ୍ଦ୍ରାପଡାବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଲେ ୫-ଟି ଅଧ୍ୟକ୍ଷ
- ଲୋକଙ୍କ ପୂର୍ଣ୍ଣ ସହଯୋଗରେ ଖୁବଶୀଘ୍ର ଶୁଭ ଦେବେ ମୁଖ୍ୟମନ୍ତ୍ରୀ : ୫-ଟି ଅଧ୍ୟକ୍ଷ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି । ଏଥିପାଇଁ ୪,୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଅବସରରେ ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକମାନଙ୍କର ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । କେନ୍ଦ୍ରାପଡାରେ ୧୫ ହଜାରରୁ ଅଧିକ ଚାଷୀ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ହଜାର ଥିଲେ ମହିଳା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଏହି ପ୍ରକଳ୍ପ ଦ୍ୱାରା ଚାଷୀ ଭାଇଭଉଣୀମାନେ ବହୁଳ ଭାବେ ଉପକୃତ ହେବେ । ବିଶେଷ କରି ପିଇବା ପାଣି ଯୋଗାଣ କ୍ଷେତ୍ରରେ ସୁବିଧା ହେବ । ଏହା ସହିତ ମାଛ ଚାଷ, ପଶୁପାଳନ ଆଦିରେ ମଧ୍ୟ ସହାୟକ ହେବ । ଏହି ପ୍ରକଳ୍ପ ସବୁ ଭୂତଳ ଜଳ ସ୍ତର ବୃଦ୍ଧି କରି ପରିବେଶକୁ ସନ୍ତୁଳିତ କରିବ । ଆମର ନିରନ୍ତର ବିକାଶ ପାଇଁ ଏପରି ପ୍ରକଳ୍ପ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ସହିତ ବନ୍ୟା ନିୟନ୍ତ୍ରଣରେ ମଧ୍ୟ ଏହି ପ୍ରକଳ୍ପଗୁଡିକ ସହାୟକ ହେବ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୦ରେ ଅନ୍ତଃ ନଦୀ ଜଳାଶୟ ପାଇଁ ୧୧ ହଜାର ୭୦୦ କୋଟି ଟଙ୍କାରେ ଯୋଜନା ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୩ଟି ପର୍ଯ୍ୟାୟରେ ୭୨ଟି ପ୍ରକଳ୍ପ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଆଜି ୧୩ଟି ଜିଲ୍ଲା- ବରଗଡ, ବଲାଙ୍ଗିର, ବୌଦ୍ଧ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲ୍ଲାରେ ୧୯ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ରଖାଗଲା । ଏଥି ସହିତ ସେ ଆହୁରି ମଧ୍ୟ କହିଥିଲେ ଯେ ଆମର ସବୁ କାର୍ଯ୍ୟକ୍ରମ ଲୋକମତ ଓ ଜନ ସହଭାଗିତା ଭିତ୍ତିରେ କରାଯାଉଛି । ସେ କହିଲେ ତାଙ୍କ ନିର୍ଦ୍ଦେଶରେ ୫-ଟି ଅଧ୍ୟକ୍ଷ ବିଭିନ୍ନ ଜିଲ୍ଲାକୁ ଗସ୍ତ କରିବା ସମୟରେ ଲୋକଙ୍କଠାରୁ ଏପରି ପ୍ରକଳ୍ପ ପାଇଁ ପ୍ରସ୍ତାବ ଆସିଥିଲା । ଲୋକଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇ ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ସେ ପୁଣି କହିଥିଲେ ଯେ ୫-ଟି ଉପକ୍ରମରେ ଏହି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ କାର୍ଯ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ଏହି ପ୍ରକଳ୍ପଗୁଡିକର ନିର୍ମାଣ କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ସହିତ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି । ଏହି ପ୍ରକଳ୍ପ ଦ୍ୱାରା କୌଣସି ଲୋକ ବିସ୍ଥାପିତ ହେବେ ନାହିଁ । ରାଜ୍ୟରେ ଚାଷୀମାନଙ୍କର କଲ୍ୟାଣାର୍ଥେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ପ୍ରକଳ୍ପ ଚାଷୀର ବିକାଶ ଓ ପରିବେଶର ସୁରକ୍ଷା ପାଇଁ ଉଦ୍ଦିଷ୍ଟ । ଆମର କାଳିଆ ଯୋଜନା, କୃଷକମାନଙ୍କ ପାଇଁ ବିନା ସୁଧରେ ଋଣ ସୁବିଧା, ଶସ୍ୟ ବୀମା ପ୍ରିମିୟମ ପ୍ରଦାନ ଇତ୍ୟାଦି କାର୍ଯ୍ୟକ୍ରମ ରାଜ୍ୟରେ ଚାଷୀମାନଙ୍କର ଆତ୍ମବିଶ୍ୱାସକୁ ବୃଦ୍ଧି କରିଛି । ଚାଷୀର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ । ସେମାନଙ୍କ ଉନ୍ନତି ପାଇଁ ଆମେ କାମ କରୁଛୁ ଓ ଆଗାମୀ ଦିନରେ କାମ କରି ଚାଲିବୁ ସେ କହିଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇ ବଲାଙ୍ଗିରରେ ଉପସ୍ଥିତ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ ଚାଷୀମାନଙ୍କର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ସଂକଳ୍ପ ରହିଛି । ଖରାଦିନେ ଯେପରି ପାଣି ପାଇବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ଆରମ୍ଭ କରିଛନ୍ତି । କେନ୍ଦ୍ରାପଡ଼ା ମହାକାଳପଡାଠାରେ ଉପସ୍ଥିତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଲେ ଯେ କେନ୍ଦ୍ରାପଡାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । କେବଳ ଏହି ପ୍ରକଳ୍ପ ନୁହେଁ କେନ୍ଦ୍ରାପଡାରେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଆର୍ସେଲର୍ ମିତ୍ତଲ ପ୍ରକଳ୍ପ ପାଇଁ ସେ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ । ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ସ୍ଥାନର ଉନ୍ନତି ପାଇଁ ପ୍ରକଳ୍ପ କରୁଛନ୍ତି । କେନ୍ଦ୍ରାପଡାର ସବୁ ବିକାଶ କାର୍ଯ୍ୟକ୍ରମରେ ଲୋକଙ୍କ ଭରପୁର ସହଯୋଗ ମିଳୁଛି ବୋଲି ପ୍ରକାଶ କରି ସେ କେନ୍ଦ୍ରାପଡାବାସୀଙ୍କୁ ଧନ୍ୟବାଦ ଦେଇଥିଲେ । କେନ୍ଦ୍ରାପଡାରେ ଆର୍ସେଲର୍ ମିତ୍ତଲ ନିପନ୍ ଷ୍ଟିଲ ପ୍ରକଳ୍ପ ପାଇଁ ଜାପାନ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଖୁବ୍ ଉଦ୍ୟମ କରିଥିଲେ ବୋଲି ପ୍ରକାଶ କରି ସେ କହିଲେ ଲୋକଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଏଥିପାଇଁ ଶୁଭ ଦେବେ । ବଉଦ କଣ୍ଟାମାଳରେ ଉପସ୍ଥିତ ବିଧାୟକ ମହିଧର ରଣା ମଧ୍ୟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ତିନି ଜଣ ଚାଷୀ ସେମାନଙ୍କ ମତାମତ ଦେଇଥିଲେ । କେସିଙ୍ଗାରେ ପାନାଲାଲ ବେମାଲ, ଆଖୁଆପଦାରେ ଶରତଚନ୍ଦ୍ର ଜେନା ଓ ବୀରମହାରାଜପୁରରେ ବିବଶ୍ୱତି ପଣ୍ଡା ପ୍ରମୁଖ ମତ ଦେଇ କହିଲେ ଯେ ଏହି ପ୍ରକଳ୍ପ ଦ୍ୱାରା ଆମ ଭଳି ଚାଷୀମାନଙ୍କର ମରୁଡି ସମସ୍ୟା ଦୂର ହେବ । ଆମେ ବିଭିନ୍ନ ପ୍ରକାର ଚାଷ କରିପାରିବୁ ଓ ପିଇବା ପାଣିର ସମସ୍ୟା ମଧ୍ୟ ରହିବ ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ଵାଗତ ଭାଷଣ ଦେଇଥିଲେ । ବିଭାଗୀୟ ଇଆଇସି ଧନ୍ୟବାଦ୍ ଦେଇଥିଲେ । ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।