- ମାସେ ଗଲାନି ଜଳଯୋଗାଣ କାମ
- ବହୁ ସ୍ଥାନରେ ପାଇପ୍ ଫାଟି ପାଣି ଲିକ୍
- ଗ୍ରାମବାସୀ ବିଡ଼ିଓଙ୍କ ଦ୍ୱାରସ୍ଥ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ବିଜାମାଲ ଗ୍ରାମରେ ବର୍ଷା ଦିନରେ ଜଳକଷ୍ଟ ସମସ୍ୟା ଦେଖାଦେଇଛି । ଚଳିତ ବର୍ଷ ମାତ୍ର ଏକ ମାସ ତଳେ ନୂତନ ଭାବେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ଗାଁକୁ କରାଯାଇଥିବା ଜଳ ଯୋଗାଣରେ ନାହିଁ ନ ଥିବା ଅସୁବିଧା ସମ୍ପର୍କରେ ଗ୍ରାମବାସୀ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୋମବାର ବିଜାମାଲ ଗ୍ରାମବାସୀ ପତ୍ରାପାଲି(ଖ) ପଞ୍ଚାୟତ କାର୍ଯ୍ୟାଳୟରେ ଚାଲିଥିବା ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିରକୁ ଯାଇ ବିଡ଼ିଓ ବାସନ୍ତୀ ସେଠୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଦୀର୍ଘଦିନର ଦାବୀ ପରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ କାମକୁ ଦାୟିତ୍ୱରେ ଥିବା ଠିକାଦାର ଶେଷ କରି ଗାଁକୁ ପାନୀୟ ଜଳଯୋଗାଣ ଆରମ୍ଭ କରିଥିଲେ । କିନ୍ତୁ ଏହି ପାନୀୟ ଜଳଯୋଗାଣରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମରେ ଦିଆଯାଇଥିବା ପାଣି ପାଇପଗୁଡ଼ିକ ବହୁ ସ୍ଥାନରେ ଫାଟି ଯାଇଥିବା ବେଳେ ପାଇପ ପଏଣ୍ଟମାନଙ୍କୁ ମଧ୍ୟ ସମ୍ପୂର୍ଣ୍ଣ କାମ କରାଯାଇନାହିଁ । ଫଳରେ ପାଣି ମୋଟର ଚାଲୁ କଲେ ସବୁତକ ପାଣି ଚାରିଆଡ଼େ ଲିକ୍ ହୋଇ ଗାଁ ଦାଣ୍ଡରେ ବହିଯାଉଛି । ଓଭର ହେଡ ପାଣି ଟାଙ୍କିରୁ ମଧ୍ୟ ସବୁବେଳେ ଅନବରତ ଭାବେ ପାଣି ଝରୁଛି । ଏନେଇ ଗ୍ରାମବାସୀ ସଂପୃକ୍ତ ଠିକାଦାରଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସେ କୌଣସି ପ୍ରକାରର ଦୃଷ୍ଟି ନ ଦେବାରୁ ବାଧ୍ୟ ହୋଇ ସେମାନେ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଥିଲେ । ଅତି ନିମ୍ନମାନର ପ୍ରକଳ୍ପ କାମ କରିଥିବା ଠିକାଦାର ଓ ଦାୟିତ୍ୱରେ ଥିବା ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗର ଯନ୍ତ୍ରୀମାନଙ୍କ ଗୁରୁତର ଅବହେଳା ଯୋଗୁଁ ଗ୍ରାମବାସୀମାନଙ୍କୁ ବର୍ଷା ଦିନରେ ମଧ୍ୟ ଜଳକଷ୍ଟର ସମ୍ମୁଖୀନ ହେବାକୁ ପଡୁଥିବା ଅଭିଯୋଗ ହୋଇଛି । ଲିଖିତ ଅଭିଯୋଗ ପତ୍ର ଗ୍ରହଣ କରି ବିଡ଼ିଓ ଉପସ୍ଥିତ ଆର୍ଡବଲ୍ୟୁଏସ୍ଏସ୍ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ତୁରନ୍ତ ଏହାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉପସ୍ଥିତ କନିଷ୍ଠ ଯନ୍ତ୍ରୀ ଠିକାଦାରକୁ ଡାକି କାମର ନିଶ୍ଚିତ ତଦାରଖ ସହ ଆଉ ଥରେ କାମ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଦାବିପତ୍ର ପ୍ରଦାନ ବେଳେ ଗ୍ରାମର ପତିରାମ ପଧାନ, ଭୁବନ ପ୍ରଧାନୀ, ଥବୀର ସା, ମହେନ୍ଦ୍ର ପଧାନ, ପବିତ୍ର ହରପାଲ, ଦେବକାନ୍ତି ତାଣ୍ଡି, କବି ମୁଦୁଲି, ଘାସିରାମ ସା, ନରୋତ୍ତମ ମାଝୀ, ଅମ୍ବିକା ପଧାନ, ସୌଦାମିନୀ ଜାନି ଓ ବାଞ୍ଛାନିଧି ବଗର୍ତ୍ତିଙ୍କ ସହ ଶତାଧିକ ଗ୍ରାମବାସୀ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଗାମୀ କିଛିଦିନ ମଧ୍ୟରେ ଗୁରୁତର ପାନୀୟ ଜଳଯୋଗାଣ ଅବସ୍ଥା ନ ସୁଧିରିଲେ ବାଧ୍ୟ ହୋଇ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।