- ୩ ୱାର୍ଡ ବିଶିଷ୍ଟ ଗାଁକୁ ଗୋଟିଏ ନଳକୂପ
- ଓଭରହେଡ ଟାଙ୍କି ନିର୍ମାଣ ପାଇଁ ଦାବୀ
ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ସରକାର ଗାଁ ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କରୁଛନ୍ତି କୋଟି କୋଟି ଟଙ୍କାର ଯୋଜନା । ହେଲେ ପ୍ରଶାସନର ଅବହେଳା ଯୋଗୁଁ ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତରେ ଥିବା ଗନ୍ଧରାବନ୍ଧ ପଞ୍ଚାୟତ ଜଏରପଡା ଗାଁରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛିି । ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ସୂଚନା ଅନୁସାରେ ପାଣି ମୁନ୍ଦାଏ ପାଇଁ ଅନେକ ଅସୁବିଧା ହଇରାଣ ହରକତ ହେଉଛନ୍ତି ଗ୍ରାମବାସୀ । ପଥର ଚଟାଣ ଉପରେ ଗାଁ ଥିବା ବେଳେ ବିଶୁଦ୍ଧ ପାନୀୟ ଜଳର ଦେଖା ଦେଇଛି ଘୋର ସମସ୍ୟା । ସକାଳ ପାହିଲେ ଲୋକଙ୍କ ମନରେ ଗୋଟିଏ ଚିନ୍ତା । ପିଇବା ପାଣି କେଉଠିଁ ମିଳିବ । ହାତରେ ଗରା, ବାଲଟି, ଡେକ୍ଚି ଧରି ମହିଳାମାନେ ସକାଳୁ ଯାଇ ଘଣ୍ଟା ଘଣ୍ଟା ଧରି ଲାଇନ୍ ଲଗାନ୍ତି । ଗାଁରେ ୩ ୱାର୍ଡ ବିଶିଷ୍ଟ ଥିବା ବେଳେ ମାତ୍ର ୩ ଗୋଟି ନଳକୂପ ଅଛି । ସେଥିରୁ ୨ ଗୋଟି ନଳକୂପର ପାଣି ପିଇବା ପାଇଁ ଅନୁପଯୋଗୀ । ଗୋଟିଏ ମାତ୍ର ନଳକୂପରେ ପାଣି ପାଇଁ ଘଣ୍ଟା ଘଣ୍ଟା ସମୟ ଧରି ଅଳ୍ପ ଅଳ୍ପ କରି ପାଣି ସଂଗ୍ରହ କରିଥାନ୍ତି । ସକାଳ ପାହାନ୍ତିଆ ୪ ଘଟିକାରୁ ପାଣି ପାଇଁ ନ ଗଲେ ପାଣି ମିଲେ ନାହିଁ । ପାଣି ପାଇଁ ଗାଁ ଲୋକଙ୍କ ଅସୁବିଧା ଦ୍ୱିଗଣିତ ହୋଇ ପଡିଛି । ଖାଲି ନିର୍ବାଚନ ସମୟରେ ନେତା ମନ୍ତ୍ରୀମାନେ ଏହି ଆଦିବାସୀ ଗାଁକୁ ଗସ୍ତ କରି ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇଥାନ୍ତି ଓ ନିର୍ବାଚିତ ହେବା ପରେ ଆଉ ତାଙ୍କ ଦେଖା ମିଲେ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁରେ ପାଣି ସମସ୍ୟା ଲାଗି ରହିଥିଲେ ମଧ୍ୟ କାହାରି ଆନ୍ତରିକତା ନାହିଁ । ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କଠାରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି । ଗାଁରେ ଓଭରହେଡ ଟାଙ୍କି ନିର୍ମାଣ କରାଯାଇ ଲୋକଙ୍କ ଘରକୁ ଘର ପାଣି ଯୋଗାଇବା ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ଲୋକେ । ଏ ନେଇ ବଙ୍ଗୋମୁଣ୍ଡା ବିଡିଓ ରିପୁନାଥ ସୁନାଙ୍କୁ ଯୋଗାଯୋଗ କରିବାରୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ କେତେ ଶୀଘ୍ର ଏହି ଜଏରପଡା ଗାଁରେ ପାନୀୟ ଜଳ ସମସ୍ୟାର ସମାଧାନ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।