ମୁରିବାହାଲ ବ୍ଲକ ସଦର ମହକୁମା ବଜାରପଡ଼ା ଓ ଷ୍ଟେସନପଡ଼ାରେ ସୁଧୁରୁନି ରାସ୍ତା, ଡ୍ରେନ ଓ ପାନୀୟ ଜଳ ସମସ୍ୟା

  • ସ୍ଵାମୀ ବିବେକାନନ୍ଦ ଯୁବକ ସଂଘ ପକ୍ଷରୁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାର ବଜାରପଡ଼ା ଓ ଷ୍ଟେସନପଡ଼ାରେ ସବୁଦିନିଆ ରାସ୍ତା, ଡ୍ରେନେଜ୍ ଓ ପାନୀୟ ଜଳଯୋଗାଣ ସମସ୍ୟା ଲାଗି ରହିଥିବା ଓ ଏହା କେବେ ମଧ୍ୟ ସୁଧୁରୁନଥିବା ପ୍ରତିବାଦରେ ବୁଧବାର ମୁରିବାହାଲ ସ୍ଵାମୀ ବିବେକାନନ୍ଦ ଯୁବକ ସଂଘ ପକ୍ଷରୁ ଏକ ଦାବୀପତ୍ର ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲଙ୍କୁ ପ୍ରଦାନ କରାଯାଇ ଏହାର ତୁରନ୍ତ ସମାଧାନ ଦାବୀ କରାଯାଇଛି । ଅଭିଯୋଗ ମୁତାବକ ଉଭୟ ପଡ଼ାକୁ ସଂଯୋଗ କରୁଥିବା ତଥା ରେଳଷ୍ଟେସନ ଓ ବ୍ଲକ କାର୍ଯ୍ୟାଳୟକୁ ଯିବାଆସିବା କରୁଥିବା ସବୁଦିନିଆ ରାସ୍ତାଗୁଡ଼ିକ ଅତ୍ୟନ୍ତ ଶୋଚନୀୟ ହୋଇପଡିବା ସହ ଯାତାୟାତରେ ଘୋର ସମସ୍ୟା ସୃଷ୍ଟି ହେଉଛି । ଖରାଦିନେ ସାଧାରଣ ଯାତ୍ରୀ ଓ ଲୋକମାନେ ବହୁ ଅସୁବିଧା ଭୋଗ କରୁଥିବା ବେଳେ ବର୍ଷା ଦିନରେ ଅବସ୍ଥା ଆହୁରି ଶୋଚନୀୟ ହୋଇପଡେ । ଏଣୁ ଏହି ରାସ୍ତାଗୁଡିକୁ ତୁରନ୍ତ ମରାମତି ଓ ଅସମ୍ପୂର୍ଣ୍ଣ ରାସ୍ତା ନିର୍ମାଣ ଦାବୀ କରାଯାଇଛି । ସେହିପରି ଉଭୟ ପଡ଼ାକୁ ସଂଯୋଗ କରୁଥିବା ବିଭିନ୍ନ ଡ୍ରେନଗୁଡ଼ିକ ପୋତି ହୋଇଯିବା ଓ ଲୋକେ ଜବରଦଖଲ କରି ରଖିଥିବାରୁ ବର୍ଷା ଦିନରେ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି କୃତିମବନ୍ୟା ସୃଷ୍ଟି ହୋଇଥାଏ । ଫଳରେ ଘରକୁ ପାଣି ପଶି ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଆସନ୍ନ ବର୍ଷା ପୁର୍ବରୁ ତୁରନ୍ତ ଡ୍ରେନଗୁଡ଼ିକୁ ମରାମତି ଓ ଜବରଦଖଲ ହଟାଇବାକୁ ଦାବି କରାଯାଇଥିଲା । ଏହା ସହିତ ଉଭୟ ପଡ଼ାକୁ ନିକଟସ୍ଥ ଓଭରହେଡ ଟ୍ୟାଙ୍କରୁ ହେଉଥିବା ପାନୀୟ ଜଳଯୋଗାଣ ମଧ୍ୟ ଠିକ୍ ରୂପେ ହେଉନଥିବା ଓ ଷ୍ଟେସନପଡ଼ା, ଆଶ୍ରମପଡ଼ା ସମେତ ବହୁ ଅଞ୍ଚଳକୁ ପାଣି ପହଞ୍ଚୁ ନଥିବା ଅଭିଯୋଗ ହୋଇଥିଲା । ଗ୍ରାମ୍ୟ ଜଳଯୋଗାଣ ବିଭାଗର ଦାୟିତ୍ଵହୀନତା ଯୋଗୁଁ ଏବେ ବି କେତେକ ଅଞ୍ଚଳକୁ ପାଇପ କାମ ସମ୍ପୂର୍ଣ୍ଣ ହୋଇନଥିବା ତଥା ଘରକୁ ଘର ପାନୀୟ ଜଳଯୋଗାଣ ସମସ୍ୟା ଲାଗି ରହିଥିବାରୁ ଏହାର ସମାଧାନ କରିବାକୁ ଅନୁରୋଧ କରାଯାଇଥିଲା । ଏହା ସହିତ ରେଳଷ୍ଟେସନର ଅପର ପାର୍ଶ୍ୱରେ ଥିବା ବୈରାଗ ପଡ଼ାକୁ ସ୍ୱାଧୀନତାର ୭୫ବର୍ଷରୁ ଅଧିକ ପରେ ବି ସାମାନ୍ୟ ପିଇବା ପାଣି ମୁନ୍ଦିଏ ମିଳୁ ନ ଥିବା ଗୁରୁତର ଅଭିଯୋଗ ହୋଇଥିଲା । ଏଣୁ ଏହି ସବୁ ସମସ୍ୟାକୁ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରିବାକୁ ଯୁବକ ସଂଘ ପକ୍ଷରୁ ବିଡ଼ିଓଙ୍କୁ ଅନୁରୋଧ କରାଯାଇଥିଲା । ଦାବୀପତ୍ର ଗ୍ରହଣ କରି ବିଡ଼ିଓ ଶ୍ରୀ ପଟେଲ ରାସ୍ତା, ଡ୍ରେନ ଓ ଜଳଯୋଗାଣ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି, କେତେକ ସ୍ଥାନରେ ବ୍ୟକ୍ତିଗତ ଜମି ସମସ୍ୟା ଯୋଗୁଁ ଉନ୍ନୟନ କାର୍ଯ୍ୟରେ ବିଳମ୍ବ ହେଉଥିବା ସ୍ଵୀକାର କରିଥିଲେ । ପୂର୍ବରୁ ଏ ସମ୍ପର୍କିତ ଏକ ଦାବୀପତ୍ର ମୁରିବାହାଲ ସଦର ସରପଞ୍ଚ ବିଶ୍ୱବିହାରୀ ଯୋଶୀଙ୍କୁ ମଧ୍ୟ ଯୁବକ ସଂଘ ପକ୍ଷରୁ ପ୍ରଦାନ କରାଯିବା ସହ ସେ ବିଡ଼ିଓଙ୍କ ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଦାବୀପତ୍ର ପ୍ରଦାନ ବେଳେ ସ୍ଵାମୀ ବିବେକାନନ୍ଦ ଯୁବକ ସଂଘ ସଭାପତି ସୁଧାଂଶୁ ପୋଡ଼ ଯାଦବ, ସାଧାରଣ ସମ୍ପାଦକ ଦିବ୍ୟସୁନ୍ଦର ସାହୁ, ସମ୍ପାଦକ ଆଶୀର୍ବାଦ ଜେନା, ପ୍ରେମାନନ୍ଦ ମାଝୀ, ରୀତିକ ସାହୁ, ଉପଦେଷ୍ଟା ଶ୍ରୀବତ୍ସ ବେହେରା, ରାଜୀବ କୁମାର ମହାନ୍ତି, ଯୁବକ ସଂଘର ସଦସ୍ୟ ପଦ୍ମଲୋଚନ ସାହୁ, କରଣ ଜାଲ, ବାବୁଲାଲ କେତକୀ, ପ୍ରମୋଦ ମହାକୁର, ଯଦୁମଣି ନାଗ, ରଞ୍ଜିତ ଆଚାରୀ, ଯୋଗେନ୍ଦ୍ର ଥାଟି, ଡକ୍ଟର ପୋଢ଼, ପ୍ରଶାନ୍ତ ରତେଇ, ଶୁଭମ ସାହୁ ପ୍ରମୁଖ ଉପସ୍ଥିତ ରହି ବିଡ଼ିଓଙ୍କୁ ଶୀଘ୍ର ସମାଧାନ ଦାବୀ କରିଥିଲେ । ଏବେ ଦେଖିବାକୁ ବାକି ରହିଲା ଖୋଦ୍‌ ମୁରିବାହାଲ ବ୍ଲକ ସଦର ମହକୁମାରେ କେବେ ସୁଧୁରୁଛି ସବୁଦିନିଆ ରାସ୍ତା, ଡ୍ରେନ ଓ ପାନୀୟ ଜଳଯୋଗାଣ ସମସ୍ୟା ।

Leave A Reply

Your email address will not be published.