ବଲାଙ୍ଗିରର ପାନୀୟ ଜଳ ସମସ୍ୟାକୁ ନେଇ ପୁରୁଖା କଂଗ୍ରେସ ନେତୃବୃନ୍ଦଙ୍କ ସାମୁଖ୍ୟ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଘେରାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଉତ୍କଟ ପାନୀୟ ଜଳ ସମସ୍ୟା ସହିତ ବିପର୍ଯ୍ୟସ୍ତ ଜଳ ଯୋଗାଣ ବ୍ୟବସ୍ଥାକୁ ନେଇ ପୁରୁଖା କଂଗ୍ରେସ ନେତୃବୃନ୍ଦଙ୍କ ସାମୁଖ୍ୟ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ବଲାଙ୍ଗିର ଜନସାଧାରଣ ଉତ୍କଟ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ ବଲାଙ୍ଗିର ସହରର ଜଳ ଯୋଗାଣ ବ୍ୟବସ୍ଥାରେ ଗୁରୁତର ତ୍ରୁଟି ଏବଂ ଅବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଥିବା ବେଳେ ପୁରୁଖା କଂଗ୍ରେସ ନେତୃବୃନ୍ଦଙ୍କ ସାମୁଖ୍ୟ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପୂର୍ବକ ଆଜି ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ କରାଯାଇଥିଲା । ବିଭାଗୀୟ କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ କରୁଥିବା ସମୟରେ ପୁରୁଖା କଂଗ୍ରେସ ନେତୃବୃନ୍ଦ କାର୍ଯ୍ୟାଳୟକୁ ଘେରାଓ କରିଥିଲେ । ବୈଠକକୁ ସାମୟିକ ଭାବେ ସ୍ଥଗିତ ରଖି କଂଗ୍ରେସ ନେତୃବୃନ୍ଦଙ୍କ ସହିତ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀ ମହାପାତ୍ର, ନିର୍ବାହୀଯନ୍ତ୍ରୀ ପାର୍ବତୀ ମୋହନ ପରିଡା ଏବଂ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରିଥିଲେ ଓ ସମସ୍ୟାର ଆଶୁ ସମାଧାନ ପାଇଁ ଗ୍ରହଣ କରାଯାଉଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଭାବେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଆଗାମୀ ୭ ଦିନ ମଧ୍ୟରେ ଜଳ ଯୋଗାଣ ବ୍ୟବସ୍ଥାକୁ ପୂର୍ବବତ ବ୍ୟବସ୍ଥିତ କରାଯିବ ବୋଲି ଅଧିକାରୀଗଣ ପ୍ରତିଶୃତି ପ୍ରଦାନ କରିଥିଲେ । ଏଥି ସହିତ ସହରର ବିଭିନ୍ନ ବସ୍ତି ଅଂଚଳରେ ନୂତନ ପାଇପ୍‌ ଲାଇନ ସଂଯୋଗିକରଣ କରାଯିବା ନିମନ୍ତେ ଦୃଢ ଦାବୀ ଉପସ୍ଥାପନ କରାଯାଇଥିଲା ଓ ପାଇପ ଲାଇନ ସଂଯୋଗ ଉପରାନ୍ତ ରାସ୍ତା ସାଇଡରେ ଖାଲଗୁଡିକୁ କଂକ୍ରିଟ କରାଯିବା ଉପରେ ଗୁରୁତ୍ୱ ଆରୋପ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା ଏବଂ ସହରରେ ଅଧିକରୁ ଅଧିକ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯିବା ସହିତ ସହରର ସମସ୍ତ ନଳକୂପକୁ କାର୍ଯ୍ୟକ୍ଷମ କରାନଗଲେ ଆଗାମୀ ଦିନରେ ଜନସାଧାରଣଙ୍କ ମଧ୍ୟରେ ଥିବା ପୁଞ୍ଜିଭୁତ ଅସନ୍ତୋଷ ବିସ୍ପୋରକ ନେଲେ ଏଥି ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଦାୟୀ ରହିବେ ବୋଲି ପୁରୁଖା କଂଗ୍ରେସ ନେତୃବୃନ୍ଦ ଚରମ ଚେତାବନୀ ଦେଇ ଥିଲେ । ପୁରୁଖା କଂଗ୍ରେସ ନେତୃବୃନ୍ଦଙ୍କ ସାମୁଖ୍ୟ ପକ୍ଷରୁ ପୂର୍ବତନ ପିସିସି ସଭ୍ୟ ଅସୀମ ପଟ୍ଟନାୟକ, ପୂର୍ବତନ ନଗର ସଭାପତି ସୁଦାମ ସାହୁ, ଅଶୋକ ତ୍ରିପାଠି, ପୂର୍ବତନ କାଉନସିଲର ଭଂଜକିଶୋର ନାଗ, ନିଥନିଏଲ ଛତ୍ରିଆ, ପ୍ରବିଣ କୁମାର ପାଣ୍ଡେ, ରଙ୍କଧର ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା ଭୁବନେଶ୍ୱର ସେଠ୍‌, ସୁଶିଲ ବେହେରା, ଗୋ÷÷ର ଚନ୍ଦ୍ର ପୁରୋହିତ, ହାଡୁ ଜେନା, ଡା ପ୍ରଭାତ କୁମାର ଗୁରୁ, ସମିର କୁମାର ସାହାଣୀ, ରାମଧାରୀ ବାରିକ, ବାଳମୁକୁନ୍ଦ ମାଝି, ନିଶାରକାନ୍ତ ନାଗ, ମଧୁ ସୁଦନ ମୁଣ୍ଡ, ଗ୍ଲାଡ୍‌ଷ୍ଟୋନ ତାଣ୍ଡି, ସଂଜୟ ଦୋରା, ଜିଲ୍ଲା ସଂଖ୍ୟାଲଘୁ ସଂପ୍ରଦାୟ ଅଧ୍ୟକ୍ଷ ପ୍ରମୋଦ କୁମାର ବାରିକ, ବିଜୟ କୁମାର ତାଣ୍ଡି ପ୍ରମୁଖଙ୍କ ବ୍ୟତିତ ଅନେକ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.