ବୁଡି ଅଞ୍ଚଳରେ ବିଦ୍ୟୁତ ଓ ପାନୀୟ ଜଳ ବନ୍ଦ ପ୍ରସଙ୍ଗ, ବିସ୍ଥାପିତଙ୍କ ପ୍ରତି ପ୍ରଶାସନ ସମ୍ବେଦନହୀନ ନହେଉ : ଲୋଇସିଂହା ବିଧାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ମାଗୁରବେଢାଠାରେ ଚାଲିଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ବୁଡିବାକୁ ଯାଉଥିବା ଗାଁମାନଙ୍କର ପ୍ରଶାସନ ବିଦ୍ୟୁତ ଓ ପାନୀୟ ଜଳ ସଂଯୋଗ ବିଚ୍ଛିନ୍ନ କରିଦେଉଛି । ଫଳରେ ବିସ୍ଥାପିତ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏହି ଘଟଣାରେ ପ୍ରଶାସନ ଲୋକଙ୍କ ମାନବାଧିକାରର ଉଲଂଘନ ନକରୁ ବୋଲି ଗତକାଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଥିଲେ । ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଡଶଙ୍ଗର ଡୁଙ୍ଗୁରିପାଲି, ବନଛୋରପାଲି, ପୋଢମୁଣ୍ଡ ଓ କୁମିଆପାଲି ଗାଁକୁ ପରିଦର୍ଶନ କରି ବିସ୍ଥାପିତଙ୍କ ସହିତ ଆଲୋଚନା କରିଛନ୍ତି । ବୁଡିଅଞ୍ଚଳରେ ବିଦ୍ୟୁତ ଓ ପାନୀୟଜଳ ସଂଯୋଗ କାଟିବା ଘଟଣାକୁ ସେ ତୀବ୍ରନିନ୍ଦା କରିବା ସହିତ ପ୍ରଶାସନ ବିସ୍ଥାପିତଙ୍କ ପ୍ରତି ସମ୍ବେଦନହୀନ ନହେଉ ବୋଲି ଗଣମାଧ୍ୟମକୁ କହିଛନ୍ତି । ବିଧାୟକ ଡ.ମହାଲିଙ୍ଗ କହିଛନ୍ତି ଯେ, ଚଳିତବର୍ଷ ବିନାପ୍ରସ୍ତୁତିରେ ପ୍ରଶାସନ ଶାସକଦଳକୁ ପଲଟିକାଲ ମାଇଲେଜ ଦେବାକୁ ଡେମରେ ପାଣି ଅଟକାଇଛି । ବିସ୍ଥାପିତ ଲୋକଙ୍କୁ ଉଚିତ କ୍ଷତିପୂରଣ ଓ ଥଇଥାନ ପରେ ତାଙ୍କୁ ତାଙ୍କ ଘରୁ ଉଦବାସ୍ତୁ କରିବା କଥା । ବିସ୍ଥାପିତ ପରିବାରକୁ ଥଇଥାନ କରିବାକୁ ଯେଉଁ ଅସ୍ଥାୟୀ ଟିଣଘର କରୁଛି ତାହା ନିମ୍ନମାନର ଓ ଠିକ ବର୍ଷା ସମୟରେ ନିର୍ମାଣ ଚାଲିଛି । ଏହି ଅସ୍ଥାୟୀଘର ନିର୍ମାଣ ଚାଲିଥିବା ଓ ଏଠାରେ କୌଣସି ପରିବାର ରହିବାର ଆନୁଷଙ୍ଗିକ ବ୍ୟବସ୍ଥା ନଥିବା ବେଳେ ଲୋକଙ୍କୁ ଉଦବାସ୍ତୁ କରାଯାଉଛି କିଭଳି ବୋଲି ବିଧାୟକ ମହାଲିଙ୍ଗ ପ୍ରଶ୍ନ କରିଛନ୍ତି । ସେ ୪ଟି ଗ୍ରାମର ଲୋକଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିଥିଲେ । ବହୁୁ ଲୋକ ବିଧାୟକଙ୍କ ବୈଠକକୁ ଆସି ତାଙ୍କର ଦୁଃଖ ଗୁହାରି କରିଥିଲେ । ମୁଖ୍ୟତଃ ଗତ ୩ ଦିନ ହେଲା ଗଡଶଙ୍କର ଡୁଙ୍ଗୁରିପାଲିରେ ବିଦ୍ୟୁତ ଓ ପାନୀୟଜଳ ସଂଯୋଗ କାଟି ଦେଇଥିବା ଯୋଗୁଁ ଛୋଟ ଛୋଟ ପିଲା, ରୋଗିଣା ଲୋକ ଓ ବୃଦ୍ଧବୃଦ୍ଧା ବହୁତ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏହା ପ୍ରଶାସନର ଏକ ସମ୍ବଦନହୀନ ଘଟଣା ବୋଲି ବିଧାୟକ କହିବା ସହିତ ଲୋକଙ୍କୁ ସବୁପ୍ରକାର ସୁବିଧା ନକଲା ପର୍ଯ୍ୟନ୍ତ ଉଦବାସ୍ତୁ ନକରିବାକୁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ଠିକ୍‌ ସେହିପରି ସେ କୁସମେଲଠାରେ ନିର୍ମାଣ ହେଉଥିବା ଅସ୍ଥାୟୀ କଲୋନୀକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ଛୋଟ ଛୋଟ ଟିଣଘର ନିର୍ମାଣ ହୋଇଥିବା ବେଳେ ସେଥିରେ ମଣିଷ ରହିବା ଉପଯୋଗୀ ନୁହେଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପ୍ରଶାସନ ଯେଉଁ ଟିଣଘର ନିର୍ମାଣ କରୁଛିି ସେଥିରେ କୌଣସି ଭେଣ୍ଟିଲେସନ ବ୍ୟବସ୍ଥା ନାହିଁ କି ପାନୀୟଜଳ କିମ୍ବା ବିଦ୍ୟୁତର ସୁବିଧା ନାହିଁ । ଏପରିକି ଏଠାରେ ଲୋକମାନେ ତାଙ୍କ ଘର ସାମଗ୍ରୀ ଧରି ରହିବା ସୁରକ୍ଷିତ ନୁହେଁ ବୋଲି କହିଛନ୍ତି । ଲୋକମାନେ ବିସ୍ଥାପିତ ହେବାକୁ ପ୍ରଥମେ ଅମଙ୍ଗ ହେଉଥିବା ବେଳେ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତଥା ଜବରଦସ୍ତ ଏବେ ବିସ୍ଥାପିତ ହେଉଛନ୍ତି । ତେଣୁ ପ୍ରଶାସନ ସମ୍ବେଦନହୀନ ନହୋଇ ତାଙ୍କର ତ୍ୟାଗକୁ ସମ୍ମାନ ଜଣାଇ ଉଚିତ ବ୍ୟବସ୍ଥା କରି ଥାଇଥାନ କଲାପରେ ତାଙ୍କୁ ଘରୁ ତଡାଯାଉ ବୋଲି କହିଛନ୍ତି । ଲୋକଙ୍କ ସହିତ ଆଲୋଚନା ବିଧାୟକ ଡ.ମହାଲିଙ୍ଗ ଡେମସାଇଟକୁ ମଧ୍ୟ ପରିଦର୍ଶନରେ ଯାଇଥିଲେ । ସେଠାରେ ଲୋୟରସୁକତେଲ ପ୍ରକଲ୍ପର ମୁଖ୍ୟ ନିର୍ମାଣଯନ୍ତ୍ରୀ ଇଂ.ସୁନିଳ ରାଉତ, ଆରଆର ପଲ୍ଲ୍‌ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ର, ଉପଜିଲ୍ଲାପାଳ ତଥା ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ କୁମାର ନାଗଭୂଷଣ, ଏସ୍‌ଡିପିଓ ତୁଫାନ ବାଗ ଓ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.