
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଗଢ଼ି ଉଠିଥିବା ବିଭିନ୍ନ ସ୍ଥାନର ଶୈବପୀଠମାନଙ୍କରେ ମହା-ଶିବରାତ୍ରୀ ଅବସରରେ ଜାଗର ମେଳା, ହରିହର ଭେଟ ଆଦି ବର୍ଣ୍ଣାଢ଼୍ୟ ସମାରୋହରେ ବିପୁଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି । ଜାଗର ଦୀପ ଜାଳି ଉଜାଗର ରହିବା ଦ୍ଵାରା ଭକ୍ତଙ୍କ ଅନେକ ଦିନର ମନବାଞ୍ଛା ପୂରଣ ହୋଇଥାଏ ଏବଂ ପ୍ରଭୁ ଶିବ ଭଗବାନ ପରିବାରର କଲ୍ୟାଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ମହାଶିବରାତ୍ରୀ ତଥା ଜାଗର ଅବସରରେ ଶୈବାଳୟମାନଙ୍କରେ ଶିବଙ୍କ ମୃତ୍ତ୍ୟୁଞ୍ଜୟ ମହାମନ୍ତ୍ର ଧ୍ୱନିରେ ବିଭିନ୍ନ ସ୍ଥାନମାନଙ୍କରେ ପ୍ରକମ୍ପିତ ହୋଇ ଉଠିଥିବା ଦେଖିବାକୁ ମିଳିଛି । ତା’ ସାଂଗକୁ ବିଭିନ୍ନ ସ୍ଥାନରେ ଅଷ୍ଟପ୍ରହର ନାମଯଜ୍ଞ ଆୟୋଜିତ ହୋଇଥିଲା । ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ଶିବାଳୟମାନଙ୍କରେ ସୁମଧୁର ହରିନାମ ଗାନ, ଶିବ ଭଗବାନଙ୍କ ଅପୂର୍ବ- ଶୋଭାର ଦର୍ଶନ ଭକ୍ତମାନସକୁ ଆହ୍ଲାଦିତ କରିଛି । ତହିଁଆର ଦିନ ନାମଯଜ୍ଞ ଉଦ୍ଯାପନ ବେଳେ ଦହି-ହାଣ୍ଡି ଭଗ୍ନ, ଯମୁନା ସ୍ନାନ, ଆନନ୍ଦ ବଜାରରେ ଭକ୍ତଙ୍କୁ ଅନ୍ନ-ପ୍ରସାଦ ବିତରଣ ଖୁବ୍ ନିଆରା ଥିଲା । ଛତ୍ରପୁର ସ୍ଥିତ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମନ୍ଦିରରେ ହରି-ହର ଭେଟ ଏବଂ ମହାଦୀପ ପ୍ରଜ୍ଜ୍ୱଳନ, ମଧ୍ୟରାତ୍ରୀରେ ଶ୍ରୀ ଶ୍ରୀ ବୀରେଶ୍ୱର ମନ୍ଦିରରେ ମହାଦୀପ ଉଠିବା ପ୍ରଥା ଏଠାକାର ଖୁବ୍ ନିଆରା ଅଟେ । ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ପାର୍ଶ୍ଵ ଦେବାଦେବୀ ଭାବେ ସ୍ଥାନ ପାଇଥିବା ଶ୍ରୀ ଶ୍ରୀ କାଶୀ ବିଶ୍ଵନାଥ ମନ୍ଦିରରେ ସଂକୀର୍ତ୍ତନ ମଣ୍ଡଳୀ ଧାରା କାର୍ଯ୍ୟକ୍ରମ, ସହରର ମୁଖ୍ୟ ବଜାର ନିକଟସ୍ଥ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ପକ୍ଷରୁ ଆୟୋଜିତ ନାମଯଜ୍ଞ, ହରି-ହାଟ, ଆନନ୍ଦବଜାର ଖୁବ ଅନ୍ୟତମ ଆକର୍ଷଣ ଥିଲା । ସେହିପରି ଲାୟନ୍ସ କ୍ଲବ୍ ସମ୍ମୁଖରେ ଥିବା ଗୌରୀଶଙ୍କର ମନ୍ଦିରରେ ସନ୍ଧ୍ୟା ବେଳେ ଭକ୍ତଙ୍କୁ ସ୍ଵାଦିଷ୍ଟ ଅମାପ ପଣା ବିତରଣ ସେବା, ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ମନ୍ଦିରରେ ସନ୍ଧ୍ୟାବେଳେ ହାଲୁଆ-ଜଳପାନ ବିତରଣରେ ଭକ୍ତଜନ ଆପ୍ୟାୟିତ ହୋଇ ଖୁବ୍ ଖୁସି ବ୍ୟକ୍ତ କରିଛନ୍ତି । ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ଶିବାଳୟମାନଙ୍କରେ ସୁମଧୁର ହରିନାମ ଗାନ ଶିବ ଭଗବାନଙ୍କ ଅପୂର୍ବ- ଶୋଭା ଦର୍ଶନରେ ଭକ୍ତମାନସକୁ ଆହ୍ଲାଦିତ କରିଛି । ବାସ୍ତବିକ ଛତ୍ରପୁର ସହରରେ ଭକ୍ତିମୟ ପରିବେଶରେ ଗୁଞ୍ଜରିତ ହୋଇ ବିଭିନ୍ନ ଶୈବାଳୟମାନଙ୍କରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।