
ବଲାଙ୍ଗିର, (କେପିଏନ୍ଏସ୍) : ଦୁଃଖ ହେଉଛି ଆମର ସବୁଠାରୁ ଅନ୍ତରଙ୍ଗ ସାଥି ଆଉ ଏହି ଦୁଃଖକୁ ଆହୁରି ଆପଣାର କରିବା ପାଇଁ ତା ସହ ମିଶି ନିଜ କର୍ମମୟ ଜୀବନକୁ ସରଳ କରିବାର ବାଟ ଦେଖାଏ ନାଟକ । ସମୟ ପରିବର୍ତ୍ତନ ହେଉଛି, ଦର୍ଶକଙ୍କ ରୁଚି ବି ପରିବର୍ତ୍ତନ ହେଉଛି, ନାଟକର ମୁଳ ଉଦ୍ଦେଶ୍ୟକୁ ବଜାୟ ରଖି ନାଟକରେ ପରିବର୍ତ୍ତନ କଲେ ଦର୍ଶକମାନଙ୍କ ଭିତରେ ନାଟକ ପ୍ରତି ଆହୁରି ଆଗ୍ରହ ବଢିବା ପ୍ରତ୍ୟେକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ନାଟକ ପରିବେଷଣ କରି ସେମାନଙ୍କ ଭିତରେ ନାଟକ ପ୍ରତି ଆଗ୍ରହ ସୃଷ୍ଟି କରିବା ଆବଶ୍ୟକ । ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ରଚନା’ ଦ୍ୱାରା ଆୟୋଜିତ ‘ମାସିକ ରଚନା ସନ୍ଧ୍ୟା’ କାର୍ଯ୍ୟକ୍ରମରେ “ମୋ ଜୀବନ, ଅଭିନୟ ଓ ଅନୁଭୂତି” ଶୀର୍ଷକ ଅନ୍ତରଙ୍ଗ ଆଳାପରେ ଯୋଗଦେଇ ବିଶିଷ୍ଟ ଅଭିନେତା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଏଭଳି ମତ ପ୍ରକାଶ କରିଥିଲେ । ନିଜ ଜୀବନର ସ୍ମୃତି ଅନୁଭୂତି ତଥା ଅନେକ ଅସୁବିଧାର ସାମ୍ନା କରିବା ଭିତରେ ନାଟକ ପ୍ରତି ଥିବା ସମର୍ପିତ ମନୋଭାବ ତାଙ୍କୁ ଏ ଦିଗକୁ କିପରି ଟାଣି ନେଉଥିଲା ସେ ସମ୍ପର୍କରେ ସମସ୍ତଙ୍କୁ କହିଥିଲେ । ବରିଷ୍ଠ ସାମ୍ୱାଦିକ ତଥା ‘ରଚନା’ର ଉପସଭାପତି କବି ଆନଂଦ ଚନ୍ଦ୍ର ସାହୁ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ପରେ ପରେ ରବିଶଙ୍କର ପ୍ରଧାନ, ରାମଶଙ୍କର ଶତପଥି, କସ୍ତୁରୀ ରଥ, କେଶବ ଚନ୍ଦ୍ର ମିଶ୍ର, ପ୍ରଶାନ୍ତ ଯୋଶୀ ପ୍ରମୁଖଙ୍କ କିଛି ପ୍ରଶ୍ନର ସରଳ ଉତ୍ତର ରଖିଥିଲେ ଶ୍ରୀଯୁକ୍ତ ଛୁରିଆ । ବଲାଙ୍ଗିର ସହରର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ ‘ରଚନା’ର ସହସମ୍ପାଦକ ରତ୍ନମୟ ତ୍ରିପାଠୀ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ‘ରଚନା’ର ସଭାପତି ସନାତନ ଠାକୁର । ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, କଳାକାର ଓ ନାଟ୍ୟପ୍ରେମୀ ଉପସ୍ଥିତ ଥିଲେ ।