ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗିବାଡ଼ି ଥାନା ଅଧୀନ ଦାସିଙ୍ଗବାଡ଼ିରେ ଏସ୍ଟିଏଫ୍ ପକ୍ଷରୁ ଚଢ଼ଉ କରାଯାଇ ଗୋଟିଏ ଚିତାବାଘ ଛାଲ ସହିତ ଗୋଟିଏ ଦେଶୀବନ୍ଧୁକ ଜବତ କରାଯାଇଛି । ଘଟଣାରେ ଦାରିଙ୍ଗବାଡି ଥାନା ଅଧୀନ ଗୋହିବାଡ଼ିର ଘନେଶ୍ୱର ପ୍ରଧାନ (୩୫)ଙ୍କୁ ଗିରଫ କରାଯାଇଛି । ଘନେଶ୍ୱରଙ୍କ ନିକଟରେ ବାଘଛାଲ ଓ ବନ୍ଧୁକ ଥିବା ନେଇ ଏସ୍ଟିଏଫ୍ ଟିମ୍ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା । ତାକୁ ଗିରଫ କରାଯାଇ ଦାରିଙ୍ଗିବାଡ଼ି ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା । ଏନେଇ ଏସ୍ଟିଏଫ୍ ଟିମ୍ ଏକ ମାମଲା ରୁଜୁ କରିଛି । ଏହି ଚଢ଼ଉରେ ଏସ୍ଟିଏଫ୍ ସମେତ ଫୁଲବାଣୀ ଏବଂ ବାଲିଗୁଡ଼ା ବନଖଣ୍ଡର କର୍ମଚାରୀମାନେ ସାମିଲ ଥିଲେ । ତେବେ ଜବତ ହେବା ପରେ ଏହି ଚିତାବାଘ ଛାଲର ପରୀକ୍ଷଣ ପାଇଁ ଡେରାଡୁନ୍ ସ୍ଥିତ ଡବ୍ଲୁଆଇଆଇକୁ ପଠାଯାଇଛି ବୋଲି ଏସ୍ଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି । ଜବତ ହୋଇଥିବା ଦେଶୀ ବନ୍ଧୁକକୁ ରସୁଲଗଡ଼ ସ୍ଥିତ ଏସ୍ଏଫ୍ଏସ୍ଏଲ୍ ଲାବୋରେଟୋରିକୁ ପଠାଯାଇଛି । ଏସଂକ୍ରାନ୍ତରେ ତଦନ୍ତ ଜାରି ରହିଛି ଏବଂ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ସେ ନେଇ ଅଧିକ ଖୋଳତାଡ଼ ଜାରି ରହିଛି ।