ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଲକ୍ଷ ଲକ୍ଷ ଟଙ୍କାର ହଜାର ହଜାର ବୋତଲ କଫ ସିରଫ ଜବତ । ଭୁବନେଶ୍ଵରରୁ ବଲାଙ୍ଗିର ଜିଲ୍ଲାକୁ ଅଭିନବ ଉପାୟରେ ହେଉଥିଲା ବିପୁଳ ପରିମାଣର କଫ ସିରଫ ଚୋରା ଚାଲାଣ । କୌଣସି ସୂତ୍ରରୁ ସୂଚନା ପାଇ ସୁବର୍ଣ୍ଣପୁର ପୋଲିସ ତତ୍ପର ହୋଇ ଉଠିଥିଲା । ଏସ୍ପି ନାରାୟଣ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏଡିସିନାଲ ଏସ୍ପି କେ.କେ ହରିପ୍ରସାଦ, ସୋନପୁର ଆଇଆଇସି ଯାଦବ ବାଗଙ୍କ ନେତୃତ୍ୱରେ ପୋଲିସ ଟିମ ସୋନପୁର ସହରର ବ୍ଲକ ଛକ ନିକଟରେ ଥିବା ଡେଲି ମାର୍କେଟ ଆଗରେ ଛକି ରହିଥିଲେ । ଭୁବନେଶ୍ଵର ପଟୁ ଏକ ପିକଅଫ ଭ୍ୟାନ ନଂ ଓଡି୦୩ଏଇ- ୦୧୫୪ରେ ବିପୁଳ ମୃଦୁ ପାନୀୟ ବୋଝେଇ ହୋଇ ଆସୁଥିବା ଦେଖିବାକୁ ପାଇଥିଲେ । ସନ୍ଦେହରେ ଗାଡିକୁ ଅଟକାଇ ଯାଞ୍ଚ କରିବାରୁ ଗାଡ଼ିରେ ଅଭିନବ ଉପାୟରେ ଉପରେ ମୃଦୁ ପାନୀୟ ବୋଝେଇ ହୋଇ ଥିବାବେଳେ ଭିତରେ ୨୫ ଗୋଟି ବଡ଼ ପେଟି ଥିବା ଦେଖିବାକୁ ପାଇଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପେଟି ଖୋଲି ଯାଞ୍ଚ କରାଯିବାରୁ ବଡପେଟି ଭିତରୁ ୧୫୦ ଗୋଟି ଛୋଟ ପେଟିରୁ ପ୍ରାୟ ୩୭୫୦ ବୋତଲ କଫ ସିରଫ ବାହାରିଥିଲା । ଯାହାର ବଜାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ । ଗାଡିରେ ଥିବା ବଲାଙ୍ଗିର ସହରର ଦୁଇ ଅଭିଯୁକ୍ତ ନିଖିଲ ଅଦାବର (୨୨) ଓ ଶିବା ବାଘ (୨୪) ଉଭୟଙ୍କୁ ପୋଲିସ ଗିରଫ କରିବା ସହ ଗାଡିକୁ ମଧ୍ୟ ଜବତ କରିଛି ପୋଲିସ । ଏହି କଫ ସିରଫ ସେମାନେ ଭୁବନେଶ୍ୱରରୁ ବଲାଙ୍ଗିର ଜିଲ୍ଲାକୁ ନେଉଥିବା ସୂଚନା ଦେଇଛନ୍ତି । ସେପଟେ ଏହାକୁ ନିଶା ଭାବରେ ବ୍ୟବହାର କରି ଯୁବ ସମାଜ ପଥଭ୍ରଷ୍ଟ ହେଉଥିବା ବେଳେ ଏଭଳି କାର୍ୟ୍ୟାନୁଷ୍ଠାନ ପାଇଁ ସୋନପୁର ପୋଲିସକୁ ଜନସାଧାରଣରେ ପ୍ରଶଂସା କରାଯାଇଛି ।