ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ପୁଲିସକୁ ମିଳିଛି ବଡ଼ ସଫଳତା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗତକାଲି ରାତିରେ ବିପୁଳ ପରିମାଣର ୮ କ୍ଵିଣ୍ଟାଲ ୯୧ କେଜି ଗଞ୍ଜେଇ, ୩ ଗୋଟି ଚାରି ଚକିଆ ଗାଡି ସହ ଜଣକୁ ଗିରଫ କରିଛି ସୋନପୁର ପୁଲିସ୍ । ବେପାରୀମାନଙ୍କ ଦ୍ୱାରା ଗଞ୍ଜେଇ ପରିବହନ ସମ୍ପର୍କରେ ବିଶେଷ ସୂଚନା ପାଇ ଗତକାଲି ରାତିରେ ତତ୍ପର ହୋଇ ଉଠିଥିଲା ସୋନପୁର ପୁଲିସ୍ । ଏସପି ନାରାୟଣ ନାୟକଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ଥାନା ଅଞ୍ଚଳରେ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ଚେକିଂକୁ କଡ଼ାକଡ଼ି କରାଯାଇଥିବା ବେଳେ ସୋନପୁର ସଦର ଥାନା ଆଇଆଇସି ଯାଦବ ବାଗଙ୍କ ନେତୃତ୍ଵରେ ମନମୁଣ୍ଡା- ସୋନପୁର ରାସ୍ତାରେ କଡ଼ା ନଜର ରଖାଯାଇଥିଲା । ସକାଳ ଭୋର୍ ୩ଟା ରୁ ୫ଟା ମଧ୍ୟରେ ସୋନପୁର ପୋଲିସ ଟିମ୍ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପାର୍ଶ୍ୱରୁ ବେଆଇନ ଗଞ୍ଜେଇ ପରିବହନ କରାଯାଉଥିବାବେଳେ ଏକ ଗଞ୍ଜେଇ ବୋଝେଇ ଏର୍ଟିଗା ଗାଡ଼ିକୁ ଚିହ୍ନଟ କରି ପିଛା କରିଥିଲା । ଗାଡ଼ିର ଡ୍ରାଇଭର ଏବଂ ଅନ୍ୟ ଅପରାଧୀମାନେ କୁଞ୍ଜ ଛକ ଏବଂ ନଳିନୀ ଛକ ମଧ୍ୟରେ ଗଞ୍ଜେଇ ବୋଝେଇ ଗାଡ଼ିଟିକୁ ଛାଡି ପଳାଇବାରେ ସଫଳ ହୋଇଥିଲେ । ପରେ ଗାଡିରେ ଲାଗିଥିବା ନକଲି ନମ୍ବର ପ୍ଲେଟ୍ ଓଡ଼ି୦୨ ସିଏନ୍ ୩୪୨୫ ବିଶିଷ୍ଟ ମାରୁତି ଏର୍ଟିଗା ଗାଡ଼ିଟି ଯାଞ୍ଚ କରାଯାଇଥିଲା ବେଳେ ସେଥିରୁ ୩୪୦ ପ୍ୟାକେଟ ଗଞ୍ଜେଇ ବାହାରି ଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାହା ଓଜନ କରାଯିବାରୁ ୩ କ୍ୱିଣ୍ଟାଲ ୩୦ କେଜି ଓଜନର ଗଞ୍ଜେଇକୁ ଜବତ କରାଯାଇଥିଲା । ଏହି ସମ୍ପର୍କରେ ସୋନପୁର ପିଏସ୍ କେସ୍ ନଂ ୭୮, ତା ୦୭/୦୩/୨୬, ଏନ୍ଡ଼ିପିଏସ୍ ଆଇନ ଅନୁଯାୟୀ ଏକ ମାମଲା ପଞ୍ଜିକୃତ ହୋଇଥିବା ବେଳେ ଅଧିକ ତଦନ୍ତ ଚାଲିଛି । ସେହିପରି ସକାଳ ୪ ଟା ରୁ ୬ଟା ମଧ୍ୟରେ ଉଲୁଣ୍ଡା ପିଏସ୍ ଟିମ୍ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପାର୍ଶ୍ୱରୁ ଗଞ୍ଜେଇ ବ୍ୟବସାୟୀଙ୍କ ଦ୍ୱାରା ପରିବହନ କରାଯାଉଥିବା ୨ ଗୋଟି ଚାରି ଚକିଆ ଗାଡ଼ି ଗଞ୍ଜେଇ ଧରି ଚିହ୍ନଟ କରିଥିଲେ ଏବଂ ଉକ୍ତ ଗାଡ଼ି ଗୁଡ଼ିକୁ ପିଛା କରିଥିଲେ । ସୋନପୁର ସମ୍ବଲପୁର ରାସ୍ତାର ଉଲୁଣ୍ଡା-ସିନ୍ଧୋଲ ମଝିରେ ନକଲି ନମ୍ବର ପ୍ଲେଟ୍ ଓଡ଼ି୩୦ବି-୭୭୬୯ ବିଶିଷ୍ଟ ଗଞ୍ଜେଇ ବୋଝେଇ ଟାଟା ଟିଆଗୋ ଗାଡ଼ିର ଡ୍ରାଇଭର ସୁନ୍ଦରଗଡ଼ର ଅମର ସାହୁ (୨୩)କୁ ଗିରଫ କରିବା ସହ ଗାଡ଼ିକୁ ଯାଞ୍ଚ କରାଯାଇଥିଲା ବେଳେ ସେଥିରେ ୨୭୯ ପ୍ୟାକେଟ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ତାକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯିବାରୁ ୨ କ୍ଵିଣ୍ଟାଲ ୭୬ କେଜି ଓଜନର ଗଞ୍ଜେଇକୁ ଜବତ କରାଯାଇଥିଲା । ଏହି ସମ୍ପର୍କରେ ଉଲୁଣ୍ଡା ପିଏସ୍ କେସ୍ ନଂ.୩୯/୨୦୨୬ ଏନ୍ଡ଼ିପିଏସ୍ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯିବା ସହ ଅଧିକ ତଦନ୍ତ ଚାଲିଥିବା ଏସପି କହିଛନ୍ତି । ସେହିପରି ଉଲୁଣ୍ଡା- ସିନ୍ଧୋଲ ରାସ୍ତାରେ ଆଉ ଏକ ନକଲି ନମ୍ବର ପ୍ଲେଟ୍ ଓଡ଼ି୦୨ଏଜି ୩୪୦୨ ବିଶିଷ୍ଟ ଗଞ୍ଜେଇ ବୋଝେଇ ମାରୁତି ଡିଜାୟାର ଗାଡ଼ି ଜବତ କରାଯାଇଥିଲା ବେଳେ ଉକ୍ତ ମାରୁତି ଡିଜାୟାର ଗାଡ଼ିଟି ଯାଞ୍ଚ କରାଯିବାରୁ ସେଥିରୁ ୨୯୧ ପ୍ୟାକେଟ ଗଞ୍ଜେଇ ବାହାରିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାକୁ ଓଜନ କରାଯିବାରୁ ସେଥିରେ ୨ କ୍ଵିଣ୍ଟାଲ ୮୫ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ଏହି ସମ୍ପର୍କରେ ଉଲୁଣ୍ଡା ପିଏସ୍ କେସ୍ ନଂ.୪୦/୨୦୨୬ ଏନ୍ଡ଼ିପିଏସ୍ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି ଏବଂ ଗଞ୍ଜେଇ ମାଫିଆମାନଙ୍କୁ ଶୀଘ୍ର ଚିହ୍ନଟ କରି ପୁଲିସ୍ ଗିରଫ କରିବ ବୋଲି ଏସପି ନାରାୟଣ ନାୟକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
Prev Post
Next Post