ରାଉରକେଲା, (ସସ୍ମିତା ପ୍ରଧାନ) : ସହରରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନଗୁଡ଼ିକରେ ନକଲି ବିଦେଶୀ ମଦ ବିକ୍ରୟ ହେଉଥିବା ଏବଂ ମୁଦ୍ରିତ ଦାମ୍ ଠାରୁ ଅଧିକ ଦାମ୍ ନେଉଥିବା ବହୁ ଅଭିଯୋଗ ପରେ, ରାଉରକେଲା ଅବକାରୀ ଅଧିକ୍ଷକ ଘଟଣାକୁ ଗୁରୁତର ସହ ନେବା ସହିତ ଓଡିଶା ଅବକାରୀ ଆୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଅଚାନକ ଯାଞ୍ଚ କରାଯାଇଥିଲା । ଏଥିରେ ରାଉରକେଲା ଅବକାରୀ ଇନିସପେକ୍ଟର ଏବଂ ତାଙ୍କ ଟିମ୍ ସହରର ବିଭିନ୍ନ ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ ଅଚାନକ ଯାଞ୍ଚ କରିଥିଲେ । ଏହି ଯାଞ୍ଚ ସମୟରେ ଦେଖାଯାଇଥିଲା ଯେ, ସହରର ବିର୍ସା ଛକ ଠାରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନ ଭିତରେ କେତେକ ବ୍ୟକ୍ତି ପଶି ନକଲି ବିଦେଶୀ ମଦ ବ୍ରାଣ୍ଡ ପ୍ରସ୍ତୁତ କରୁଛନ୍ତି । ସେଠାରୁ ମିଳିଥିବା ଖାଲି ମଦ ବୋତଲ, ସିଲ୍ କରିବା ପାଇଁ ଠିପି, ବ୍ରାଣ୍ଡ୍ ଲେବୁଲ ଏବଂ ପ୍ୟାକିଂ ପାଇଁ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା । ଏ ବିଷୟରେ ଆଜି ରାଉରକେଲା ଅବକାରୀ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଉରକେଲା ଅବକାରୀ ବିଭାଗ ଅଧୀକ୍ଷକ ଝସକେତନ ବାରିହା ଏବଂ ଅବକାରୀ ବିଭାଗ ନିରୀକ୍ଷକ ମୋହନ ପ୍ରଧାନ । ଅବକାରୀ ବିଭାଗ ଅଧୀକ୍ଷକ ଶ୍ରୀ ବରିହା ସୂଚନା ଦେଇଥିଲେ ଯେ, ବିର୍ସା ଛକ ଠାରେ ଥିବା ବିଦେଶୀ ମଦ ଦୋକାନୀଙ୍କର ଆଉ କେତେକ ମଦ ଦୋକାନ ମଧ୍ୟ ରହିଛି । ସେହି ମଦ ଦୋକାନଗୁଡିକୁ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ କରାଯିବା ସହିତ ମଦ ଦୋକାନର କର୍ମଚାରୀମାନଙ୍କ ରହୁଥିବା ସ୍ଥାନରେ ଗତକାଲି ରାତିରେ ମଧ୍ୟ ଯାଞ୍ଚ କରାଯାଇଥିଲା । ସେଠାରୁ କିଛି ନକଲି ସାମଗ୍ରୀ ମିଳିନଥିଲା ବୋଲି ସୂଚନା ଦେଇଛନ୍ତି ଅବକାରୀ ଅଧିକ୍ଷକ ଶ୍ରୀ ବରିହା । ଏଥିସହିତ ସେ ସୂଚନା ଦେଇଥିଲେ ଯେ, ଯେଉଁ ୩ ଅଭିଯୁକ୍ତଙ୍କୁ ବିର୍ସା ଛକରୁ ଗିରଫ କରାଯାଇଥିଲା, ସେମାନଙ୍କୁ ପଚରାଉଚରା କରିବା ପରେ ଜଣାଯାଇଥିଲା ଯେ, ଏଠାରେ ଆବଶ୍ୟକତା ବେଶୀ ହେଉଥିବାରୁ ମଝିରେ ମଝିରେ ସମ୍ବଲପୁରରୁ ଜଣେ ବ୍ୟକ୍ତି ନକଲି ବିଦେଶୀ ମଦ ଠିପି ଲେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ପଠାଉଥିଲେ । ଏହି ଘଟଣା ପରେ ସମ୍ବଲପୁରରେ ମଧ୍ୟ ଯାଞ୍ଚ କରାଯିବା ସହିତ କେତେକ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି । ଏଥିସହିତ ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି ଯେ, ନକଲି ବିଦେଶୀକୁ ନେଇ ଏକ ରାକେଟ୍ ଚାଲୁଥିବା ସନ୍ଦେହ କରାଯାଉଛି ଏବଂ ଏବିଷୟକୁ ନେଇ ଅଧିକ ତଦନ୍ତ ଜାରି ରହିଛି । ବିର୍ସା ଛକରେ ଥିବା ମଦ ଦୋକାନକୁ ସିଲ୍ କରିଦିଆଯିବା ସହିତ ଜବତ ହୋଇଥିବା ୩୯ ବୋତଲ ବିଦେଶୀ ମଦକୁ ରାସାୟନିକ ଯାଞ୍ଚ ପାଇଁ ପଠାଯାଇଛି । ଜବତ କରାଯାଇଥିବା ବିଦେଶୀ ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ ବୋଲି ସେ କହିଥିଲେ । ଅବକାରୀ ଅଧିକ୍ଷକ ଶ୍ରୀ ବରିହା କହିଥିଲେ, ସନ୍ଦେହ କରାଯାଉଛି ଯେ, ଏଥିରେ ପାଣି ମିଶା ଯାଉଥିଲା ନା ଅନ୍ୟ କୌଣସି ରାସାୟନିକ ଜିନିଷ ମିଶାଇ ପ୍ରସ୍ତୁତ କରାଯାଉଥିଲା । ଯାଞ୍ଚ ରିପୋର୍ଟ ଆସିବା ପରେ ତାହା ଜଣାପଡିବ ଏବଂ ଆବଶ୍ୟକ ହେଲେ ଲାଇସେନ୍ସିଙ୍କ ଲାଇସେନ୍ସ ମଧ୍ୟ ନାକଚ କରାଯିବା ସହିତ ଲାଇସେନ୍ସିଙ୍କ ବିରୁଦ୍ଧରେ ଅବକାରୀ ଆଇନର ଧାରା ୫୨/୫୯/୬୨ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ଅଧିକ୍ଷକ ଶ୍ରୀ ବରିହା ସୂଚନା ଦେଇଛନ୍ତି । ଏହି ଘଟଣାରେ ରାଉରକେଲାରେ ୩ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହିତ ଆଉ ଜଣଙ୍କୁ ସମ୍ବଲପୁରରୁ ଗିରଫ କରାଯାଇଛି, ଯିଏକି ସମ୍ବଲପୁରରୁ ସପ୍ଲାଇ କରୁଥିଲେ ବୋଲି ସୂଚନା ଦେଇଛନ୍ତି ରାଉରକେଲା ଅବକାରୀ ଅଧିକ୍ଷକ । ରାଉରକେଲାରେ ଗିରଫ ହୋଇଥିବା ୩ ଅଭିଯୁକ୍ତ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଛତିଶଗଡ ରାୟପୁର ଜିଲ୍ଲାର କ୍ରିଷ୍ଣାନଗର ଏବଂ ବର୍ତ୍ତମାନ ଠିକଣା ଗାନ୍ଧୀ ରୋଡର ସନ୍ଦୀପ ଗୁପ୍ତା (୪୪), ବିହାର ଔରଙ୍ଗାବାଦ ଜିଲ୍ଲା ମଦନପୁରର ଜୟପ୍ରକାଶ ଗୁପ୍ତା (୪୫) ଏବଂ ସେ ବର୍ତ୍ତମାନ ରାଉରକେଲା ଷ୍ଟେସନ ଗୁରୁଦ୍ଵାର ରୋଡରେ ରହୁଛନ୍ତି, ସେହିପରି ତୃତୀୟ ଅଭିଯୁକ୍ତ ହେଲେ ଛତିଶଗଡ ବିଳାସପୁର ଜିଲ୍ଲା ସରେଇପାଲିର ଶିବସିଂହ ଗଣ୍ଡ (୩୪) ଏବଂ ସେ ବର୍ତ୍ତମାନ ରାଉରକେଲା ଷ୍ଟେସନ ରୋଡ୍ ଗୁରୁଦ୍ଵାର ରୋଡରେ ରହୁଛନ୍ତି ବୋଲି ସୂଚନା ଦିଆଯାଇଛି ।
Next Post