ମାକ୍ସ ପିକ୍‌ଅପ୍‌ ଭ୍ୟାନ୍‌ ସହ ୨୨ଗଣ୍ଡି କେନ୍ଦୁ କାଠ ଜବତ

  • ପୁଲିସ୍ ବିଭାଗ ଧରିଲା ଜଙ୍ଗଲ ବିଭାଗକୁ ହସ୍ତାନ୍ତର
  • ଚୋରା ଚାଲାଣକାରୀ ଓ ଡ୍ରାଇଭର୍‌ ଫେରାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରୁ ମୂଲ୍ୟବାନ କାଠ ଚୋରା ଚାଲାଣ କମିବାର ନାଁ ନେଉନାହିଁ । ପୁର୍ବରୁ ଦୁଇ ଦିନରେ ଦୁଇଟି ସ୍ଥାନରୁ କାଠ ଚୋରା ଚାଲାଣକୁ ଜଙ୍ଗଲ ବିଭାଗ ପକ୍ଷରୁ ଧରାଯାଇଥିବା ବେଳେ ସୋମବାର ମଧ୍ୟ ପୁଣି କାଠ ଚୋରା ଚାଲାଣ ଧରାପଡିଛି । ଏଥର ଜଙ୍ଗଲ ବିଭାଗକୁ ପୁଲିସ୍ ବିଭାଗ ମଧ୍ୟ ସହାୟତା କରିଥିବା ଦେଖିବାକୁ ମିଳିଛି । ମୁରିବାହାଲ ପୁଲିସ ସୋମବାର ରାତିରେ ଗୁଡିଘାଟ ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଘୁସୁରାମୁଣ୍ଡା ଦେଇ କୁମ୍ଭାରି ଗ୍ରାମ ଆଡ଼କୁ ଏକ ବୋଲେରୋ ମ୍ୟାକ୍ସ ପିକ୍‌ଅପ୍‌ ଭ୍ୟାନ୍‌ (ଓଡ଼ି ୧୩ ଜେ ୬୦୦୭) ଦୃତ ଗତିରେ ଯାଉଥିବା ବେଳେ ଏଥିରେ କୌଣସି ଜିନିଷ ଚୋରା ଚାଲାଣ ହେଉଥିବା ସନ୍ଦେହରେ ପୁଲିସ୍ ଗାଡ଼ିକୁ ଅଟକାଇଥିଲା । ଗାଡ଼ି ଚେକିଂ କରିବାରୁ ଏଥିରେ ମୂଲ୍ୟବାନ କେନ୍ଦୁକାଠ ଚୋରା ଚାଲାଣ ହେଉଥିବା ଜାଣିପାରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଥିଲା । ପୁଲିସ୍ ଗାଡ଼ିକୁ ଦେଖି ଗାଡ଼ିର ଡ୍ରାଇଭର୍‌ ଓ ମୁଖ୍ୟ ଚୋରା ଚାଲାଣକାରୀମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ । ଏହି ପିକ୍‌ଅପ୍ ଭ୍ୟାନରେ ମୋଟ୍‌ ୨୨ଗଣ୍ଡି ମୂଲ୍ୟବାନ କେନ୍ଦୁକାଠ ଚୋରା ଚାଲାଣ ହେଉଥିଲା । ମୁରିବାହାଲ ଜଙ୍ଗଲ ବିଭାଗ ରେଞ୍ଜର ନିଲାନ୍ଦ୍ରୀ ଭୋଇଙ୍କ ନେତୃତ୍ବରେ ଫରେଷ୍ଟର ପୁଷ୍ପାଞ୍ଜଳି ଯୋଶୀ, ଫରେଷ୍ଟ ଗାର୍ଡ ଅଜିତ ବେହେରାଙ୍କ ସହ ବରୁଣ ସାହୁ, ଶିବ ନାଗ, ଓଙ୍କାରି ବାଗ ଓ କୁବେର ଠେଲା ପହଞ୍ଚି ଗାଡ଼ିକୁ ଜବତ କରି ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲେ । ବାରମ୍ବାର ଏହି ରେଞ୍ଜ ଅଞ୍ଚଳରୁ ମୂଲ୍ୟବାନ କାଠ ଚୋରା ଚାଲାଣ ଅଭିଯୋଗ ହେଉଥିଲେ ମଧ୍ୟ କେବଳ କାଠ ଓ ଗାଡ଼ି ଧରା ପଡ଼ୁଥିବା ବେଳେ କେବେବି ମୁଖ୍ୟ କାର୍ପଟଦାର, କାଠ ଚାଲାଣକାରୀ, ଦଲାଲ କିମ୍ବା ଡ୍ରାଇଭର୍‌ମାନେ ଧରାପଡୁନଥିବାରୁ ଏମାନଙ୍କ ଅସଲ ମୁଖା ଖୋଲାଯାଇ ପାରୁନାହିଁ । ବଲାଙ୍ଗିର ଜିଲ୍ଲାରେ କୋଟି କୋଟି ଟଙ୍କାର ବନୀକରଣ ଓ ମନରେଗା କାର୍ଯ୍ୟ ଚାଲୁଥିବା ବେଳେ ଜଙ୍ଗଲରୁ ମୂଲ୍ୟବାନ କାଠ ଚୋରା ଚାଲାଣକୁ ରୋକା ଯାଉ ନଥିବାରୁ ଜିଲ୍ଲା ଡିଏଫଓ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଢ଼ ଦାବୀ ହେଉଛି ।

Leave A Reply

Your email address will not be published.