ଲାଠୋର ପୋଲିସର ସଫଳତା, ୧୩ କ୍ୱିଣ୍ଟାଲ ୧୯ କେଜି ଗଞ୍ଜେଇ ଜବତ ଯାହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦିନକୁ ଦିନ ଲାଠୋର ଥାନା ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ବଢ଼ିବାରେ ଲାଗିଛି । ପୋଲିସ ବିଭାଗର ଏଥିପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଆଜି ଲାଠୋର ପୋଲିସ ଲାଠୋରରୁ ଖରିଆର ରୋଡ଼ ରାସ୍ତାରେ ଥିବା ମସିଣା ଛକ ଠାରୁ ୧୩ କ୍ୱିଣ୍ଟାଲ. ୧୯ କେ.ଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁଯାୟୀ ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ମସିଣା ଛକ ଠାରେ ପୋଲିସ ପେଟ୍ରୋଲିଙ୍ଗ ସମୟରେ କନ୍ଧମାଳରୁ ନୂଆପଡା ଜିଲ୍ଲା ଅନ୍ତର୍ଗତ କୋମନାକୁ ଗଞ୍ଜେଇ ଚାଲାଣ ହେଉଥିବା ଲାଠୋର ଥାନାଧିକାରୀ ରାକେଶ ବେହେରା ଖବର ପାଇଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ଏକ ଟିମ୍‌ ଗଠନ କରି ଲାଠୋର ଥାନା ଅନ୍ତର୍ଗତ ମସିଣା ଛକ ଠାରେ ଚଢ଼ାଉ କରାଯାଇ ୧୩ କ୍ୱିଣ୍ଟାଲ ୧୯ କେ.ଜି ଗଞ୍ଜେଇ ସହ ଗୋଟିଏ ପିକ୍‌ଅପ ଭ୍ୟାନ ନଂ ଓଡି ୦୩ ଏସ୍‌ ୪୮୯୨ ଏବଂ ଦୁଇଟି ବାଇକ୍‌ ତନ୍ମଧ୍ୟରୁ ଗୋଟିଏ ବାଇକ୍‌ ଛତିଶଗଡ ରାଜ୍ୟ ନଂ ସିଜି ୦୪ଏନଜେ ୮୪୪୭ ଏବଂ ଓଡି ୨୬ଜି ୩୦୬୪କୁ ଜବତ କରାଯାଇଛି । କିନ୍ତୁ ଚଢ଼ାଉ ବେଳେ ପିକ୍‌ଅପ୍‌ ଗାଡିର ଡ୍ରାଇଭର୍‌ ଘଟଣା ସ୍ଥଳରୁ ଫେରାର ମାରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ଗିରଫ କରାଯାଇଥିବା ଅଭିଯୁକ୍ତ ମାନେ ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଯେଠୁପାଲି ଗ୍ରାମର କ୍ଷମାସାଗର ତାଣ୍ଡି ଏବଂ ବୃନ୍ଦାବନ ମହାନନ୍ଦ (୪୨) ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଚାଉଲବାଞ୍ଜି ଗ୍ରାମର ଭୀଷ୍ମ ସୁନା(୨୮) ବୋଲି ଜଣାପଡିଛି । ଘଟଣାସ୍ଥଳରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ପହଞ୍ଚି ମାଜିଷ୍ଟ୍ରେଟ ଦାୟିତ୍ୱ ତୁଲାଇଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଲାଠୋର ଥାନା ପକ୍ଷରୁ ସୂଚନା ମିଳିଛି । ଏନେଇ ଲାଠୋର ଥାନାଧିକାରୀଙ୍କୁ ପଚାରିବାରୁ ଘଟଣାର ଅଧିକ ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.