ବ୍ରାଉନସୁଗାର ଜବତ, ୨ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ୪୦୦ ଗ୍ରାମ ବ୍ରାଉନସୁଗାର, ନଗଦ ୨୬ ହଜାର ଟଙ୍କା ସହ ୨ ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ପୋଲିସ ତାଙ୍କଠାରୁ ଏକ ବୋଲେରୋ ଗାଡ଼ି ମଧ୍ୟ ଜବତ କରିଛି । ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧାର ସନ୍ଦୀପ ମହାନ୍ତି ଏବଂ ଢେଙ୍କାନାଳ ସଦର ଥାନା ଅଞ୍ଚଳର ଗଣେଶ୍ୱର ବେହେରା । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ । ଏହା ବିହାରରୁ ଖୋର୍ଦ୍ଧା ଆସୁଥିବା ଜଣାପଡିଛି । କୌଣସି ସୂତ୍ରରୁ ଖବରପାଇ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସଦର ଏସ୍‌ଡିପିଓ, ଟାଉନ ଅଧିକାରୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଗଡ଼ହଳଦିଆ ନିକଟରେ ଚଢ଼ାଉ କରିଥିଲା । ପୋଲିସ ଯାଞ୍ଚ ବେଳେ ଗାଡିରୁ ଜଣଙ୍କଠାରୁ ୩୫୦ ଓ ଆଉ ଜଣଙ୍କଠାରୁ ୫୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଶୁକ୍ରବାର ଟାଉନ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ ଏହି ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଦର ଏସ୍‌ଡିପିଓ ଦିଲୀପ ଦାସ, ଥାନା ଅଧିକାରୀ ତାରିକ ଅହମଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.