
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର କଦମପଡା ସ୍ଥିତ ଶାନ୍ତି ନଗର ଦେଇ ବିଷ୍ଣୁମୁଣ୍ଡା ବନ୍ଧକୁ ଯାଇଥିବା ରାସ୍ତାକୁ ପ୍ରକାଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ବେଆଇନ ଭାବେ ଜବର ଦଖଲ କରି ଗୋଦମ ଗୃହ ନିର୍ମାଣ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଜବର ଦଖଲ ଉଚ୍ଛେଦ କରିବା ନେଇ କଦମପଡା, ବିଷ୍ଣୁମୁଣ୍ଡା, ଖଲିଆପାଲି, କଂସାରୀପଡା(ଧୁବାପଡା) ଓ ନନ୍ଦିନୀ ନଗର ବାସନ୍ଦାମାନେ ରବିବାର ଏକ ଏକ ବୈଠକରେ ମିଳିତ ହୋଇଥିଲେ । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ପଡାବାସୀମାନେ ସୋମବାର ବଲାଙ୍ଗିର ପୌର ପରିଷଦର ନିର୍ବାହୀ ଅଧିକାରୀ ଓ ତହସିଲଦାରଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଛନ୍ତି । ବେଆଇନ ଭାବେ ନିର୍ମିତ ହୋଇଥିବା ଗୋଦମ ଗୃହକୁ ଉଚ୍ଛେଦ କରିବା ପାଇଁ ଲୋକେ ନିର୍ବାହୀ ଅଧିକାରୀ ଓ ତହସିଲଦାରଙ୍କ ନିକଟରେ ଦାବୀ କରିଥିଲେ । ଏ ସମ୍ପର୍କରେ ତୁରନ୍ତ ବିହିତ ପଦକ୍ଷେପ ନିଆଯିବ ବୋଲି ଉଭୟ ତହସିଲଦାର ଓ ପୌର ନିର୍ବାହୀ ଅଧିକାରୀ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ସହରରୁ ଆଟଗାଁ ଯାଇଥିବା ରାସ୍ତାର କଦମପଡା ଠାରେ ଏକ ରାସ୍ତା ଶାନ୍ତିନଗର ଦେଇ ବିଷ୍ଣୁମୁଣ୍ଡା ବନ୍ଧକୁ ଯାଇଛି । ଦୀର୍ଘ ବର୍ଷ ଧରି ଲୋକେ ଏହି ରାସ୍ତାକୁ ବ୍ୟବହାର କରି ଆସୁଥିଲେ । କିନ୍ତୁ ଇତି ମଧ୍ୟରେ ଏହି ରାସ୍ତାକୁ ପ୍ରକାଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ବେଆଇନ ଭାବେ ଜବର ଦଖଲ କରି ସେଠାରେ ଗୋଦାମ ଗୃହ ନିର୍ମାଣ କରଛନ୍ତି । କେବଳ ଏତିକି ନୁହେଁ ବନ୍ଧ ପାଶ୍ୱରେ ଏକ ମନ୍ଦିର ମଧ୍ୟ ରହିଛି । ରାସ୍ତା ଅବରୋଧ ହେବା ଯୋଗୁଁ ଲୋକେ ମନ୍ଦିରକୁ ମଧ୍ୟ ଯାଇ ପାରୁନାହାନ୍ତି । ଫଳରେ ଲୋକଙ୍କ ଧାର୍ମିକ ଭାବନା ଉପରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଛି । ଦାବୀପତ୍ର ପ୍ରଦାନ ସମୟରେ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।