ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ଗାନ୍ଧୀ ଷ୍ଟାଡ଼ିଅମ୍ ସାମ୍ନାରୁ ଜବର୍ଦଖଲ୍ ହଟାଇବାକୁ ଅଂଟାଭିଡ଼ିଲା ଜିଲ୍ଲା ପ୍ରଶାସନ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ଗାନ୍ଧୀ ଷ୍ଟାଡ଼ିଅମ୍ ସାମ୍ନାରୁ ଜବର୍ଦଖଲ୍ ହଟାଇବା ପାଇଁ ଆଜି ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ବଲାଙ୍ଗିର ତହସିଲ୍ଦାର ଡ.ପୁଷ୍ପାଂଜଳି ପଣ୍ଡାଙ୍କ ଉପସ୍ଥିତିରେ ଗାନ୍ଧୀ ଷ୍ଟାଡ଼ିଅମ୍ ସାମ୍ନାରେ ରହିଥିବା ଷ୍ଟଲ୍ ଗୁଡ଼ିକୁ ଚିହ୍ନଟ କରାଯାଇଥିବା ଦେଖିବାକୁ ମିଳିଛି । ତହସିଲ୍ଦାର ଡ. ପଣ୍ଡା କହିଛନ୍ତି ଯେ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜବର୍ଦଖଲ୍ରେ ଥିବା ଜାଗା ଚିହ୍ନଟ ଚାଲିଛି । ଗାନ୍ଧୀ ଷ୍ଟାଡ଼ିଅମ୍ରେ କୌଣସି କାର୍ଯ୍ୟକ୍ରମ ହେଲେ ପାର୍କିଂ ପାଇଁ ଅସୁବିଧା ସୃଷ୍ଟି ହେଉଥିବାରୁ ଏଭଳି ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ଷ୍ଟଲ୍ ମାଲିକ ପ୍ରଭାତ ଦାସ କହିଛନ୍ତି ଯେ, ଏହି ଷ୍ଟଲ୍ଗୁଡ଼ିକ ସରକାରୀ ଜାଗାରେ ନାହିଁ, ପ୍ରାଇଭେଟ୍ ଜାଗାରେ ରହିଛି । ଯାହା କାଗଜପତ୍ର ମତେ ମଗାଯାଇଛି, ମୁଁ ତହସିଲ୍ଦାର୍ ମାଡମ୍ଙ୍କୁ ଦେଖାଇଛି ।