
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଣାବାହାଲ-କର୍ଲାବାହାଲି ଛକରେ କଣ୍ଟାବାଞ୍ଜି ଅବକାରୀ ବିଭାଗ ତରଫରୁ ଚଢ଼ାଉ କରି ଏକ ବେଆଇନ୍ ମହୁଲ ବୋଝେଇ ବୋଲେରୋ ପିକଅପକୁ ଜବତ କରାଯାଇଛି । ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ କଣ୍ଟାବାଞ୍ଜି ଅବକାରୀ ବିଭାଗ ପିକ୍ଅପ୍ ( ଓଡି ୦୩ ଏନ-୬୭୧୨)କୁ ପିଛା କରିଥିଲା ପରେ ଗାଡି ସାଙ୍ଗରେ ୧୧. ୭ କୁଇଣ୍ଟାଲ ମହୁଲକୁ ଜବତ କରିବା ସହିତ ବାଗବାହାଲି ଗ୍ରାମର ଦୀନେଶ ମହାକୁର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଚଢ଼ାଉ ସମୟରେ ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ଓଆଇସି ସୁମୀତ କୁମାର ସାହୁ, ଏଏସ୍ଆଇ ହିଙ୍ଗୁଳା ସାହୁ, କନେଷ୍ଟବଳ ପ୍ରଫୁଲ୍ଲ ନାଗ, ଚନ୍ଦନ ପଟେଲ ଉପସ୍ଥିତ ଥିଲେ । ସେହି ସ୍ଥାନରେ ଅବକାରୀ ବିଭାଗ ଅନ୍ୟ ଦୁଇଟି ମହୁଲ ବୋଝେଇ ଗାଡିକୁ ଅଟକାଇ ଥିଲେ କିନ୍ତୁ ସେହି ଦୁଇଟି ଗାଡିକୁ ଧରି ନଥିଲା ଓ କୋଟିଏ ଗାଡ଼ିକୁ ଧରିଥିଲା ଏବଂ କାହିିଁକି ସେହି ଦୁଇଟି ଗାଡ଼ିକୁ ଧରିଲାନି ବୋଲି ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଏନେଇ ଓଆଇସି ସୁମିତ କୁମାର ସାହୁଙ୍କୁ ପଚାରିବାରୁ ଆମେ ଅନ୍ୟ ଦୁଇଟି ଗାଡିର କାଗଜପତ୍ର ଠିକ ଥିବାରୁ ଉଭୟ ଗାଡିକୁ ଛାଡି ଦେଇଥିଲୁ ବୋଲି ପ୍ରକାଶ କରିଥିଲେ । ଏ ସମ୍ପର୍କରେ ଅବକାରୀ ପିଆର କେଶନ ୦୩/୨୫-୨୬ ରୁଜ୍ଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଓଆଇସି ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ମୁରିବାହାଲ ବ୍ଲକ ଅଞ୍ଚଳରେ ବେଆଇନ୍ ମହୁଲ ଚୋରା ଚାଲାଣ କରିବା ପାଇଁ ଅସାଧୁ ବ୍ୟବସାୟୀମାନେ ନିଜ ନିଜର ଗୋଦାମରେ ହଜାର ହଜାର ବସ୍ତା ମହୁଲ ମହଜୁଦ ରଖିଥିବା ବେଳେ ଅବକାରୀ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନ ଥିବା ଅଭିଯୋଗ ହେଉଛି ।