jayashree

ସମ୍ଭାବ୍ୟ ବାତ୍ୟା ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ବୈଠକ

  • ସମସ୍ତ ବାଧ୍ୟତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର
  • ମିଥ୍ୟା ସମ୍ବାଦ ତଥା ଆକଳନ ଉପରେ ଧ୍ୟାନ ନ ଦେବାକୁ ପରାମର୍ଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ସାମ୍‌ନା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଅତିରିକ୍ତ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି ।

ଭାରତୀୟ ପାଣିପାଗ କେନ୍ଦ୍ର ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରର ପାଶ୍ୱର୍ବର୍ତ୍ତୀ ଅଂଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଆସନ୍ତା ୨୨ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ଆସନ୍ତା ୨୨ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ୭୨ ଘଣ୍ଟା ମଦ୍ୟରେ ୨୫ ତାରିଖ ସୁଦ୍ଧା ସାମୁଦ୍ରିକ ବାତ୍ୟାର ରୂପ ନେବାର ପୂର୍ବାନୁମାନ କରାଯାଇଛି । ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେଲେ ଏହା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ଏହି ସମ୍ଭାବନାକୁ ଭିତ୍ତି କରି ପ୍ରାକ୍‌ ଆକଳନ ସ୍ୱରୂପ ସମସ୍ତ ଉପକୂଳ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ଓ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ମତ୍ସ୍ୟଜୀବୀମାନଙ୍କୁ ସତର୍କ ରହିବାକୁ ଏବଂ ୨୨ ତାରିଖ ସୁଦ୍ଧା ଉପକୂଳକୁ ଫେରି ଆସିବାକୁ କୁହାଯାଇଛି ଏବଂ ଏ ସମୟରେ ଆଉ କେହି ସମୁଦ୍ର ମଧ୍ୟକୁ ନ ଯିବାକୁ କୁହାଯାଇଛି । ଉପକୂଳବର୍ତ୍ତୀ ଅଂଚଳରେ ମାଇକ୍‌ ମାଧ୍ୟମରେ ପ୍ରଚାର କରାଯାଇ ଏ ବିଷୟରେ ଜଣାଇ ଦିଆଯିବ ବୋଲି ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀ ଜେନା ଏ ସଂପର୍କରେ ଓଡ଼ିଶା ପୋଲିସ, ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ ସେବା, ଓଡ୍ରାଫ, ଭାରତୀୟ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକଙ୍କ ସହ ଭର୍ଚୁଆଲ ବୈଠକରେ ଆଲୋଚନା କରିଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା ପୁନଶ୍ଚ କହିଛନ୍ତି ଯେ, ଲଘୁଚାପର ତୀବ୍ରତା, ବେଗ, ରୂପ ବାବଦରେ ଏ ପର୍ଯ୍ୟନ୍ତ ସଠିକ୍‌ ଆକଳନ କରାଯାଇନାହିଁ ଏବଂ ଏହା କେଉଁଠାରେ ସ୍ଥଳଭାଗ ସ୍ପର୍ଶ କରିବ ଜଣା ପଡ଼ିନାହିଁ । ଏଣୁ କୌଣସି ପ୍ରକାର ମିଥ୍ୟା ସମ୍ବାଦ ତଥା ଆକଳନ ଉପରେ ଧ୍ୟାନ ନଦେବାକୁ ସେ ସତର୍କ କରାଇ ଦେଇଛନ୍ତି । ରାଜ୍ୟ ସରକାର ଏହି ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ପୂର୍ବ ପ୍ରସ୍ତୁତି କରିବା ନିମନ୍ତେ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇ ସାରିଛନ୍ତି ।

Leave A Reply

Your email address will not be published.