ବଲାଙ୍ଗିର, (କେପିଏନ୍ଏସ୍) : ବରଗଡ଼ର ସୋହେଲାଠାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ସମଗ୍ର ଓଡ଼ିଶାର ଚାଷୀମାନଙ୍କ ପାଇଁ କ୍ୱିଣ୍ଟାଲ ପ୍ରତି ୮୦୦ ଟଙ୍କା ଇନପୁଟ୍ ସବସିଡି ବଣ୍ଟନ କରୁଛନ୍ତି । ସେହି ପରିପ୍ରେକ୍ଷୀରେ ଜିଲ୍ଲାର ଚାଷୀମାନେ ବଲାଙ୍ଗିର ସ୍ଥିତ କୋଶଳ କଳା ମଣ୍ଡଳ ପଡ଼ିଆଠାରେ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସଲୱାର ଯୋଗଦେଇ ଜିଲ୍ଲାବାସୀଙ୍କୁ ସ୍ୱାଗତ କରିବା ସହ ଉଦ୍ବୋଧନ ଦେଇଥିଲେ । ସୂଚନା ଥାଉକି ପଞ୍ଜିକୃତ ଚାଷୀଙ୍କ ମନରେ ଯେପରି କୌଣସି ଦ୍ଵନ୍ଦ ନରୁହେ, ସେଥିପାଇଁ ପ୍ରତ୍ୟେକ ମଣ୍ଡିର ସୂଚନା ଫଳକରେ ମଣ୍ଡି ନୋଡଲ ଅଫିସର ଓ ମଣ୍ଡି ସୁପରଭାଇଜରଙ୍କ ନାମ ସହିତ ତାଙ୍କ ମୋବାଇଲ ନମ୍ୱର ପ୍ରଦର୍ଶନ କରାଯାଉଛି । ଏହା ଛଡା, ପ୍ରତ୍ୟେକ ମଣ୍ଡିରେ ସିସିଟିଭି ଲଗାଇବା ସହତି ଏକ ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ ଓଡିଶା ଯୋଗାଣ ନିଗମ, ଭୁବନେଶ୍ୱର ଠାରେ ବ୍ୟବସ୍ଥା ମଧ୍ୟ କରାଯାଇଛି । ଧାନ ପରିବହନକାରୀ ଯାନ ଗୁଡିକର ଗତିବିଧି ଉପରେ ନଜର ରଖିବା ପାଇଁ ସମସ୍ତ ସୀମା ଯାଞ୍ଚ ପଏଣ୍ଟରେ ସିସିଟିଭି ଏବଂ କ୍ୟାମେରା ଧାରୀ ଗାଡିର ବ୍ୟବସ୍ଥା କରିବା ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ଯେପରି ଏହି ପ୍ରକ୍ରିୟାରେ କୌଣସି ପ୍ରକାରର ଅସୁବିଧା ନହୁଏ । ଯେହେତୁ ଚଳିତ ଧାନ କ୍ରୟ ଋତୁରେ ସୀମା ଯାଞ୍ଚ ଏକ ପ୍ରମୁଖ କାର୍ଯ୍ୟ ଅଟେ, ପ୍ରଶାସନ ମଧ୍ୟ ଖୁବ ଦାୟିତ୍ୱର ସହ ଏହି କାର୍ଯ୍ୟକୁ ସମ୍ପନ୍ନ କରିବ । ସମବାୟ ବିଭାଗ ଦ୍ୱାରା ସମସ୍ତ ଧାନ ସଂଗ୍ରହଣ କେନ୍ଦ୍ରରେ ସଂଗ୍ରହଣ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ପ୍ରାଥମିକତା ଆଧାରରେ ଆବଶ୍ୟକୀୟ ବୈଷୟିକ ଯନ୍ତ୍ରପାତି ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ଗୁରୁତ୍ୱ ଦେବେ । ମିଲକୁ ଧାନ ପହଞ୍ଚିବା ପୂର୍ବରୁ ଏହାର ମାନଙ୍କୁ ନିଶ୍ଚିତ କରିବା ପାଇଁ ମଣ୍ଡିରେ ଧାନର ମାନ ଯାଞ୍ଚ କରାଯିବ ଏବଂ ଯାଞ୍ଚ ସମୟରେ ମିଲର ଉପସ୍ଥିତ ରହିବେ । ଯାଞ୍ଚ ରିପୋର୍ଟର ଏକକିତା ନକଲ ସମ୍ପୃକ୍ତ ଚାଷୀଙ୍କୁ ପ୍ରଦାନ କରାଯିବ । ଜିଲ୍ଲା ଅଧିକାରୀମାନେ ଜିଲ୍ଲା ଗସ୍ତ ସମୟରେ ଧାନ ମଣ୍ଡିକୁ ପରିଦର୍ଶନ କରି ଧାନ ସଂଗ୍ରହ ବ୍ୟବସ୍ଥାର ତଦାରଖ କରିବେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡ଼ଃ. ବିଜୟାନନ୍ଦ ସେଠୀ, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ ପଟେଲ, ପାଟଣାଗଡ଼ ଉପଜିଲ୍ଲାପାଳ ସୁନୀଲ ମେହେର, ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ, ମୁଖ୍ୟ କୃଷି ଅଧିକାରୀ ବାବୁଲି ଚରଣ ସେଠୀ, ଡିଆରସିଏସ ପ୍ରମୋଦ ବରିହା ଉପସ୍ତିତ ଥିଲେ । ଏହି କାର୍ଯ୍ୟକ୍ରମକୁ କୃଷି ଅଧିକାରୀ ସୁଧାକର ନନ୍ଦ ପରିଚାଳନା କରିଥିଲେ ।