ବଟେଶ୍ୱର ଶୈବପୀଠରୁ ହୁଣ୍ଡିଭାଙ୍ଗି ଟଙ୍କା ଲୁଟ୍

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରସିଦ୍ଧ ବଟେଶ୍ୱର ଶୈବପୀଠରୁ ହୁଣ୍ଡିଭାଙ୍ଗି ଦୁର୍ବୃତ୍ତତ୍ତମାନେ ଟଙ୍କା ଲୁଟିନେଇଛନ୍ତି ବୋଲି ହମ୍ମା ଫାଣ୍ଡିରେ ଅଭିଯୋଗ ହୋଇଛି । କୁହାଯାଏ ଯେ’ ଗତକାଲି ରାତିରେ ମନ୍ଦିର ତାଲା ଭାଙ୍ଗି ଭକ୍ତମାନେ ଦାନ ଦେଉଥିବା ହୁଣ୍ଡି ତାଡି ନେଇଯାଇଛନ୍ତି । ରବିବାର ସକାଳେ ମନ୍ଦିର ମୁଖ୍ୟ ପୂଜାରୀ ପ୍ରଥମେ ମନ୍ଦିର ତାଲା ଭାଙ୍ଗିଥିବା ଦେଖି ଲୋକଙ୍କୁ ଡାକି ଦେଖାଇଥିଲେ । ପରେ ମନ୍ଦିର ପାର୍ଶ୍ୱରେ ହୁଣ୍ଡି ଭଙ୍ଗା ଯାଇଥିବା ମନ୍ଦିର କମିଟିବର୍ଗ ଦେଖିବାକୁ ପାଇଥିଲେ । ଏହା ପରେ ମନ୍ଦିର କମିଟି ପକ୍ଷରୁ ହୁମା ଫାଣ୍ଡିରେ ଚୋରି ସମ୍ପର୍କରେ ଅଭିଯୋଗ କରାଯାଇଥିଲା । ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ପ୍ରକାଶ ଥାଉକି, ଗଞ୍ଜାମ ସହର ନିକଟବର୍ତ୍ତୀ ଲୁଣାହ୍ରଦ ଅଞ୍ଚଳ ହୁମ୍ମା ସ୍ଥିତ କଣ୍ଟିଆଗଡ଼ ଠାରେ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ଅବସ୍ଥିତ । ଏହା ଗଞ୍ଜାମ ଜିଲ୍ଲାର ଏକ ଅନ୍ୟତମ ଶୈବପୀଠ ଭାବେ ଖ୍ୟାତ । ଏହାର ଅତି ନିକଟରେ ସାଗର ବେଳାଭୂମି ରହିଛି । ନିକଟରେ ତତ୍କାଳୀନ ରାଜ୍ୟସରକାରଙ୍କ ଦ୍ଵାରା ସୌନ୍ଦର୍ଯ୍ୟକରଣ ଯୋଜନାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ କୃତ୍ରିମ ବଗିଚା, ପାର୍କ ଆଦି ନିର୍ମିତ ହୋଇଛି । ଏହା ନିକଟରେ ତତ୍କାଳୀନ ରାଜ୍ୟସରକାରଙ୍କ ଦ୍ୱାରା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଛି । ତେଣୁ ଏଠାକୁ ପର୍ଯ୍ୟଟକମାନେ ଆସିବାକୁ ଆଗଭର ହୁଅନ୍ତି । ବିଶେଷ କରି ଶ୍ରାବଣ ମାସ ସମୟରେ ବୋଲ୍‌ବମ୍ ଭକ୍ତମାନେ ହଜାର ହଜାର ସଂଖ୍ୟାରେ ଏଠାକୁ ଆସିଥାନ୍ତି । ମନ୍ଦିରର କଳାନୈପୁଣ୍ୟ ଅଗଣିତ ଭକ୍ତ ଓ ଦର୍ଶକ, ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ତେଣୁ ଏହି ଶୈବ ପୀଠରେ ଅଧିକା ମାତ୍ରାରେ ହୁଣ୍ଡି ଅବା ଦାନବାକ୍ସରେ ଅଧିକା ଟଙ୍କା ସଞ୍ଚୟ ହୋଇଥିବା ଜାଣି ଦୁର୍ବୃତ୍ତ ମାନେ ଏଠାକୁ ଆସି ଅଭିନବ ଉପାୟରେ ହୁଣ୍ଡିଭାଙ୍ଗି ଟଙ୍କା ଲୁଟିନେଇଛନ୍ତି ବୋଲି କୁହାଯାଏ । ଗଞ୍ଜାମ ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରୀ ରଖି ପ୍ରକୃତ ଚୋର ଗ୍ୟାଙ୍ଗକୁ ଧରିବା ପାଇଁ ସର୍ବ ସାଧାରଣରେ ଦୃଢ଼ ଦାବୀ ହେଉଛି ।

Leave A Reply

Your email address will not be published.