ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ଶ୍ରୀ ମା’ ପାଟଖଣ୍ଡାଙ୍କ ମନ୍ଦିର ଭିତରେ ଓ ବାହାରେ ଥିବା ହୁଣ୍ଡିକୁ ରବିବାର ସନ୍ଧ୍ୟାରେ କମିଟିର ସଭାପତି ସନ୍ୟାସୀ ପାତ୍ର, ସମ୍ପାଦକ କେ. ସୁଶାନ୍ତ କୁମାର ପାତ୍ର ଓ କୋଷାଧ୍ୟକ୍ଷ ମହେଶ୍ୱର ଡାକୁଆଙ୍କ ସମେତ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲା ଯାଇଥିଲା । ସେଥିରୁ ନଗଦ ୫୪ ହଜାର ୩୦୦ ଟଙ୍କା ମିଳିଥିବା ବେଳେ ୭୪୦ ମିଲି ଗ୍ରାମର ଏକ ଗହଣା ମିଳିଥିବା ବିଷୟ କମିଟି ପକ୍ଷରୁ ସୂଚନା ମିଳିଛି । ଏ ସମସ୍ତ ଟଙ୍କା ଓ ଜିନିଷ ଗୁଡିକୁ ସମସ୍ତଙ୍କ ଉପସ୍ଥିତିରେ କୋଷାଧକ୍ଷ ଶ୍ରୀ ଡାକୁଆଙ୍କୁ କମିଟିର ନିଜସ୍ୱ ଲକରରେ ସୁରକ୍ଷିତ ଭାବେ ରଖିବା ପାଇଁ ଦାୟିତ୍ୱ ଦିଆଯାଇଥିଲା । ଦୀର୍ଘଦିନ ପରେ କମିଟିର ସମସ୍ତ ସଦସ୍ୟ, ଜନସାଧାରଣ ଓ ପୋଲିସ କର୍ମଚାରୀଙ୍କ ଗୋଚରରେ ଅବଗତ କରାଯାଇଥିବାରୁ ନୂତନ କମିଟି କର୍ତ୍ତୃପକ୍ଷଙ୍କୁ ଅଞ୍ଚଳବାସୀଙ୍କ ତରଫରୁ ସାଧୁବାଦ ଜଣାଯାଇଛି । ଏ ସମ୍ପର୍କରେ ସମ୍ପାଦକ ଶ୍ରୀ ପାତ୍ର ନିଜ ବକ୍ତବ୍ୟରେ କହିଛନ୍ତି ଯେ, ଆମ୍ଭେ ଦାୟିତ୍ୱ ଗ୍ରହଣ କରିବା ଦିନ ଠାରୁ ମନ୍ଦିର ସମ୍ମୁଖରେ ପ୍ରତ୍ୟେକ ମାସର ଆୟବ୍ୟୟର ସବିଶେଷ ତଥ୍ୟ ସହ ଲିଖିତ ଆକାରରେ ଜନସାଧାରଣଙ୍କ ଅବଗତ ଉଦ୍ଦେଶ୍ୟରେ ପ୍ରକାଶିତ କରାଯାଉଛି । ଆଗାମୀ ଦିନରେ ମନ୍ଦିର ପରିଚାଳନା କାର୍ଯ୍ୟକ୍ରମକୁ ମଧ୍ୟ ତ୍ରୁଟି ମୁକ୍ତ କରିବା ପାଇଁ ଚେଷ୍ଟା ଜାରୀ ରଖିବୁ ବୋଲି ପ୍ରକାଶ କରିଥିଲେ ।