ରାଜ୍ୟ ହାଇସ୍କୁଲ ସ୍ତରୀୟ ହକି ଦଳରେ ଛତ୍ରପୁର ଅନସ୍ଲୋ ହାଇସ୍କୁଲ ଛାତ୍ର ପି. ବିଷ୍ଣୁ ସ୍ଥାନ ପାଇଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ରାଜ୍ୟ ହାଇସ୍କୁଲ ସ୍ତରୀୟ ହକି ଦଳରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲରେ ଅଧ୍ୟୟନ କରୁଥିବା ନବମଶ୍ରେଣୀ ଛାତ୍ର ପି. ବିଷ୍ଣୁ ସ୍ଥାନ ପାଇଛନ୍ତି । ସୂଚନାଯୋଗ୍ୟ ଯେ’ ଆସନ୍ତା ଡ଼ିସେମ୍ବର ୨୨ ରୁ ୨୭ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଟିକମଗଡଠାରେ ହେବାକୁ ଥିବା ୬୯ତମ ଜାତୀୟ ବିଦ୍ୟାଳୟ ସ୍ତରୀୟ ହକି ପ୍ରତିଯୋଗିତାରେ ଅନୁଷ୍ଠିତ ଖେଳରେ ଛତ୍ରପୁର ଅନସ୍ଲୋ ଛାତ୍ର ପି. ବିଷ୍ଣୁ ଖେଳିବେ । ଓଡିଶା ଦଳରେ ଗଞ୍ଜାମ ଜିଲାରୁ ଏକ ମାତ୍ର ଖେଳାଳି ଭାବେ ପି. ବିଷ୍ଣୁ ସ୍ଥାନ ପାଇଥିବା ନେଇ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହି ଜାତୀୟସ୍ତରୀୟ ଖେଳ ନିମନ୍ତେ ୧୪ ବର୍ଷରୁ କମ୍ ବୟସର ଛାତ୍ରଙ୍କୁ ମନୋନୀତ କରାଯାଉଥିବା ବେଳେ ଓଡ଼ିଶାରେ ପି. ବିଷ୍ଣୁ ସ୍ଥାନ ପାଇଥିବା ନେଇ ଛତ୍ରପୁରର ଅନସ୍ଲୋ ସରକାରୀ ହାଇସ୍କୁଲ ପାଇଁ ସୁନାମ ଓ ଗୌରବ ଆଣିଥିବାରୁ ତାଙ୍କୁ ଏବଂ ଅନସ୍ଲୋ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଆସନ୍ତା ୧୩ ତାରିଖରେ ସୁନ୍ଦରଗଡ ସରକାରୀ ହାଇସ୍କୁଲଠାରେ କୋଟିଂ କ୍ୟାମ୍ପରେ ସେ ଯୋଗଦେବାକୁ ଯିବେ । ୧୩ ରୁ ୧୮ କ୍ୟାମ୍ପ ପରେ ୧୯ତାରିଖରେ ସେ ମଧ୍ୟପ୍ରଦେଶ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି ବୋଲି କୁହାଯାଇଛି । ଛାତ୍ର ପି. ବିଷ୍ଣୁ ଦୀର୍ଘ ୩ ବର୍ଷ ହେଲା ରାଜ୍ୟସ୍ତରରେ ନିଜ ପ୍ରତିଭା ଓ ପାରଦର୍ଶିତା ପ୍ରଦର୍ଶନ କରି ଆସି ଅହରହ ସଂଗ୍ରାମ ଜାରୀ ରଖି ଆସିଥିବା ହେତୁ ସେ ଆଜି ଏହି ସଫଳତା ହାସଲ କରିଥିବା ବିଷୟରେ ସମାଜକୁ ନୂତନ ବାର୍ତ୍ତା ଦେଇଛନ୍ତି ।

Leave A Reply

Your email address will not be published.