ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ଏଚ୍‌ଆଇଭି ଏଡସ୍‌ ସଚେତନତା କାର୍ଯ୍ୟକ୍ରମ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ପ୍ରଧାନ ଶିକ୍ଷକ ରବି ଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ଏଚ୍‌ଆଇଭି ଏଡସ୍‌ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆଜିର ଡିଜିଟାଲ ଯୁଗରେ ମଧ୍ୟ ମଣିଷ ସମାଜ ମାରାତ୍ମକ ରୋଗ ଓ ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟାର ସମ୍ମୁଖିନ ହେଉଛି । ତନ୍ମଧ୍ୟରୁ ଏଚ୍‌ଆଇଭି ଏଡସ୍‌ର ଏବେବି ଭୟାବହତା ରହିଛି । ଏହାକୁ ଦୃଷ୍ଟିରେ ରଖି ରେଡ ରିବନ୍ କ୍ଲବ ସହାୟତାରେ ରାଜ୍ୟ ରେଡକ୍ରସ ଉକ୍ତ ତାଲିମର ବ୍ୟବସ୍ଥା କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ମାର୍ଗଦର୍ଶନ ଅନୁସାରେ ବିଦ୍ୟାଳୟରେ ଜୁନିୟର ରେଡକ୍ରସ ୟୁନିଟର ସମସ୍ତ ସ୍ୱେଚ୍ଛାସେବୀ ତଥା ଛାତ୍ରଛାତ୍ରୀଙ୍କୁ ଆବଶ୍ୟକୀୟ ଜ୍ଞାନ ଓ ତାଲିମ ଦିଆଯାଇଛି । ଲୋକେ ଏଚ୍‌ଆଇଭି ଏଡସ୍‌ କବଳରୁ କିଭଳି ନିଜକୁ ସୁରକ୍ଷିତ ରହିବେ ସେ ଦିଗରେ ଯତ୍ନବାନ ହେବାକୁ ମତ ପ୍ରକାଶ ପାଇଛି । ମାଷ୍ଟର ଟ୍ରେନର ରବିଚନ୍ଦ୍ର ପଶାୟତ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକୀୟ ତାଲିମ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କିରଣ ପୁଟେଲ ତାଲିମର ପିପିଟି ପ୍ରଦର୍ଶନ କରିଥିଲେ । ତାଲିମରେ ଯୋଗଦେଇଥିବା ସମସ୍ତ ଛାତ୍ରଛାତ୍ରୀ ଦଶହରା ଛିଟୁରେ ଏଚ୍‌ଆଇଭି ସମ୍ପର୍କିତ ନିଜର ପ୍ରକଳ୍ପ ପ୍ରସ୍ତୁତି କରିବେ ଓ ସ୍କୁଲ ଖୋଲିଲେ ତାକୁ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ମନୋଜ କୁମାର ପୁଝାରୀ, ତରଭା ବାଳିକା ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ନରେନ୍ଦ୍ର ସାହୁ, ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ପ୍ରମୁଖ ନିଜସ୍ଵ ମତବ୍ୟକ୍ତ କରିଥିଲେ । ଛାତ୍ରୀଙ୍କ ମଧ୍ୟରୁ ଅର୍ଚ୍ଚିତା ପଧାନ, ଜନନିକା ନାଏକ, ଲିପସା ଯୁଆଡି, ପୂଜା ମାଝୀ, ଶୁଭଶ୍ରୀ ବରିହା, ଝରଣା ସାହୁ, ଅନୁପମା, କ୍ରିସ ପ୍ରସାଦ, ସୁଜିତ , ବିକାଶ ପ୍ରମୁଖ ତାଲିମ ଉପଲବ୍ଧି ବିଷୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ଶେଷରେ ସ୍ନିଗ୍ଧା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.