om academy

ଆଗଲପୁର ତହସିଲ କାର୍ୟ୍ୟାଳୟରେ କର୍ମଚାରୀ ଅଭାବ : ହିତାଧିକାରୀ ହନ୍ତସନ୍ତ

jsm

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ଠାରେ ଏକ ତହସିଲ କାର୍ୟ୍ୟାଳୟ ଅଛି । କିନ୍ତୁ ତହସିଲ କର୍ମଚାରୀ ଅଭାବ ହେତୁ ବାରମ୍ବାର ଅଚଳାବ‌ସ୍ଥା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । କାର୍ୟ୍ୟାଳୟରେ ୫୦ ଜଣ କର୍ମଚାରୀ ବଦଳରେ ବର୍ତମାନ ଅଛନ୍ତି ୧୨ରୁ ୧୫ ଜଣ । ଏହି ସମସ୍ୟା ବିଷୟକୁ ନେଇ ଆଗଲପୁର ନାଗରିକ କମିଟି ତରଫରୁ ତତ୍କାଳୀନ ବଲାଙ୍ଗୀର ଜିଲ୍ଲାପାଳଙ୍କ ଦୁଷ୍ଟି ଆକର୍ଷଣ କରାଯାଇଥିଲା । ସେତେବେଳର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଓ ଉପଜିଲ୍ଲାପାଳ ତହସିଲ କାର୍ୟ୍ୟାଳୟ ପରିଦର୍ଶନ କରି ଖାଲି ଥିବା ପଦବୀ ପୁରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ତତ୍କାଳୀନ ଜିଲ୍ଲାପାଳ ରାଜ୍ୟ ପଂଚାୟତିରାଜ ବିଭାଗକୁ ବଦଳି ହୋଇଥିବାରୁ ଖାଲିଥିବା ପଦବୀ ପୂରଣ ହୋଇପାରିଲା ନାହିଁ ବୋଲି ଆଲୋଚନା ହେଉଛି । ଫଳରେ ଅଞ୍ଚଳର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତହସିଲ ଅଧୀନରେ ୬ ଗୋଟି ଆରଆଇ ସର୍କଲ ଅଛି । ହେଲେ ୨ ଜଣ ଆରଆଇ ଥିବାବେଳେ ମରୁଡି ସହାୟତା ଦେବାରେ ପାତର ଅନ୍ତର କରିଥିବା ହେତୁ ଜଣେ ଆରଆଇଙ୍କୁ ନିଲମ୍ବିତ କରାଯାଇଛି । ଏବେ କେବଳ ଜଣେ ମାତ୍ର ଆରଆଇ ଅଛନ୍ତି । ୬ ଜଣ ଏଆରଆଇ ପଦ ସମ୍ପୂର୍ଣ ଖାଲି ପଡିଛି । ୮ ଜଣ ଅମିନ ବଦଳରେ କେବଳ ୨ ଜଣଙ୍କୁ ନିଯୁକ୍ତି କରାଯାଇଛି । ୭ ଜଣ ପ୍ରୋସେସ୍‌ ସର୍‌ଭର୍‌ ବଦଳରେ କେବଳ ଜଣେ ମାତ୍ର ଅଛନ୍ତି । ୯ ଜଣ ପିଅନ ବଦଳରେ ୩ ଜଣ ଅଛନ୍ତି । ରାତ୍ର ଜଗୁଆଳି ନାହାନ୍ତି । ଏପରି ସ୍ଥିତିରେ ଚାଲିଛି ତହସିଲ କାର୍ୟ୍ୟାଳୟ । ସ୍ଥାୟୀ ବାସସ୍ଥାନ ଜାତିଗତ ଓ ଆୟ ପ୍ରମାଣ ପତ୍ର ଠିକ ସମୟରେ ମିଳିପାରୁନାହିଁ । ପାଠପଢାରେ ଛାତ୍ରଛାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମିଉଟେସନ କାର୍ୟ୍ୟ ପଡି ରହିଥିବାରୁ ଗ୍ରାମାଞ୍ଚଳର ଜନସାଧାରଣ ବାରମ୍ବାର ତହସିଲ କାର୍ୟ୍ୟାଳୟକୁ ଆସି ହଇରାଣ ହେବା ସହିତ ଖର୍ଚାନ୍ତ ହେଉଛନ୍ତି । କୌଣସି କାମ ପାଇଁ ତହସିଲ ଅଫିସକୁ ଆସିଲେ କର୍ମଚାରୀ ନଥିବାରୁ ଜନସାଧାରଣ ବାରମ୍ବାର ଫେରି ଯାଉଛନ୍ତି । କର୍ମଚାରୀ ଅଭାବ ହେତୁ ହାଇଟେକ ସର୍ଭେ କାମ ମଧ୍ୟ ଆଗକୁ ଯାଇପାରୁନାହିଁ । ହାଇଟେକ ସର୍ଭେ ପାଇଁ ୩୦ ଜଣ କର୍ମଚାରୀ ନିଯୁକ୍ତି କରିବାର ନିୟମ ଥିଲେ ମଧ୍ୟ କେବଳ ୩ ଜଣ‌ଙ୍କୁ ନିଯୁକ୍ତ କରାଯାଇଛି । ତେଣୁ ସର୍ଭେ କାର୍ୟ୍ୟ ପଡିରହିଛି । ଏନେଇ ଆଗଲପୁର ତହସିଲଦାର ମଧ୍ୟ କର୍ମଚାରୀ ଅଭାବ ହେତୁ କୌଣସି କାମ ସଠିକ ଭାବରେ କରି ହେଉନାହିଁ ବୋଲି କହିଥିଲେ । ଆଗଲପୁର ତହସିଲରେ ଏଭଳି ଅବହେଳିତ ଅବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ରାଜ୍ୟସରକାର ତୁରନ୍ତ କର୍ମଚାରୀ ନିଯୁକ୍ତ କରିବାକୁ ଦାବୀ ହେଉଛି । ନ ହେଲେ ଆଗକୁ ଅଞ୍ଚଳବାସୀ ଜୋରଦାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.