ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ପାଇବାରୁ ବଞ୍ଚିତ ଅନେକ ହିତାଧିକାରୀ : କାର୍ଯ୍ୟରତ ପିଇଓ ଦୋଷ ଦେଉଛନ୍ତି ବ୍ଳକ ପ୍ରଶାସନକୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିଶୁଟି ଜନ୍ମ ହେବାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଅନେକ ଯୋଜନା ପ୍ରସ୍ତୁତ କରି ସମସ୍ତ ଗରିବ ଲୋକଙ୍କୁ ସହାୟତା ରାଶି ପ୍ରଦାନ କରୁଛନ୍ତି । କିନ୍ତୁ କେତେକ ଦାୟିତ୍ୱ ହୀନ ସରକାରୀ ବାବୁମାନଙ୍କ ପାଇଁ ଅନେକ ଗରିବ ଲୋକ ଏହି ଯୋଜନା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଏପରି ଅନେକ ଘଟଣା ଦେଖିବାକୁ ମିଳୁଛି ଗାଇସିଲେଟ ବ୍ଲକରେ । ସୂଚନାନୁସାରେ ଗୋଟିଏ ବ୍ୟକ୍ତିର ମୃତ୍ୟୁ ହୋଇଗଲେ ରାଜ୍ୟସରକାର ତାର ଶବସଂସ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ୩୦୦୦ଟଙ୍କା ସହାୟତା ରାଶି ଯୋଗାଇ ଦେଉଛନ୍ତି । କିନ୍ତୁ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗ୍ରାମପଞ୍ଚାୟତରେ ବିଗତ ତିିନି ଚାରିମାସ ହୋଇଗଲା ଯେତେ ବି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି କେହିବି ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି ପାଇନାହାନ୍ତି । ଏନେଇ ଆମ ପ୍ରତିନିଧି ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟର କାର୍ଯ୍ୟରତ ପିଇଓଙ୍କୁ ପଚାରିବାରୁ ସେ ଦୋଷ ଦେଉଛନ୍ତି ବ୍ଳକ ପ୍ରଶାସନକୁ ଏବଂ କହୁଛନ୍ତି ଆମେ କାଗଜ ପତ୍ର ଅନଲାଇନ୍ କରିଦେଇଛୁ ବ୍ଳକ ପ୍ରଶାସନ ଟଙ୍କା ମଞ୍ଜୁର କରୁନାହାଁନ୍ତି । ବ୍ଳକ ପ୍ରଶାସନ ପଞ୍ଚାୟତ ଏକାଉଣ୍ଟରେ ଟଙ୍କା ପଇଠ କଲେ ଆମେ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିବୁ । ଅପର ପକ୍ଷରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାରୀ ସ୍ଥରରେ ରିଭଲବିନ୍ ଫଣ୍ଡ ୧୫୦୦୦ ଟଙ୍କା ଲେଖାଏଁ ଦିଆଯାଇଛି । ଗୁଦେରପାଲି ଗ୍ରାମ ପଞ୍ଚାୟତର ସେହି ଫଣ୍ଡ ଗଲା କୁଆଡେ ? ପଞ୍ଚାୟତ କର୍ମଚାରୀ ଚାହିଁଲେ ସେହି ଫଣ୍ଡରୁ ମଧ୍ୟ ଶବସଂସ୍କାର ପାଇଁ ହିତାଧିକାରୀଙ୍କୁ ସଙ୍ଗେ ସଙ୍ଗେ ସହାୟତା କରିପାରନ୍ତେ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.