ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ମୁରସୁଣ୍ଢି ପଞ୍ଚାୟତରେ ଗତ ତା ୨୫/୧୦/୨୦୨୪ ରିଖରେ ରାଜନୈତିକ ଆକ୍ରୋଶ ପୂର୍ବକ ସରପଞ୍ଚଙ୍କ ଦ୍ଵାରା ୨ ଜଣ ସ୍ୱାବଲମ୍ବୀ କାରିଗର ସଦାନନ୍ଦ ସାହୁ ଏବଂ ପବିତ୍ର ପଧାନଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିଲା । ଏହି ବହିଷ୍କାର ପ୍ରତି ଅସନ୍ତୋଷ ପ୍ରକାଶ କରି ସ୍ୱାବଲମ୍ବୀ କାରିଗର ଦ୍ୱୟ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ହାଇକୋର୍ଟ ଏହାର ବିଚାର କରି ଏହି ମାମଲାର ଶୁଣାଣି ନହେବା ପର୍ଯ୍ୟନ୍ତ ଉକ୍ତ ପଞ୍ଚାୟତରେ ନୂତନ ସ୍ୱାବଲମ୍ବୀ କାରିଗର ନିଯୁକ୍ତି ଉପରେ ରହିତାଦେଶ ଜାରି କରିଛନ୍ତି । ଏନେଇ ମାନ୍ୟବର ଓଡ଼ିଶା ହାଇକୋର୍ଟ କେସ୍ ସଂଖ୍ୟା ଡବ୍ଲୁପି (ସି) ୨୮୩୪୭ / ୨୦୨୪ ଏବଂ କେସ୍ ସଂଖ୍ୟା ଡବ୍ଲୁପି (ସି) ୨୮୩୬୬ / ୨୦୨୪ରେ ରହିତାଦେଶ ଜାରି କରିବା ସହ ବଲାଙ୍ଗିର ଜିଲ୍ଲାପାଳ, ଭୁବନେଶ୍ୱର ସ୍ଥିତ ଗ୍ରାମ୍ୟ ଜଳଯୋଗାଣ ଏବଂ ପରିମଳ ବିଭାଗର ମୁଖ୍ୟଯନ୍ତ୍ରୀ, ବଲାଙ୍ଗିର ଜଳଯୋଗାଣ ଏବଂ ପରିମଳ ବିଭାଗର ମୁଖ୍ୟଯନ୍ତ୍ରୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ବଲାଙ୍ଗିର, ମଣ୍ଡଳ ଉନ୍ନୟନ ଅଧିକାରୀ, ଆଗଲପୁର (ଡୁଡୁକା) ଏବଂ ମୁରସୁଣ୍ଢି ପଞ୍ଚାୟତର ସରପଞ୍ଚଙ୍କୁ ଡ଼ାକ ବିଭାଗ ଜରିଆରେ ରହିତାଦେଶ ଗୁଡିକ ପ୍ରେରଣ କରିଛନ୍ତି । ସୂଚନା ମତେ, ଗତ ୨୦୨୨ ମସିହାରେ ନାନା ହଇରାଣ ହରକତ ପୂର୍ବକ ଉକ୍ତ ଜଳଯୋଗାଣ ପ୍ରକଳ୍ପର ପମ୍ପ ଚାଳକ ହିମାଂଶୁ ପଧାନଙ୍କୁ ମଧ୍ୟ ସରପଞ୍ଚଙ୍କ ଦ୍ଵାରା କାର୍ଯ୍ୟରୁ ଅନ୍ତର କରାଯାଇଥିଲା । ସେତେବେଳେ ମଧ୍ୟ ଶ୍ରୀ ପଧାନ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନୂତନ ପମ୍ପ ଚାଳକ ନିଯୁକ୍ତି ଉପରେ ରହିତାଦେଶ ଜାରି କରିଥିଲେ । କିଛି ଗ୍ରାମବାସୀଙ୍କ ନକଲି ଦସ୍ତଖତ ତଥା ସମାନ ହାତଲେଖା ଦସ୍ତଖତ ଜରିଆରେ ତାଙ୍କୁ ବହିଷ୍କାର ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷ ପଦକ୍ଷେପ ନେଇଥିବା ଶ୍ରୀ ପଧାନ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ପୋର୍ଟାଲରେ ଅଭିଯୋଗ କରିଥିବା ଜଣାଯାଇଛି । ସ୍ୱାବଲମ୍ବୀ କାରିଗର ଦ୍ୱୟ ମଧ୍ୟ ସେମାନଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯିବା ସମ୍ପୂର୍ଣ ଅଯୌକ୍ତିକ ବୋଲି ଯୁକ୍ତି ବାଢିଛନ୍ତି । ଏପରିକି ସରପଞ୍ଚଙ୍କ ଅନୁପସ୍ଥିତିରେ ତାଙ୍କ ପରିବାର ସଦସ୍ୟ ପଞ୍ଚାୟତ କାର୍ଯ୍ୟାଳୟରେ କାମ କରୁଥିବା ସେମାନେ ଓଲଟା ଅଭିଯୋଗ କରି ଏହାର ବିଧିବଦ୍ଧ ତଦନ୍ତ ପାଇଁ ଦାବି କରିଛନ୍ତି । ମୂରସୁଣ୍ଡ ପଞ୍ଚାୟତରେ ଜଳଯୋଗାଣ କର୍ମଚାରୀ – ସରପଞ୍ଚଙ୍କ ମଧ୍ୟରେ ଚାଲିଥିବା ଲଢେଇରେ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଥିବା ଯୋଗୁଁ ଏହାର ବିଧିବଦ୍ଧ ତଦନ୍ତ ପୂର୍ବକ ପଦକ୍ଷେପ ନିଆଯିବା ସକାଶେ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।