- ଜନସାଧାରଣରେ ତୀବ୍ର ଅସନ୍ତୋଷ, ଆସନ୍ତା ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ପ୍ରଭାବ ଆଶଙ୍କା
ଝାରସୁଗୁଡା, (ସସ୍ମିତା ପ୍ରଧାନ) : ଜାତୀୟ ରାଜପଥ ୪୯ । ଏହି ରାଜପଥର ନା ଧରିଲେ ସାଧାରଣ ଜନତାଙ୍କ ମନରେ ଶିହରଣ ଖେଳିଯାଏ । କାହିଁକି ନା ଏହି ରାଜପଥରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ସାଧାରଣ ଜନତାଙ୍କ ମୃତ୍ୟୁ ହେଉଥିବା ଶୁଣାଯାଉଛି । ତେବେ ଜିଲ୍ଲାର ପ୍ରତିନିଧିତ୍ୱ କରୁଥିବା ସାଂସଦ ଓ ପୂର୍ବତନ ସାଂସଦ ଓ ବର୍ତମାନର ମନ୍ତ୍ରୀ ଏହି ରାଜପଥର ଉନ୍ନତି ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି ବୋଲି ଜିଲ୍ଲା ଓ ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ସାଧାରଣରେ ଆଲୋଚନା ହେଉଛି । ପୂର୍ବରୁ ଏହି ଜାତୀୟ ରାଜପଥରେ ଅନେକ ଦୁର୍ଘଟଣା ଘଟିଥିଲେ ମଧ୍ୟ ବିଶେଷକରି ଗତ ୨୨ ତାରିଖରେ ହୋଇଥିବା ଦୁର୍ଘଟଣାରେ ୫ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ପରେ ଜିଲ୍ଲାରେ ଏପରି ଆଲୋଚନା ଓ ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି । ଜିଲ୍ଲାରେ ୨ ଜଣ ବରିଷ୍ଠ ରାଜନେତା ଥିଲେ ମଧ୍ୟ ଏହି ରାଜପଥର ଉନ୍ନତି କାହିଁକି ହେଉନାହିଁ ତାହାକୁ ନେଇ ନେଇ ଜିଲ୍ଲା ଜନସାଧାରଣରେ ଆଲୋଚନା ହେଉଛି । ତେବେ ଏହି ରାଜପଥର ଇତିହାସକୁ ଗଲେ ବିଗତ ୨୦୦୨ ମସିହାରେ କେନ୍ଦ୍ରରେ ଥିବା ବିଜେପି ସରକାରରେ ଓଡିଶାର ଦେବଗଡ ସାଂସଦ ଡ଼. ଦେବେନ୍ଦ୍ର ପ୍ରଧାନ ପରିବହନ ମନ୍ତ୍ରୀ ହୋଇଥିଲେ । ଏହାସହ ଗତ ୨୦୦୨ ମସିହାରେ ଏହି ରାସ୍ତାକୁ ଜାତୀୟ ରାଜପଥ ୨୦୦ର ମାନ୍ୟତା ଦେଇଥିଲେ । ତେବେ ପରବର୍ତ୍ତୀ ୨୦୦୪ ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚିତ ହୋଇଥିଲେ । ତେବେ ସେ ସମୟରେ କେନ୍ଦ୍ରରେ କଂଗ୍ରେସ ସରକାର କ୍ଷମତାରେ ଥିଲା । ନିର୍ବାଚନରେ ବିଜୟୀ ହେବାପରେ ସାଂସଦ ଅଂଚଳବାସୀଙ୍କ ପାଇଁ ଲଢେଇ କରିଥିଲେ । ଯାହାଫଳରେ ଏହି ରାଜପଥକୁ ବିଳାସପୁରରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଯାଇ ଗତ ୨୦୦୭ ମସିହାରେ ଜାତୀୟ ରାଜପଥ ୪୯ର ମାନ୍ୟତା ପାଇଥିଲା । ଏହାସହ ଏହି ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ୨୦୦୭ ମସିହାରେ ଆରମ୍ଭ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ୨୦୦୯ରେ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ, ୨୦୧୪ରେ ବିଜେଡି ସାଂସଦ ଡ଼. ପ୍ରଭାସ ସିଂ, ୨୦୧୯ରେ ବିଜେପିର ସୁରେଶ ପୂଜାରୀ ଏବଂ ବର୍ତ୍ତମାନ ସାଂସଦ ଭାବେ ବିଜେପିର ପ୍ରଦୀପ ପୁରୋହିତ ନିର୍ବାଚିତ ହୋଇ ଅଂଚଳର ପ୍ରତିନିଧିତ୍ୱ କରୁଛନ୍ତି । ହେଲେ ଏହି ରାଜପଥ ଉନ୍ନତି ତଥା ଫୋର ଲେନ ପାଇଁ କୌଣସି ପ୍ରତିନିଧି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହାନ୍ତି । କେବଳ ଫାଇଲ ଓ ଡିପିଆରର ବାହାନା ଦେଖାଇ ସମୟ ଗଡ଼ାଇ ଚାଲିଛନ୍ତି । ତେବେ ବର୍ତ୍ତମାନ ଓଡିଶା ସରକାରରେ ମନ୍ତ୍ରୀ ଥିବା ସୁରେଶ ପୂଜାରୀ ଜଣେ ଜାତୀୟ ସ୍ତରର ପ୍ରଭାବଶାଳୀ ନେତା ଭାବେ ପରିଚିତ । ମନ୍ତ୍ରୀ ପୂର୍ବରୁ ଗତ ୨୦୧୯ ମସିହାରେ ବରଗଡ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ସମୟରେ କେନ୍ଦ୍ରରେ ବିଜେପିର ସରକାର ମଧ୍ୟ ଥିଲା । ଏହାସତ୍ୱେ ମଧ୍ୟ ରାଜପଥର କୌଣସି ଉନ୍ନତି ହୋଇନଥିଲା । ଯାହାଫଳରେ ଜିଲ୍ଲାରେ ଦୁଇଜଣ ପ୍ରଭାବଶାଳୀ ନେତା ଥାଇ ମଧ୍ୟ ରାଜପଥର ଉନ୍ନତ୍ତିକରଣ ପାଇଁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନଥିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଯାହାର ନକରାତ୍ମକ ପ୍ରଭାବ ଆସନ୍ତା ପଂଚାୟତ ଓ ସାଧାରଣ ନିର୍ବାଚନରେ ପଡିବ ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରୁଛନ୍ତି ।