
ଖୋର୍ଦ୍ଧା –ବଲାଙ୍ଗିର ରେଳ ପଥ ପୁଣି ଅବହେଳାର ଶିକାର : ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର-ରାଜ୍ୟ ବୁଝାମଣା ପତ୍ରର ନବୀକରଣ କେବେ, ପ୍ରଶ୍ନ କଲେ ସମାଜିକ କର୍ମୀ ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍ଏସ୍) : ଓଡିଶାରୁ ନିର୍ବାଚିତ ହୋଇଥିବା ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ମବ ରେଳ ମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କଲା ପରେ ରେଳ ବିକାଶ କ୍ଷେତ୍ରରେ ଅବହେଳିତ ଓଡିଶାକୁ ନ୍ୟାୟ ମିଳିବ ବୋଲି ରାଜ୍ୟବାସୀ ଆଶାବାଦୀ ଥିବା ବେଳେ ନିର୍ମାଣାଧିନ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପୂଣି ଅବହେଳାର ଶିକାର ହୋଇଛି ବୋଲି ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଅଭିଯୋଗ କରିଛନ୍ତି । ଅର୍ଦ୍ଧରାତ୍ରୀ ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ବିଭାଗୀୟ କାର୍ଯ୍ୟ କରିବେ ବୋଲି ଘୋଷଣା ପରେ ଦେଶବ୍ୟାପୀ ପ୍ରସଂଶାର ସୁଅ ଛୁଟିଥିଲା । କିନ୍ତୁ ରାଜ୍ୟର ନିର୍ମାଣାଧିନ ବିଳମ୍ବିତ ରେଳ ପ୍ରକଳ୍ପ ଖୋର୍ଦ୍ଧା-ବଲାଙ୍ଗିର ପ୍ରକଳ୍ପର ଭାଗ୍ୟ ପରିବର୍ତ୍ତନ ହୋଇନାହିଁ । ଏହି ବିଳମ୍ବିତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗତ ୨୦୧୫ ମସିହା ଜୁଲାଇ ୨୦ ତାରିଖ ଦିନ ରେଳ ବିଭାଗ ଓ ରାଜ୍ୟ ସରକାର ମିଳିତ ଭାବେ ଆଗେଇ ଆସି ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ । ବୁଝାମଣା ପତ୍ର ସ୍ୱାକ୍ଷରିତ ହେଲା ଦିନ ରାଜ୍ୟ ଓ ଜାତୀୟ ସ୍ତରର ସମସ୍ତ ଗଣମାଧ୍ୟମରେ ବଡ ବଡ ବିଜ୍ଞାପନ ର୍ପକାଶ ପାଇଥିଲା । ଦେଶରେ ପ୍ରଥମ କରି ଏକ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଥିଲା । ଏହି ବୁଝାମଣା ପତ୍ରରେ ଦଶପଲ୍ଲା ଠାରୁ ବଲାଙ୍ଗିର ପର୍ଯ୍ୟନ୍ତ ତଥା ୧୧୨ କିମିରୁ ୨୮୯ କିମି ପର୍ଯ୍ୟନ୍ତ ରେଳପଥ ନିର୍ମାଣ କାର୍ଯ୍ୟ ପାଇଁ ସମୂଦାୟ ଅର୍ଥ ଖର୍ଚ୍ଚର ୫୦-୫୦ ଅନୁପାତ ଲେଖାଏଁ ରେଳ ବିଭାଗ ଓ ରାଜ୍ୟ ସରକାର ବହନ କରିବା ପାଇଁ ଚୁକ୍ତି ବଦ୍ଧ ହୋଇଥିଲେ । ରେଳ ପ୍ରକଳ୍ପକୁ ୬ ବର୍ଷରେ ତଥା ୨୦୨୧ ମସିହା ଜୁନ ମାସରେ କାର୍ଯ୍ୟକ୍ଷମ କରିବା କଥା ଉଲ୍ଲେଖ ରହିବା ସଙ୍ଗେ ଜମି ଅଧିଗ୍ରହଣ କାର୍ଯ୍ୟକୁ ଅଢେଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ଶେଷ କରି ମାଗଣାରେ ରେଳ ବିଭାଗକୁ ଯୋଗାଇ ଦେବା କଥା ମଧ୍ୟ ଉଲ୍ଲେଖ ରହିଥିଲା । ଏହି ରାଜିନାମାର ସମୟସୀମା ଗତ ଜୁଲାଇ ମାସରେ ଶେଷ ହୋଇଛି । ରାଜିନାମାର ୬ ବର୍ଷ ସମୟ ଶେଷ ହୋଇଥିଲେ ମଧ୍ୟ ରାଜିନାମାକୁ ନବୀକରଣ କରାଯିବା ନେଇ ରାଜ୍ୟ ଓ ରେଳ ବିଭାଗ ବର୍ତ୍ତମାନ ପର୍ଯ୍ୟନ୍ତ ଘୋଷଣା କରି ନାହାନ୍ତି । ଫଳରେ ରେଳ ପଥ ନିର୍ମାଣକୁ ନେଇ ହେବାକୁ ଥିବା ଆନୁପାତିକ ଅର୍ଥ ଖର୍ଚ୍ଚକୁ ନେଇ ସନ୍ଦେହ ଦେଖାଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏହି ପ୍ରକଳ୍ପର ଅଗ୍ରଗତିରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ନିଜର ଅସନ୍ତୋଷ ପ୍ରକାଶ କରି ନିର୍ମାଣ କାର୍ଯ୍ୟର ବିଳମ୍ବ ଇତିହାସ ବହିରେ ସ୍ଥାନ ପାଇବ ବୋଲି କହିଥିଲେ । କିନ୍ତୁ ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ର ରେଳ ବିଭାଗ ପ୍ରକଳ୍ପର ରାଜିନାମା ସମୟ ଅବଧି ଶେଷ ହେବା ପୂର୍ବରୁ ଏହାର ନବୀକରଣ ନକରିବା ଦ୍ୱାରା ଅବହେଳିତ ପ୍ରକଳ୍ପର ଇତିହାସରେ ଆଉ ଏକ ଅବହେଳାର ଫର୍ଦ୍ଦ ଯୋଡିଛନ୍ତି ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା କହିଛନ୍ତି । ଅତି ଶୀଘ୍ର ରାଜିନାମା ସଂକ୍ରାନ୍ତରେ ରାଜ୍ୟ ଓ ରେଳ ବିଭାଗ ସ୍ପଷ୍ଟ କରିବା ପାଇଁ ଶ୍ରୀ ପଣ୍ଡା ଦାବୀ କରିଛନ୍ତି ।