ଅଷ୍ଟମୀ ହତ୍ୟାକାଣ୍ଡ ଉପରୁ ପର୍ଦ୍ଦା ଉଠାଇଲା ପୋଲିସ : ପ୍ରେମ ବ୍ୟାପାରରୁ ହତ୍ୟାକାଣ୍ଡ, ଅଭିଯୁକ୍ତ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୨୫ ତାରିଖ ଦିନ ସହରର ବିଜାଖମନଠାରେ ବୁଦା ମୂଳରୁ ଅଷ୍ଟମୀ ବକୁଲଙ୍କ ରକ୍ତାକ୍ତ ମୃତଦେହ ମିଳିଥିଲା । ଆଜି ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଏକ ଭିଡିଓ ଜରିଆରେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବା ସହ ଘଟଣାଟି ପ୍ରେମ ବ୍ୟାପାରରୁ ଶତୃତା ଓ ପରେ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଏସ୍‌ପି ପ୍ରକାଶ କରିଛନ୍ତି । ଘଟଣାର ମୁଖ୍ୟ ଅଭିଯୁକ୍ତ ଟାଉନ ଥାନା ଅଧିନସ୍ଥ ବେହେରାପାଲିର ବାଲେକ ଓରଫ ଗୁଲଠୁ ତାଣ୍ଡି(୩୭)ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ସୂଚନାରୁ ପ୍ରକାଶ ଯେ, ୨୪ ତାରିଖ ସଂନ୍ଧ୍ୟା ପ୍ରାୟ ୬ଟା ୧୫ ସମସୟରେ ମ୍ୟୁନିସିପାଲିଟି କର୍ମଚାରୀ ଅଷ୍ଟମୀ ବକୁଲ ବିଜାଖମନ ସ୍ଥିତ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟଠାରେ ମଇଳା ବାହକ ଗଡି ରଖି ନିଜ ସାଇକଲରେ ରାଜୀବନଗର ପଟକୁ ଫେରୁଥିଲେ । ନିଛାଟିଆ ରାସ୍ତାରେ ଛକି ରହିଥିବା ଗୁଲଠୁ ପଛପଟୁ ଏକ ଖଣ୍ଡାରେ ଅଷ୍ଟମୀକୁ ଆକ୍ରମଣ କରିଥିଲେ । ଅଷ୍ଟମୀ ନିଜ ସାଇକେଲରୁ ପଡିଯିବା ପରେ ଗୁଲଠୁ ଅଷ୍ଟମୀର ବେକରେ ଖଣ୍ଡାରେ ବାରମ୍ବାର ପ୍ରହାର କରିଥିଲେ । ଫଳରେ ଅଷ୍ଟମୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଅଭିଯୁକ୍ତ ଗୁଲଠୁ, ଅଷ୍ଟମୀଙ୍କ ମର ଶରୀର ଓ ସାଇକେଲକୁ ରାସ୍ତା କଡ ବୁଦା ଭିତରକୁ ଫିଙ୍ଗିଦେଇ ଚାଲି ଯାଇଥିଲେ । ଦୀର୍ଘ ବାର ଘଣ୍ଟା ପରେ ମଧ୍ୟ ଅଷ୍ଟମୀର କୌଣସି ଖୋଜ ଖବର ମିଳି ନଥିବା ବେଳେ ତାଙ୍କ ମା’ ପଙ୍କଜିନୀ ବକୁଲ ପରଦିନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବୁଦା ତଳେ ଏକ ମୃତ ଶରୀର ପଡିଥିବା ଦେଖି ରାଜୀବନଗରର ଜଣେ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ । ପୋଲିସ ଟାଉନ ଥାନା କେସ ନଂ ୪୯୨ରେ ଏକ ମାମାଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ତଦନ୍ତକାରୀ ପୋଲିସ ଅଧିକାରୀ ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ବେହେରା ଅଭିଯୁକ୍ତ ଗୁଲଠୁକୁ ଗିରଫ କରିବା ସହ ତା’ ପାଖରୁ ଏକ ଖଣ୍ଡା ଜବତ କରିଥିଲେ । ଗତକାଲି ଟାଉନ ପୋଲିସ ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେଇ ସିନ୍‌ ରିକ୍ରିଏସନ କରାଇଥିଲା । ଆଜି ସକାଳୁ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅନ୍ୟାନ୍ୟ ଦିଗ ଉପରେ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ଦିଆଯାଇଛି । ତେବେ ନିଛାଟିଆ ଅଂଚଳ, ପ୍ରତ୍ୟକ୍ଷଦର୍ଶୀ ଓ ସିସିଟିଭିର ଅଭାବ ସତ୍ୱେ ମାତ୍ର କିଛି ଦିନରେ ହତ୍ୟାକରୀକୁ ଖୋଜି ବାହାର କରିବା ଖୁବ କଠିଣ । ଏଣୁ ତଦନ୍ତକାରୀ ଦଳ ଓ ଟାଉନ ପୋଲିସକୁ ଏହି ସଫଳତା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.