centurian jitm

କର୍ଲାପିଟା ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞରେ ହତ୍ୟା

nschool
  • ଜେଲ ଫେରନ୍ତା ବୃଦ୍ଧଙ୍କ ଠେଙ୍ଗା ମାଡ଼ରେ ଆଉ ଜଣେ ବୃଦ୍ଧ ମୃତ
  • ଅଭିଯୁକ୍ତ ଥାନାରେ ଅଟକ, ପୁଲିସର ତନାଘନା ତଦନ୍ତ ଜାରି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଷୋହଳ ପ୍ରହରୀ ନାମଯଜ୍ଞରେ ନିର୍ମମ ହତ୍ୟା । ଏଭଳି ଏକ ଲୋମହର୍ଷଣକାରୀ ହତ୍ୟା ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ କର୍ଲାପିଟା ଗ୍ରାମରେ । ଜଣେ ଜେଲ୍‌ ଫେରନ୍ତା ବୃଦ୍ଧଙ୍କ ଠେଙ୍ଗା ମାଡ଼ରେ ଆଉ ଜଣେ ବୃଦ୍ଧଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅଭିଯୁକ୍ତକୁ ପୁଲିସ୍ ଥାନାରେ ଅଟକ ରଖିଛି । କର୍ଲାପିଟା ଗ୍ରାମରେ ଶୁକ୍ରବାର ଠାରୁ ଷୋହଳ ପ୍ରହରୀ ନାମଯଜ୍ଞ ଚାଲିଥିବା ବେଳେ ଗାଁରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଶନିବାର ନାମଯଜ୍ଞ ଦ୍ଵିତୀୟ ଦିନରେ ପହଞ୍ଚିଥିଲା । ସମସ୍ତେ ହସଖୁସିରେ ମସ୍‌ଗୁଲ୍‌ ରହି ପ୍ରହରୀ ଉପଭୋଗ କରୁଥିବା ବେଳେ ସେଠାରେ ହଠାତ୍ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗ୍ରାମର ବିଭୀଷଣ ଧରୁଆ(୭୫)ନାମକ ଜଣେ ବୃଦ୍ଧଙ୍କୁ ସେହି ଗ୍ରାମର ହିଁ ଜେଲ୍ ଫେରନ୍ତା ପୁରନ୍ଦର ଧରୁଆ(୭୦) ନାମକ ଅନ୍ୟଜଣେ ବୃଦ୍ଧ ପଛପଟୁ ଠେଙ୍ଗାରେ ଅତର୍କିତ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଉଭୟ ସମ୍ପର୍କରେ ଭାଇ-ଭାଇ ହୋଇଥିବା ବେଳେ ପୂର୍ବ ଶତ୍ରୁତା ଓ ସ୍ତ୍ରୀ ସହ ପରକୀୟା ପ୍ରୀତିକୁ କେନ୍ଦ୍ର କରି ଏହି ହତ୍ୟା ଘଟଣା ଘଟିଥିବା ଆଲୋଚନା ହେଉଛି । ଖବର ପାଇ ପୁଲିସ ପହଞ୍ଚି ଅଭିଯୁକ୍ତକୁ ଆଣି ଥାନାରେ ଅଟକ ରଖିଥିଲା । ଅଭିଯୁକ୍ତ ପୁରନ୍ଦର ପୂର୍ବରୁ ବନ୍ଧୁକରେ ନିଜ ସାନ ଭାଇଙ୍କୁ ଗୁଳି କରି ହତ୍ୟା ଅଭିଯୋଗରେ ବହୁ ବର୍ଷ ଜେଲ ଯାଇ ଏବେ ଫେରିଥିବା ବେଳେ ପୁଣି ଜଣଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ୩ପୁଅ ଓ ଜଣେ ଝିଅ ବିବାହିତ ହୋଇଥିବା ବେଳେ ପୂର୍ବରୁ ତାଙ୍କ ନାମରେ ଥାନାରେ ବିଭିନ୍ନ ମାମଲା ମଧ୍ୟ ରହିଥିବା ଜଣାପଡିଛି । ଘଟଣାସ୍ଥଳକୁ କଣ୍ଟାବାଞ୍ଜି ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ମୁରିବାହାଲ ଥାନା ଆଇଆଇସି ସିପୋରା ସରାୟ ଲୁଗୁନଙ୍କ ସହ ପୁଲିସ ଟିମ ପହଞ୍ଚି ତନାଘନା ତଦନ୍ତ ଜାରି ରଖିଛନ୍ତି । ପୁଲିସ ଘଟଣାସ୍ଥଳରେ ମୃତଦେହକୁ ଜଗି ରହିଥିବା ବେଳେ ଆଜି ରବିବାର ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ପରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡିଛି । ଏ ସମ୍ପର୍କରେ ଥାନାରେ କେସ୍‌ ନଂ ୮୧/୨୫ ମାମଲା ରୁଜ୍ଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ଲୁଗୁନ ପ୍ରକାଶ କରିଛନ୍ତି । ହତ୍ୟା ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏକ ଆଧ୍ୟାତ୍ମିକ ପରିବେଶ ହଠାତ୍ ରକ୍ତରଞ୍ଜିତ ହୋଇଯାଇଛି ।

Leave A Reply

Your email address will not be published.