ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ନରସିଂହପଡାରେ ବୁଧବାର ରାତିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଗୁରୁବାର ପାଇକମାଲ ଥାନାରେ ଅଭିଯୋଗ ହୋଇଛି । ମୃତକ ଯୁବକ ଜଣକ ହେଲେ ସୋହେଲା ଥାନା ବୁଡାମାଲ ଗ୍ରାମର ଗୋବିନ୍ଦ ପ୍ରଧାନ (୩୭) । ସୂଚନାଯୋଗ୍ୟ ଯେ ଗୋବିନ୍ଦ ଓ ତାଙ୍କ ସହଧର୍ମଣୀ ବେବି ପ୍ରଧାନ ପାଇକମାଲ ଥାନା ନରସିଂହପଡାରେ ରହୁଥିଲେ । କିଛିଦିନ ପରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ମନାନ୍ତର ହେବାରୁ ଗୋବିନ୍ଦ ନୃସିଂହନାଥ ବିନ୍ଧ୍ୟବାସିନୀ ମନ୍ଦିର ନିକଟରେ ଏକ ଖେଳଣା ଦୋକାନ ଦେଇ ସେଠାରେ ରହୁଥିଲେ । ବୁଧବାର ସଂଧ୍ୟା ୭ଟାରେ ନିଜ ଦୋକାନରୁ ପାଇକମାଲ ନୃସିଂହପଡାରେ ରହୁଥିବା ତାଙ୍କ ସ୍ତ୍ରୀଙ୍କ ପାଖକୁ ଆସିଥିଲେ । କିଛି ସମୟ ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ତାଙ୍କ ସ୍ତ୍ରୀ ଓ ଶାଶୁ ଗୋଲାପି ପ୍ରଧାନ ମିଶି ଜ୍ୱାଇଁ ସହ ଗାଲିଗୁଲଜ ହେଉଥିବା ନେଇ ପଡାବସୀମାନେ ଶୁଣିଛନ୍ତି । ବୁଧବାର ରାତିରେ ଗୋବିନ୍ଦଙ୍କୁ ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକ ପାଇକମାଲ ସରକାରୀ ଚିକିତ୍ସାଳୟକୁ ଆଣିଥିଲେ । ଅବସ୍ଥା ଗୁରୁତର ଥିବାରୁ ପଦ୍ମପୁର ସରକାରୀ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ମୃତ ଗୋବିନ୍ଦ ପ୍ରଧାନର ବାପା ନିରଞ୍ଜନ ପ୍ରଧାନ ସୋହେଲାରୁ ପଦ୍ମପୁର ଆସି ପୁଅର ଶବକୁ ଦେଖି ପାଇକମାଲ ଆସି ଥାନାରେ ପୁଅକୁ ହତ୍ୟା କରାଯାଇଛି ବୋଲି ଳିଖିତ ଅଭିଯୋଗ କରିଥିଲେ । ଏନେଇ ପାଇକମାଲ ଥାନା କେସ ନମ୍ବର ୧୨ ଧାରା ୧୦୩(୧)/୩(୫) ବିଏନ୍ଏସ ଅନୁସାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି । ଆଜି ଅପରାହ୍ନ ୫ଟାରେ ସାଇଣ୍ଟିଫିକ ଦଳ ନୃସିଂହପଡା ଆସି ଅନୁସନ୍ଧାନ କରି ଫେରି ଯାଇଛନ୍ତି । ଏନେଇ ପାଇକମାଲ ଥାନା ଆଇଆଇସି ସୁଶାନ୍ତ କୁମାର ପ୍ରଧାନଙ୍କୁ ପଚାରିବାରୁ ବେବି ପ୍ରଧାନ ଓ ତାଙ୍କ ମା’ ଗୋଲାପି ପ୍ରଧାନଙ୍କୁ ଥାନାରେ ଆଣି ଅଟକ ରଖି ପଚରା ଉଚରା କରାଯାଉଛି ବୋଲି କହିଛନ୍ତି ।