jayashree

ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ

ନବରଙ୍ଗପୁର : ଯୌତୁକ ପାଇଁ ନବବଧୂକୁ ତଣ୍ଟିଚିପି ହତ୍ୟା କରିଛନ୍ତି ଶଶୁର ଘରଲୋକେ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ପାପଡାହାଣ୍ଡି ଥାନା ଅଞ୍ଚଳରେ ।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ସଦର ରାମ ସେଠି ଓ ସୁଷମା ସେଠୀଙ୍କ ଝିଅ ଗୀତା ସେଠି ଗତ ବର୍ଷ ଜୁଲାଇରେ ପାପଡାହାଣ୍ଡି ଗ୍ରାମର ବନମାଳୀ ସେଠିଙ୍କ ପୁଅ ସୁଦାମ ସେଠିଙ୍କୁ ବାହା ହୋଇଥିଲେ । କିନ୍ତୁ ବିବାହର ୬ ମାସ ମଧ୍ୟରେ ଶ୍ୱଶୁର ଘରଲୋକେ ଯୌତୁକ ପାଇଁ ଗୀତା ସେଠିଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେବା ଆରମ୍ଭ କରି ଦେଇଥିଲେ ।

ଆଉ ଏହି ନିର୍ଯ୍ୟାତନାରେ ଅତିଷ୍ଠ ଗୀତା ନିଜ ବାପଘରକୁ ଫେରିଆସିଥିଲେ । ହେଲେ ଧୀରେ ଧୀରେ ସବୁଠିକ୍‌ ହୋଇଯିବ ବୋଲି କହି ଶାଶୁ ଘରକୁ ପଠାଇଦେଇଥିଲେ ତାଙ୍କ ପରିବାର । ତଥାପି କୌଣସି ପରିର୍ବତ୍ତନ ହୋଇନଥିଲା । ଗୀତାଙ୍କ ଶାଶୁ ଘର ଲୋକେ ସେହିଭଳି ଅତ୍ୟାଚାର ଜାରି ରଖିଥିଲେ ।

ଆଉ ଏହାରି ମଧ୍ୟରେ ଗୁରୁବାର ଗୀତାଙ୍କୁ ଶାଶୁ ଘର ଲୋକ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସେମାନେ କହିଛନ୍ତି, ଗୀତା ସକାଳେ ତାଙ୍କ ସାନ ଭଉଣୀଙ୍କୁ ଫୋନ୍‌ କରିଥିଲେ । ଏହି ସମୟରେ ସେ କହିଥିଲେ ଯେ, ତାଙ୍କୁ ତାଙ୍କ ସ୍ବାମୀ ମାଡ଼ ମାରୁଛନ୍ତି । ଆଉ ଏହାର ଚାରି ଘଣ୍ଟା ପରେ ତାଙ୍କ ସ୍ବାମୀ ଫୋନ୍‌ କରି ଗୀତା ଆତ୍ମହତ୍ୟା କରିଥିବା କଥା କହିଥିଲେ । ଏମିତିକି ଶୁକ୍ରବାର ସକାଳ ୮ଟା ପର୍ଯ୍ୟନ୍ତ ମୃତଦେହ ଦେଖିବାକୁ ଦିଆଯାଇନଥିଲା ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେ​‌ବେ ବର୍ତ୍ତମାନ ଗୀତାଙ୍କ ବାପଘର ତରଫରୁ ଗୀତାଙ୍କ ସ୍ବାମୀ, ଶାଶୁ, ନଣନ୍ଦ, ଭଣଜାଙ୍କ ନାଁରେ ଯୌତୁକ ନିର୍ଯ୍ୟାତନା ସହ ହତ୍ୟା ଅଭିଯୋଗ ରୁଜୁ କରାଯାଇଛି ।

ସେପଟେ ଅଭିଯୋଗ ପରେ ଗୀତାଙ୍କ ଶ୍ୱଶୁର ଘର ଲୋକ ଫେରାର ଅଛନ୍ତି । ହେଲେ ଅଭିଯୁକ୍ତଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ଗୀତାର ଶବକୁ ଶବ ବ୍ୟବଛେଦ କରାଇଦିଆଯିବ ନାହିଁ ବୋଲି ପରିବାର ଲୋକେ ଦାବୀ କରିଥିଲେ । ତେବେ ୭ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପାପଡାହାଣ୍ଡି ଏସ୍‌ଡିପିଓ ପ୍ରତିଶ୍ରୁତି ଦେବା ପରେ ଶବକୁ ଛାଡିଥିଲେ ଗୀତାଙ୍କ ପରିବାର ଲୋକେ ।

Leave A Reply

Your email address will not be published.